ଖଣ୍ଡଗିରି କୁମ୍ଭମେଳା ଆରମ୍ଭ, ରୋଶଣିରେ କମ୍ପିଲା ରାଣୀ ହଂସପୁର ଯାତ୍ରା

ଖଣ୍ଡଗିରି: ଆଜିଠାରୁ ଆରମ୍ଭ ହୋଇଛି ମହା କୁମ୍ଭମେଳା। ସାଧୁସନ୍ଥମାନେ ଖଣ୍ଡଗିରି ପାହାଡ଼ରେ ତପ ସାଧନା ଆରମ୍ଭ କରି ଦେଇଛନ୍ତି। ଅସ୍ଥାୟୀ ମଠମାନଙ୍କରେ ଅଖଣ୍ଡ ନାମଯଜ୍ଞ ଚାଲିଛି। ମା’ ବାରଭୁଜାଙ୍କ ପୀଠରେ ଆରମ୍ଭ ହୋଇଛି ବିଶ୍ବଶାନ୍ତି ମହାଯଜ୍ଞ। ସେହିଭଳି କେଉଁ ମଠରେ ରାମ ଚରିତ ମାନସ ଓ ପାରାୟଣ ମଧ୍ୟ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଯଜ୍ଞ ବନ୍ଦ ରହିଥିବାବେଳେ ଚାଲିଛି ଭଜନ କୀର୍ତ୍ତନ। ଆଜି ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଖଣ୍ଡଗିରି ପାହାଡ଼ରେ ସାଧୁସନ୍ଥମାନଙ୍କ ଦର୍ଶନ କରିବା ସହ ସୂର୍ଯ୍ୟ ଆରାଧନା କରିଛନ୍ତି। ବିଧି ଅନୁସାରେ ଆଜି ସନ୍ଧ୍ୟାରେ ପ୍ରଭୁ ଅନନ୍ତ କେଶରୀଙ୍କ ରାଣୀ ହଂସପୁର ଯାତ୍ରା ମହା ସାମରୋହରେ ଅନୁଷ୍ଠିତ ହୋଇଛି। ଜାଗମରା ଗାଁ ନାଗା ମଠରୁ ପ୍ରଭୁଙ୍କୁ ସୁସଜ୍ଜିତ ବିମାନରେ ଉଦୟଗିରି ପାହାଡ଼ ରାଣୀଗୁମ୍ଫାକୁ ନିଆଯାଇଥିଲା। ଏକ ବିଶାଳ ପଟୁଆରରେ ଠାକୁରଙ୍କୁ ନିଆଯାଇଥିଲା। ବାଜା ବାଣ ଓ ଶୋଭାଯାତ୍ରା‌ରେ ପ୍ରଭୁ ଅନନ୍ତକେଶରୀ ରାଣୀ ହଂସପୁରକୁ ଯାଇଥିଲେ। ଚଳିତ ବର୍ଷ ପ୍ରଭୁଙ୍କ ଏହି ଯାତ୍ରା ପାଇଁ ୩ଟି ବାଣୁଆ ଦଳ ମଧ୍ୟରେ ଅଘୋଷିତ ବାଣ ଫୁଟା ପ୍ରତିଯୋଗିତା ହୋଇଥିଲା। ଗଛ ବାଣଠାରୁ ଆରମ୍ଭ କରି ହାବେଳି ପର୍ଯ୍ୟନ୍ତ ସବୁ ବାଣ ବେଶ୍ ଆକ‌ର୍ଷଣୀୟ ହୋଇଥିଲା। ରାଣୀ ହଂସପୁରରେ ପୂଜାର୍ଚ୍ଚନା ଓ ଚାପ କ୍ରୀଡ଼ା ଭଳି କାର୍ଯ୍ୟକ୍ରମରେ କିଛି ସମୟ ବିତାଇବା ପରେ ପୁଣି ବିଳମ୍ବିତ ରାତିରେ ପ୍ରଭୁ ନାଗା ମଠକୁ ଫେରି ଆସିଥିଲେ।

ଧଉଳି ରୋପ-ୱେ ଓ ଖଣ୍ଡଗିରି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ହେବ
ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ଯେ ଧଉଳି ରୋପ-ୱେ ପାଇଁ ରାଜ୍ୟ ସରକାର ୧୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏ ସଂକ୍ରାନ୍ତୀୟ ଟେଣ୍ଡର ଅନୁମୋଦନ ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ଯାଇଛି। ସେହିଭଳି ବିନ୍ଦୁସାଗର ପୁଷ୍କରିଣୀ ସଫେଇ ପାଇଁ ପାଇପ୍ କାମ ଆରମ୍ଭ ହୋଇ ସାରିଛି। ଶିଶୁପାଳଗଡ଼ ପର୍ଯ୍ୟନ୍ତ ପାଇପ୍ କାମ ହୋଇ ସାରିଲାଣି ଓ ଏହା ମଧ୍ୟ ଖୁବ୍ ଶୀଘ୍ର ସରିବ। ବହୁ ପ୍ରତୀକ୍ଷିତ ଖଣ୍ଡଗିରି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ପାଇଁ ରାଜ୍ୟ ସରକାର ଆଇଟିଡିସି ନିକଟରେ ୫ କୋଟି ଟଙ୍କା ଅର୍ଥ ଜମା କରି ସାରିଛନ୍ତି ବୋଲି ସେ କହିଥିଲେ। ମାତ୍ର ଅନିର୍ବାଯ୍ୟ କାରଣ ଦୃଷ୍ଟିରୁ ଦୁଇ ଦୁଇ ଥର ଟେଣ୍ଡର ବାତିଲ୍ ହୋଇଥିଲା। କିନ୍ତୁ ଏଥର ଟେଣ୍ଡର ପାଇଁ ସମସ୍ତ ପ୍ରକ୍ରିୟା ସରିଛି ଓ ଟେଣ୍ଡର ସରିବା ପରେ ମେ ମାସ ସୁଦ୍ଧା କାମ ଆରମ୍ଭ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ।

ସମ୍ବନ୍ଧିତ ଖବର