ଭୁବନେଶ୍ବର : କୁଞ୍ଜ କଲେ। କୁଞ୍ଜର ଶୋଭା ବଢ଼ାଇବାକୁ ବିଭିନ୍ନ ଭଙ୍ଗୀରେ କୃଷ୍ଣଙ୍କ ବିଗ୍ରହ ନିର୍ମାଣ କଲେ। କିନ୍ତୁ ନା ବିଗ୍ରହ ସ୍ଥାପନ କଲେ ନା କୁଞ୍ଜର ମାଧୁର୍ଯ୍ୟକୁ ବଜାୟ ରଖି ପାରିଲେ। ଗୀତଗୋବିନ୍ଦରେ ବର୍ଣ୍ଣିତ ୮୪କିସମର ବୃକ୍ଷଲତା ଲଗାଇଲେ। ମାତ୍ର ବୃକ୍ଷଗୁଡ଼ିକୁ ସୁରକ୍ଷା ଦେଇପାରିଲେ ନାହିଁ। ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କୁ ନେଇ ଓଡ଼ିଆ ମାଟି ଗର୍ବ କରୁଥିଲେ ହେଁ ଜୟଦେବଙ୍କ ଜନ୍ମିତ କେନ୍ଦୁଲି ଗ୍ରାମରେ ଜୟଦେବ ପୀଠ ବଞ୍ଚିବା ପାଇଁ ରାହା ଖୋଜୁଛି। ଅଥଚ ପୀଠକୁ ନିଜ ଅଧୀନକୁ ଆଣି ପାରିଚାଳନା ଦାୟିତ୍ବ ନେବାକୁ କୌଣସି ସରକାରୀ ବିଭାଗ ପ୍ରସ୍ତୁତ ନୁହେଁ। ସତୁରି ଦଶକର ଏହି ଐତିହ୍ୟ ପୀଠ ଆଜି ଗୁମୁରି କାନ୍ଦୁଥିଲେ ବି ୫ବର୍ଷ ହେଲା ତା’ର ଅସ୍ତିତ୍ବ ଫେରାଇବାକୁ ସକ୍ଷମ ହୋଇନାହିଁ ସରକାରୀ କଳ। ଐତିହ୍ୟ ଓ ଇତିହାସର ଡିଣ୍ଡିମ ପିଟୁଥିବା ସଂପୃକ୍ତ ସରକାରୀ ବିଭାଗର ବାସ୍ତବ ଐତିହ୍ୟପ୍ରୀତି କେତେ, ତାହା ପୀଠର ଉଜୁଡ଼ା ସ୍ଥିତି ବୟାନ କରୁଛି। ପୀଠର ଏହି ସ୍ଥିତି ପାଇଁ କିଛି ସ୍ଥାନୀୟ ଲୋକଙ୍କ ଅସାଧୁ କାର୍ଯ୍ୟକଳାପକୁ ଦାୟୀ କରାଯାଉଛି। ତେବେ ଏହି ଐତିହ୍ୟ ପ୍ରକଳ୍ପର ଏତାଦୃଶ୍ୟ ଅବସ୍ଥା ପାଇଁ କାହାକୁ ଦ୍ବାହି ଦେଇ ଚୁପ୍‌ ବସିଯିବା ପ୍ରାଶାସନିକ ବ୍ୟବସ୍ଥା ପ୍ରତି ଆଙ୍ଗୁଠି ଉଠାଇଛି।

Advertisment

ବାଜୁନି ଗୀତଗୋବିନ୍ଦ

ଜୟଦେବ ପୀଠକୁ ଆକର୍ଷଣୀୟ କରିବା ପାଇଁ ଶବ୍ଦ ଓ ଆଲୁଅର ଏକ ଅଭିନବ ବ୍ୟବସ୍ଥା କରାଯାଇଥିଲା। ଜୟଦେବ ପୀଠ ମଧ୍ୟରେ ବୁଲିବା ବେଳେ ଗଛର ଗହଳ ଭିତରୁ ଗୀତଗୋବିନ୍ଦ ମୃଦୁ ସ୍ବରରେ ଭାସି ଆସୁଥିଲା। ଆଲୁଅ ମଧ୍ୟ ଏହି ଗୀତ ସହ ତାଳ ଦେଇ ଏକ ନିଆରା ଅନୁଭବ ସୃଷ୍ଟି କରୁଥିଲା। ଫିଲିପ୍ସ କମ୍ପାନି ପକ୍ଷରୁ ଏହା ପୀଠକୁ ଦିଆଯାଇଥିଲା। ଆଜି କିନ୍ତୁ ଏହାର ଅସ୍ତିତ୍ବ ହିଁ ନାହିଁ। ସେହିଭଳି ବଜାଜ କମ୍ପାନି ପକ୍ଷରୁ ୨ଟି ହାଇମାଷ୍ଟ ଲାଇଟ୍‌ ସ୍ଥାପନ ହୋଇଥିଲା। ତାହା ବି କେଉଁ କାଳରୁ ଅକାମି ହୋଇପଡ଼ିଛି। ଏହାକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାର ସ୍ବପ୍ନ ଦେଖାଯାଇଥିଲା। ଟିକେଟ୍‌ ଆଦାୟ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ପଦ୍ମ ପୋଖରୀରେ ଭାସମାନ ଅବସ୍ଥାରେ ଶୋଭା ପାଉଥିବା କାଳୀୟ ଦଳନ ଦୃଶ୍ୟକୁ ଆହୁରି ଶୋଭା ବିମଣ୍ଡିତ କରିବା ପାଇଁ ପୋଖରୀରେ ‘ନୀଳ ପଦ୍ମ’ ଫୁଟା ଯାଇଥାନ୍ତା। ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଏନେଇ ଉଦ୍ୟମ କରାଯାଉଥିଲେ ହେଁ ଏବେ ଏହା ସ୍ବପ୍ନ। ୮.୭୫ଏକର ବିଶିଷ୍ଟ ଏକ ଔଷଧ ଉଦ୍ୟାନ ଏହି ପରିସରକୁ ସଂଲଗ୍ନ ଥିଲା। ୫୬ କିସମର ଔଷଧୀୟ ବୃକ୍ଷରାଜିରେ ଏହା ଭରପୂର ଥିଲା। ତାହା ବି ସମ୍ପୂର୍ଣ୍ଣ ଉଜୁଡ଼ି ଗଲାଣି। ଏହା ମଧ୍ୟରେ ଥିବା ସ୍ପ୍ରିଙ୍କ୍‌ଲର ଓ ପମ୍ପ୍‌ ଭାଙ୍ଗି ଯାଇଛି। ପରବର୍ତୀ ସମୟରେ ଏହା ଆଉ ୫ ଏକରକୁ ସଂପ୍ରସାରିତ ହେବାର ଯୋଜନା ରହିଥିଲେ ହେଁ ତାହା ବି ହୋଇପାରିଲା ନାହିଁ।

publive-image

ଭିଜିଲାନ୍ସରେ ମାମଲା

୨୦୦୮ରେ ଜୟଦେବ ପୀଠ ପରିସରକୁ ଆକର୍ଷଣୀୟ କରିବା ପାଇଁ ପାଖାପାଖି ୩ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ୧୨ଟି କୁଞ୍ଜ ନିର୍ମିତ ହେଲା। ଏହା ମଧ୍ୟରେ ଗୋଟିଏ ମୂର୍ତିକୁ ୭ଲକ୍ଷ ଟଙ୍କା ହିସାବରେ ୧୨ଟି ମୂର୍ତି ସ୍ଥାପନ ପାଇଁ ୨ଜଣଙ୍କୁ ୬ଟି ଲେଖାଏଁ ମାଧବଙ୍କ ବ୍ରୋଞ୍ଜ ବିଗ୍ରହ ନିର୍ମାଣ ପାଇଁ ଟେଣ୍ଡର୍‌ ଦିଆଗଲା। ଜଣେ ୬ଟି ମୂର୍ତି ଦେଇ ଦେଇଥିଲେ ସୁଦ୍ଧା ଅନ୍ୟ ଜଣେ ୫ଟି ମୂର୍ତି ଦେବାରୁ ଏହା ବିରୋଧରେ ଭିଜିଲାନ୍‌ସରେ ମାମଲା ହେଲା। ଖାଲି ସେତିକି ନୁହେଁ, ଏହା ମଧ୍ୟରେ ରହଣି ପାଇଁ ହୋଇଥିବା ଘର ନିର୍ମାଣ ଏବଂ ପୀଠକୁ ଲାଗି ନିକଟରେ ଏକ ମନ୍ଦିର ନିର୍ମାଣରେ ଅନିୟମିତତା ନେଇ ମଧ୍ୟ ଭିଜିଲାନ୍ସରେ ମାମଲା ରହିଛି।

ଦାୟିତ୍ବ ନେବ କିଏ?

ବନମାଳିପୁର ଭାକର ସାହିର ସ୍ବର୍ଗତ ଧଡ଼ି ଦର୍ଜି ଓ ଶତ୍ରୁଘ୍ନ ଦର୍ଜି ଶ୍ରୀଜୟଦେବଙ୍କ ନିମନ୍ତେ ଉପରସାହି ମୌଜାରେ ଥିବା ତାଙ୍କର ୬ ଏକର ଭୂ-ସମ୍ପତ୍ତିକୁ କିଛି ଅନାବାଦୀ ଜମି ବଦଳରେ ସରକାରଙ୍କୁ ଦେଇଥିଲେ। ୧୯୬୩ ମାର୍ଚରୁ ଏହି ପ୍ରକଳ୍ପର ପରିକଳ୍ପନା ଆରମ୍ଭ ହୋଇଥିଲା। ଏହି ଜମିକୁ ବଦଳ ସୂତ୍ରରେ ଆଣିବା ପାଇଁ ଭୁବନେଶ୍ବରର ତତ୍କାଳୀନ ଏସ୍‌ଡିଓ ସ୍ବର୍ଗତ ରାଜେନ୍ଦ୍ର କୁମାର ସାହୁଙ୍କ ଉଦ୍ୟମ ପ୍ରଶଂସନୀୟ ଥିଲା। କେନ୍ଦୁଲି ଗ୍ରାମରେ ଏକ ଛୋଟ ବୈଠକ ବସି ଜମି ନେବା ପାଇଁ ଚୂଡ଼ାନ୍ତ ହୋଇଥିଲା। ସେତେବେଳେ ଏହି ପରିସରରେ ଗୋଟିଏ ଛୋଟ ପୋଖରୀ ଓ ୭ଟି ପୁରୁଣା ଆମ୍ବ ଗଛ ଥିଲା। ସଂସ୍କୃତି ବିଭାଗ ଅଧୀନରେ ଏହି ଜମି ରହିଲା। ପରେ ଏହି ସ୍ଥାନକୁ ଲାଗି ୨ ଦଫାରେ ୯.୯୦ ଏକର ଏବଂ ୧.୩୧ ଏକର ଜମି ଅଧିଗ୍ରହଣ କରାଗଲା। ରିଜୋଲୁସନ୍‌ ପରେ ବନ ବିଭାଗ ଏହି ପରିସରରେ ଗୀତଗୋବିନ୍ଦ ବର୍ଣ୍ଣିତ ବୃକ୍ଷରାଜି ଲଗାଇବା ସହ ଏହାର ଯତ୍ନ ନେବାକୁ ନିଷ୍ପତ୍ତି ହେଲା। ଏହି ଆଧାରରେ ସେଠାରେ ଗୀତଗୋବିନ୍ଦ ବର୍ଣ୍ଣିତ ୮୪ କିସମର ଗଛ ଲଗାଇ ଦୈନିକ ମଜୁରି ସ୍ବରୂପ କିଛି ବ୍ୟକ୍ତିଙ୍କୁ ଗଛଗୁଡ଼ିକର ଯତ୍ନ ନେବା ପାଇଁ ନିୟୋଜିତ କରାଗଲା। ପରବର୍ତୀ ସମୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହା ମଧ୍ୟରେ ରହଣି ପାଇଁ ବ୍ୟବସ୍ଥା କରାଗଲା। ଅର୍ଥାତ ସ୍ବୟଂସମ୍ପୂର୍ଣ୍ଣ ରୂପ ଦେଇ ଏହାର ଆକର୍ଷଣ ବଢ଼ାଇବା ପାଇଁ ଉଦ୍ୟମ ହେଲା। ଅଥଚ ଏବେ ପୀଠ ଉଜୁଡ଼ିଯିବା ପରେ ଏହାକୁ ଓଏଫ୍‌ଡିସି ନିଜ ଅଧୀନରେ ରଖିବାକୁ ଚାହୁଁ ନାହିଁ। ଯୁକ୍ତି ଏୟା‌ ଯେ ଏହା ତାଙ୍କୁ ଲାଭ ଦେବ ନାହିଁ। ୫ବର୍ଷ ହୋଇଯାଇଥିଲେ ସୁଦ୍ଧା କୌଣସି ବି ସରକାରୀ ବାବୁ ଏହାକୁ ସଜାଡ଼ିବାକୁ ଏଯାଏଁ ଉଦ୍ୟମ କରିନାହାନ୍ତି କିମ୍ବା ଆଗ୍ରହ ଦେଖାଇନାହାନ୍ତି। ତେଣୁ କିଏ ଏହାର ଦାୟିତ୍ବ ନେବ ତାହା ଏବେ ପ୍ରଶ୍ନବାଚୀ।