ଜ୍ୟୋତି କଳାମନ୍ଦିରର ବାର୍ଷିକୋତ୍ସବ

ଗୁରୁ ଦୁର୍ଗା ଚରଣ ରଣବୀର, ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ କାଳନ୍ଦି ଚରଣ ପରିଡ଼ାଙ୍କୁ ‘ଜ୍ୟୋତି କଳା ମନ୍ଦିର ସମ୍ମାନ-୨୦୧୯’

ଭୁବନେଶ୍ବର: ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଉପସ୍ଥାପନା କରୁଥିଲା ଭଗବାନ ଶିବଙ୍କର ସ୍ଥିର ଓ ଗତିଶୀଳ ମୁଦ୍ରାକୁ, ତ୍ରିନୟନଙ୍କର ଶାନ୍ତ ଓ ପ୍ରଚଣ୍ଡ ରୂପକୁ ପୁଣି ରକ୍ଷକ ଓ ସଂହାର କର୍ତ୍ତା ଭଳି ଦୁଇ ବିପରୀତ ସ୍ବଭାବକୁ। ଗୁରୁ ଜ୍ୟୋତି ରାଉତଙ୍କର ନୃତ୍ୟ ନିଦ୍ଦେର୍ଶନାରେ ଜ୍ୟୋତି କଳା ମନ୍ଦିରର ଛାତ୍ରୀମାନଙ୍କ ଦ୍ବାରା ପରିବେଷିତ ଲୋମଟାଙ୍କୁରା ‘ଶିବ ସପ୍ତତାଣ୍ଡବ’ ନୃତ୍ୟ ଦର୍ଶକଙ୍କୁ ଅପଲକ ନୟନରେ ଚାହିଁ ରହିବାକୁ ବାଧ୍ୟ କରିଥିଲା। ଏହାପରେ ଅନ୍ୟ ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ପରିବେଷିତ ‘ପଲ୍ଲବୀ’, ‘ନବରସ’, ‘ସ୍ଥାୟୀ ନାଟ’, ‘ନୃତ୍ୟ ସାଧନା’, ‘ପଞ୍ଚଦେବ ସ୍ତୁତି’ ଏବଂ ‘ଆବର୍ତ୍ତନ’ ଆଦି ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଅବସର ଥିଲା ଜ୍ୟୋତି କଳା ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ। ‘ଜ୍ୟୋତି କଳାମନ୍ଦିର’ ଏବଂ ‘କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ’ର ମିଳିତ ଆନୁକୂଲ୍ୟରେ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ଏହି ଉତ୍ସବ ‘ଗୌରବ ଗାଥା’ ସଙ୍ଗୀତ ପରିବେଷଣରୁ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏବଂ ପଣ୍ଡିତ ଦାମୋଦର ହୋତା ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ ଜ୍ୟୋତି କଳା ମନ୍ଦିରର ସଭାପତି ଗୁରୁ ରାମହରି ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର, ଓଡ଼ିଶୀ ସଂଗୀତ ଗୁରୁ କେଶବ ଚନ୍ଦ୍ର ରାଉତ, ମର୍ଦ୍ଦଳ ଗୁରୁ କାଳନ୍ଦି ଚରଣ ପରିଡ଼ାଙ୍କୁ ‘ଜ୍ୟୋତି କଳାମନ୍ଦିର ସମ୍ମାନ-୨୦୧୯’ରେ ସମ୍ମାନିତ କରାଯାଇଛି। ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ‘ଜ୍ୟୋତିକଳା ମନ୍ଦିର’ର ଯୁଗ୍ମ ସଂପାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଓ ଉପସଭାପତି ଗୁରୁ ଧନେଶ୍ୱର ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର