ଜମୁଛି ରାଜଧାନୀ ଉପକଣ୍ଠ ପଞ୍ଚାୟତ ପ୍ରଚାର: ଗାଁମୁହାଁ ସହରୀ ନେତା

ପଞ୍ଚାୟତରେ ପର୍ଯ୍ୟବେକ୍ଷକ ଦେଇଛି ବିଜେଡି, ବିଜେପି ପ୍ରାର୍ଥୀଙ୍କ ପ୍ରଚାରରେ ଯୁବ, ଛାତ୍ର ନେତା

ଭୁବନେଶ୍ବର: ସରଗରମ ଗାଁ ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି ନେତା। ପାଦ ତଳେ ପଡ଼ି ଯାଉଛନ୍ତି। ପଖାଳ କଂସାରେ ମୁହଁ ମାଡ଼ି ଦେଉଛନ୍ତି। ଭୋଟରଙ୍କ କାନ୍ଧରେ କାନ୍ଧ ମିଶାଇବାକୁ ବି ଚାଲି ଆସୁଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ଭୁବନେଶ୍ବର ଉପକଣ୍ଠରେ ଏବେ ଏମିତି ସବୁ ଦୃଶ୍ୟ ଦେଖିବାକୁ ମିଳୁଛି। ପ୍ରାର୍ଥୀଙ୍କ ସମେତ କର୍ମୀମାନେ ପାଦରେ ପାଦ ପକାଇ ପ୍ରଚାର ମଇଦାନକୁ ଆହୁରି ସରଗରମ କରୁଛନ୍ତି। ତେବେ କୋଭିଡ୍‌ କଟକଣା ନିର୍ବାଚନ ପ୍ରଚାରରେ କିଛିଟା ବାଧା ସୃଷ୍ଟି କରିଛି। ଗାଁ ଦାଣ୍ଡରେ ଶୁଭୁ ନାହିଁ ମାଇକ୍‌ ପ୍ରଚାର। ସଭା, ସମିତି, ଶୋଭାଯାତ୍ରା ବି ଦେଖିବାକୁ ମିଳୁନି। କେବଳ ପଦଯାତ୍ରାରେ ସୀମିତ ପ୍ରାର୍ଥୀଙ୍କ ପ୍ରଚାର। କୋଭିଡ୍‌ ପାଇଁ ଏଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାରକୁ ଅଧିକ ଗୁରୁତ୍ବ ଦେଇଛନ୍ତି। କଟକଣା ମଧ୍ୟରେ ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀମା‌ନେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି। କେତେକ ସ୍ଥାନରେ ଭୋଟରଙ୍କ ଦୃଢ଼ ସମର୍ଥକମାନେ ପ୍ରଚାରର ମଙ୍ଗ ଧରିଥିବା ଦେଖିବାକୁ ମିଳିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭୁବନେଶ୍ବରର ନେତାମାନେ ଏବେ ଉପକଣ୍ଠରେ ପ୍ରଚାର ମଙ୍ଗ ଧରିଛନ୍ତି। ସହରରେ ନିର୍ବାଚନ ହେଉ ନ ଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ନେତାମାନଙ୍କୁ ବିଭିନ୍ନ ୱାର୍ଡ ଓ ଗାଁ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଜିଲ୍ଲା ପରିଷଦ ଜୋନ୍‌ଗୁଡ଼ିକରେ ବିଜେଡି ଯେପରି ଏଥର ଭଲ ପ୍ରଦର୍ଶନ କରିବ ତାହାକୁ ପ୍ରାଥମିକତା ଦେଇଛି। ପ୍ରତି ଗାଁ ପାଇଁ ସହରର ଜଣେ ଲେଖାଏ ଟାଣୁଆ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଜଟଣୀ, ଜୟଦେବ, ଉତ୍ତର ଭୁବନେଶ୍ବର ଓ ଏକାମ୍ର ନିର୍ବାଚନ ମଣ୍ଡଳୀ ଉପରେ ଦଳ ଅଧିକ ଗୁରୁତ୍ବ ଦେଇଛି। ଗତ ସାଧାରଣ ନିର୍ବାଚନରେ ବିଜେପି ଯେହେତୁ ଲୋକସଭା ଆସନ ହାତେଇଥିଲା ତେଣୁ ଏଥର ଯେପରି ପୁରୁଣା ଘଟଣାର ପୁର୍ନରାବୃତ୍ତି ନ ହୁଏ ଦଳୀୟ ନେତୃତ୍ବ ତାହାକୁ ପ୍ରାଥମିକତା ଦେଇଛନ୍ତି।

ଯଦି ଉତ୍ତର ଭୁବନେଶ୍ବର ପାଞ୍ଚ ପଞ୍ଚାୟତ କଥାକୁ ବିଚାରକୁ ନିଆଯାଏ ତେବେ ଏଠାରେ ବିଜେଡି ୭୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିଛି। ଜଟଣୀ ନିର୍ବାଚନ ମଣ୍ଡଳୀ ଅଧୀନ ୨୮ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଅଧୀନ ମେଣ୍ଢାଶାଳ, ମଳିପଡ଼ା, କଣ୍ଟାବାଡ଼, ଅନ୍ଧାରୁଆ, ଚନ୍ଦକା, ଦାରୁଠେଙ୍ଗ ପଞ୍ଚାୟତଗୁଡ଼ିକରେ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସୁଛି। ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଥିବାରୁ ବିଜେଡି ପାଇଁ ଏବେ ସମସ୍ୟା ସୃଷ୍ଟି କରିଛି। ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ବିଜେଡି ପ୍ରାର୍ଥୀଙ୍କ ସିଧାସଳଖ ଲଢ଼େଇ ହେଉଥିବାରୁ ଏଠାରେ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ ରହିଥିବାରୁ ସେଠାରେ ମଧ୍ୟ ଭୁବନେଶ୍ବରର ବିଜେଡି ନେତାମାନେ ଡେରା ପକାଇଛନ୍ତି। ଯେକୌଣସି ପ୍ରକାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି।

ବିଜେପିର ସହରୀ ନେତାମାନେ ବି ପଛରେ ନାହାନ୍ତି। ସେମାନେ ଏବେ ଗାଁକୁ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନହିତକରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ଦଳ ପକ୍ଷରୁ ପ୍ରତି ପଞ୍ଚାୟତ ଲାଗି ୧୦ରୁ ୧୫ ଜଣ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ଯୁବ ଓ ଛାତ୍ର ନେତାଙ୍କ ଉପରେ ଦଳ ଅଧିକ ଭରସା କରିଛି। ପ୍ରଚାର ସମୟରେ ଯୁବ ଓ ଛାତ୍ର ନେତାଙ୍କୁ ଆଗରେ ରଖି ପ୍ରାର୍ଥୀମାନେ ଆଗକୁ ବଢ଼ୁଛନ୍ତି। କେତେକ ସ୍ଥାନରେ ମହିଳା ବି ସାମିଲ ହେଉଥିବା ଦେଖିବାକୁ ମିଳୁଛି। କଂଗ୍ରେସ ନେତାଙ୍କ ମଧ୍ୟରେ ସେମିତି ଉଷ୍ମତା ନାହିଁ। ଜଟଣୀ ନିର୍ବାଚନ ମଣ୍ଡଳୀ ଅଧୀନ ଜିଲ୍ଲା ପରିଷଦ ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀମାନେ ଉତ୍ସାହିତ ହେବା ସହ ବିଧାୟକଙ୍କ ଆହ୍ବାନରେ କର୍ମୀମାନେ ଆଗକୁ ମାଡ଼ି ଚାଲୁଛନ୍ତି। ବିଧାୟକ ଶ୍ରୀ ରାଉତରାୟଙ୍କ ସହ ବିଭିନ୍ନ ସମୟ‌ରେ ରାଜଧାନୀରେ ବୁଲୁଥିବା କଂଗ୍ରେସ ନେତାମାନଙ୍କୁ ଏବେ ଗାଁରେ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର