ଯମେଶ୍ବରଙ୍କ ଭଙ୍ଗା ସିଂହାସନରେ ବସିବେ ଶ୍ରୀଲିଙ୍ଗରାଜ!

ପୁରୁଣା ଭୁବନେଶ୍ୱର: ଆସୁଛି ଯମ ଦୁତିଆ(ଦ୍ବିତୀୟା)। ପରମ୍ପରା ଅନୁସାରେ ସେଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯମେଶ୍ବର ମନ୍ଦିରକୁ ବିଜେ କରିବେ। ଯମଶ୍ବେରଙ୍କ ସିଂହାସନ ପିଣ୍ଡି ଉପରେ ବିରାଜମାନ ହୋଇ ପୂଜା ପାଇବେ। ତେବେ ଚଳିତ ବର୍ଷ ମହାପ୍ରଭୁ ଯମେଶ୍ବରଙ୍କ ଭଙ୍ଗା ସିଂହାସନ ପିଣ୍ଡିରେ ବସିବେ କି ବୋଲି ପ୍ରଶ୍ନ ଉଠିଛି। ଦୀର୍ଘ ଦିନ ହେଲା କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ଏହି ସିଂହାସନ ପିଣ୍ଡିର ପୁନରୁଦ୍ଧାର କାର୍ଯ୍ୟ କରୁଥିଲେ ବି ଶେଷ ହୋଇନାହିଁ। ସିଂହାସନ ସେମିତି ଭଙ୍ଗା ପଡ଼ିଛି। ଏଣେ ମରାମତି କାମ ମଧ୍ୟ କିଛି ଦିନ ହେଲା ବନ୍ଦ ରହିଛି। ତେଣୁ ପ୍ରସିଦ୍ଧ ଯମ ଦୁତିଆ ପାଖେଇ ଆସୁଥିବାରୁ ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ସିଂହାସନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ଯମ ଦୁତିଆ ପୂର୍ବରୁ ଏହି ସିଂହାସନ ପୁନରୁଦ୍ଧାର ନ ହେଲେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଯମ ଦୁତିଆ ଯାତ୍ରା ପରମ୍ପରା ଭଙ୍ଗ ହେବ ଓ ଏଥିପାଇଁ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଆସିବେ ବୋଲି ଚେତାବନୀ ଦିଆଯାଇଛି।

ଦ୍ବାଦଶ ଶତାବ୍ଦୀରେ ନିର୍ମିତ ସପ୍ତରଥ ଶୈଳୀରେ ଗଢ଼ା ହୋଇଥିବା ଏହି ସୁନ୍ଦର ମନ୍ଦିର ଏକାମ୍ର କ୍ଷେତ୍ରରେ ବେଶ ପରିଚିତ। ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ପର୍ବ ପର୍ବାଣି ଓ ଯାନିଯାତ୍ରାରେ ଏହି ମନ୍ଦିର ଜଡ଼ିତ ରହି ଆସିଛି। ଏହାର କାରୁକାର୍ଯ୍ୟ ଭରା ନିର୍ମାଣ ଶୈଳୀ ପ୍ରତି ଆକୃଷ୍ଟ ହୋଇ ଏଠାକୁ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସନ୍ତି। ମାତ୍ର ଗତ ଦୁଇ ବର୍ଷ ପୂର୍ବରୁ ଏହି ମନ୍ଦିର ଚୂଡ଼ାରେ ବଜ୍ରପାତ ହୋଇ ବହୁ କ୍ଷୟକ୍ଷତି ହୋଇଥିଲା। ଏହା ପରେ ଏଏସ୍ଆଇ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଠାକୁରଙ୍କ ସିଂହାସନ ପିଣ୍ଡି ସେମିତି ଅଧା ଭଗ୍ନ ଅବସ୍ଥାରେ ପଡ଼ିଛି। ଭୁବନେଶ୍ବର ସର୍କଲ ଏଏସ୍‌ଆଇ ଅଧୀନରେ ଥିବା ୫୦ଜଣ ଠିକା କର୍ମଚାରୀଙ୍କ ମଧ୍ୟରୁ ଏଠାରେ ୧୦ ଜଣ କାର୍ଯ୍ୟ କରୁଥିଲେ। କିନ୍ତୁ ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖରୁ କର୍ମଚାରୀମାନେ ଆଉ କାର୍ଯ୍ୟ କରୁନାହାନ୍ତି। ଫଳରେ ପିଣ୍ଡିର ପୁନରୁଦ୍ଧାର କାର୍ଯ୍ୟ ସେମିତି ଅଧୁରା ହୋଇ ରହିଛି। ଚଳିତ ମାସ ୧୬ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯମ ଦୁତିଆ ତିଥିରେ ଏଠାକୁ ଆସିବେ। ତେବେ ଭଗ୍ନ ଅବସ୍ଥାରେ ଥିବା ସିହାଂସନ ପିଣ୍ଡି ପୁନରୁଦ୍ଧାର ନ ହେଲେ ଠାକୁର କେଉଁଠାରେ ବସିବେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଏନେଇ ଆଜି ସ୍ଥାନୀୟ ଲୋକେ ଏଏସ୍ଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଦାବି କରିଛନ୍ତି। ଏନେଇ ଏଏସ୍ଆଇର ଭୁବନେଶ୍ବର ସଂଗ୍ରାହଧୀକ୍ଷକ ସୁଶାନ୍ତ ଗୋଚ୍ଛାୟତଙ୍କ କହିବା କଥା ଯେ ସେ ତୁରନ୍ତ ଏ ବାବଦରେ ମୁଖ୍ୟଙ୍କୁ ଜଣାଇବେ ଓ ବିହିତ ପଦ‌କ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର