କରୋନା ଭାଇରସ ପାଇଁ ଝାରପଡ଼ା ଜେଲରେ ସ୍ବତନ୍ତ୍ର ବ୍ୟବସ୍ଥା : ନୂଆ କଏଦୀ ଅସୁସ୍ଥ ଥିଲେ ଜେଲ୍ ବଦଳରେ ମେଡିକାଲ୍, ସମ୍ପର୍କୀୟଙ୍କ ସହ ସାକ୍ଷାତ ଉପରେ କଟକଣା

ଭୁବନେଶ୍ବର : କରୋନା ଭାଇରସ ପୂରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏଥିରୁ ରକ୍ଷା ପାଇବା ଲାଗି ସବୁ ସ୍ତରରେ ଉଦ୍ୟମ ଜାରି ରହିଛି। ଜେଲରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଗୃହ ମନ୍ତ୍ରଣାଳୟ ତରଫରୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ପରେ ରାଜ୍ୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଝାରପଡ଼ା ଜେଲ ପରିସର, ୱାର୍ଡ, ରୋଷେଇ ଶାଳାକୁ ସଫା ସୁତରା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବାହାର ଖାଦ୍ୟ ଯେପରି ଭିତରକୁ ନ ଯାଏ ସେଥିଲାଗି କଟକଣା ଜାରି କରାଯାଇଛି। କଏଦୀଙ୍କ ସହ ସମ୍ପର୍କୀୟଙ୍କର ସିଧାସଳଖ ମୁଲାକାତ୍ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଇ-ମୁଲାକାତ୍ କରିବା ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ରହିଛି। ନୂଆ କଏଦୀ ଜେଲରେ ପହଞ୍ଚିବା ସମୟରେ ଯଦି ଥଣ୍ଡା, ଜ୍ବରରେ ଅସୁସ୍ଥ ଥାଆନ୍ତି ତାହାଲେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟରେ ହାଜର ସମୟରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ଯଥା ସମ୍ଭବ କଏଦୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରିବା ପାଇଁ ନିର୍ଦ୍ଦେଶ ରହିଛି। ଜେଲ୍ କର୍ତ୍ତୃପକ୍ଷ ଓ କର୍ମଚାରୀ ଡ୍ୟୁଟି ସମୟରେ ମାସ୍କ ବ୍ୟବହାର କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର