ହକି ବିଶ୍ବକପ୍‌ ପାଇଁ ସ୍ବତନ୍ତ୍ର ‘ଖଦି ହାଟ’

୨୫ ପ୍ରଦର୍ଶନୀ ମଣ୍ଡପରେ ଖଦି ସାମଗ୍ରୀ, ଆକର୍ଷଣ ତନ୍ତ ବୁଣା, ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର: ହକି ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଓଡ଼ିଶା ଖଦି ଓ ‌ଗ୍ରାମୋଦ୍ୟୋଗ ‌ବୋର୍ଡ ପକ୍ଷରୁ ଜନପଥରେ ଏକ ସ୍ବତନ୍ତ୍ର ଖଦି ପ୍ରଦର୍ଶନୀ ‘ଖଦି ହାଟ’ ଆରମ୍ଭ ହୋଇଛି। ଏହି ପରିସର ମଧ୍ୟରେ ୨୫ଟି ପ୍ରଦର୍ଶନୀ ବିକ୍ରୟ ମଣ୍ଡପ ଖୋଲା ଯାଇଛି। ଏଥିରେ ଖଦି ସିଲ୍କ୍‌ର ମାଣିଆବନ୍ଧ, ସମ୍ବଲପୁରୀ, ନୂଆପାଟଣାର ଖଣ୍ଡୁଆପାଟ, ପଶାପାଲି, ତାରାବଳୀ, ହାତୀଯୋଡ଼ା ଖଣ୍ଡୁଆ, କୁମ୍ଭଶାଢ଼ି, ବିଚିତ୍ରାପୁରୀ, ଘରିକିଆ, ଆମ୍ବୁଆକଣ୍ଠିଆ, କାର୍ଗିଲ୍‌ କଟନ୍‌ ଆଦି ବିଭିନ୍ନ ଡିଜାଇନ୍‌ର ଶାଢ଼ି, ଯୋଡ଼ ଓ କପଡ଼ା ଏବଂ ଟସର ଓ କଟନ୍‌ର ବିଭିନ୍ନ ଡିଜାଇନ୍‌ର ସାମଗ୍ରୀ ଉପଲବ୍ଧ ହେଉଛି। ସଂପ୍ରତି ଶୀତ ଆରମ୍ଭ ହୋଇଯାଇଥିବାରୁ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ କାଣ୍ଟିଆ ଚାଦର, ସ୍କାର୍ଫ, ଜାକେଟ୍‌, ପାରମ୍ପରିକ ଲୁଙ୍ଗି ଗାମୁଛା ଓ ଚଦର ବିକ୍ରି ହେଉଛି। ଏଥିସହ ପାରମ୍ପରିକ କିଷାନ ଚରଖା ଓ ନୂଆ ମଡେଲ୍‌ ଚରଖାରେ ସୂତାକଟା ଓ ପାରମ୍ପରିକ ତନ୍ତ ଦ୍ବାରା ଖଦି ବସ୍ତ୍ର ବୁଣାର ଜୀବନ୍ତ ପ୍ରଦର୍ଶନ ଓ ପ୍ରଜ୍ଞାପନ ମେଢ଼ ନିର୍ମାଣ କରାଯାଇଛି। ଆଜି ଅପରାହ୍‌ଣରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ତେଜେଶ୍ବର ପରିଡ଼ା, ସଚିବ ସରୋଜ ପଟେଲ୍‌, ଇଣ୍ଡିଆନ୍‌ ବ୍ୟାଙ୍କ୍‌ର ମଣ୍ଡଳ ପ୍ରବନ୍ଧକ ଶଶିଭୂଷଣ ଦାଶ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଉପନିର୍ଦେଶକ ଏସ୍‌କେ ଶତପଥୀ, ବୋର୍ଡର ଉପସଚିବ ତ୍ରିଯୋଗୀ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୧୬ ତାରିଖ ବିଶ୍ବକପ୍‌ ଶେଷ ପର୍ଯ୍ୟନ୍ତ ଏହି ଖଦି ହାଟ ଖୋଲା ରହିବ।

ସମ୍ବନ୍ଧିତ ଖବର