‘ପ୍ରାଥମିକ ଶିକ୍ଷା ସୁଦୃଢ଼ ହେଲେ ସମାଜର ପରିବର୍ତନ ସମ୍ଭବ’

ଖୁଣ୍ଟିଆବାଣପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ

କଣାସ : ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଦୃଢ଼ ହେଲେ, ରାଜ୍ୟ ତଥା ଦେଶର ବିକାଶ ସମ୍ଭବ ହୋଇପାରିବ ବୋଲି ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଖୁଣ୍ଟିଆବାଣପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ଓ କିଶାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବରେ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଲେ, ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ। ସେ ହିଁ ଆମ ସମସ୍ତଙ୍କ ଭଲମନ୍ଦର ନିଷ୍ପତ୍ତି ନିଅନ୍ତି। କିଏ ବାପା ହେବ, କିଏ ମା’ ହେବ ସେ ନିଷ୍ପତ୍ତି ମଧ୍ୟ ଈଶ୍ୱର ନିଅନ୍ତି। ବାପା ଓ ମା’ ହେଲେ ସେହି ଈଶ୍ୱରଙ୍କ ପ୍ରତିନିଧି। ଯିଏ ବାପା-ମାଙ୍କୁ ସମ୍ମାନ ଜଣାଏ, ସେ ଈଶ୍ୱରଙ୍କୁ ମଧ୍ୟ ସମ୍ମାନ ଜଣାଏ। ବାପା ଓ ମା’ଙ୍କୁ ଅବହେଳା କରିବା ନାହିଁ। ଯିଏ ଅବହେଳା କରିବ ସେ ଭବିଷ୍ୟତରେ ବଡ଼ ମଣିଷ ହୋଇପାରିବ ନାହିଁ। ବାପା ଓ ମାଙ୍କୁ ଯିଏ ଖୁସି କରିପାରିବ ସେ ଜୀବନରେ ଅନେକ ସଫଳତା ପାଇପାରିବ। ଭଗବାନ ମଣିଷକୁ ଦେଇଥିବା ୪ଟି ଯନ୍ତ୍ର ପାଟି, କାନ, ହାତ ଓ ଆଖିକୁ ସର୍ବଦା ସତ୍‌ ଉପାୟରେ ବ୍ୟବହାର କରାଯିବା ଉଚିତ। ଏହାଦ୍ୱାରା ଖରାପ ଲୋକଙ୍କ ସଂଖ୍ୟା ହ୍ରାସ ପାଇ ସମାଜ ଅଧିକ ସୁସ୍ଥ ଓ ବିକଶିତ ହୋଇପାରିବ। ସେ କହିଥିଲେ, ଶିକ୍ଷକମାନଙ୍କ ଆନ୍ଦୋଳନ ସପକ୍ଷରେ ସେ ରହିଛନ୍ତିି। କିନ୍ତୁ ଦରମା ସହିତ ପାଠପଢାକୁ ଗୁରୁତ୍ୱ ଦେବା ଆବଶ୍ୟକ। ଶିକ୍ଷକ ଶିକ୍ଷୟତ୍ରୀମାନେ ଭାବିବା ଦରକାର ପ୍ରାଥମିକ ଶିକ୍ଷା ହେଲା ସମସ୍ତଙ୍କର ମୂଳଦୁଆ। ପ୍ରାଥମିକ ଶିକ୍ଷା ସଦୃଢ ହେଲେ ସମାଜର ପରିବର୍ତନ ସମ୍ଭବ ହେବ। ଶ୍ରେଣୀଗୃହ, ଶିକ୍ଷକ ଅଭାବ ଆଦି ବିଭିନ୍ନ ଅସୁବିଧା ମଧ୍ୟରେ ବିଦ୍ୟାଳୟଗୁଡ଼ିକ ଗତି କରୁଛି। ଏହାର ସମାଧାନ ପାଇଁ ସବୁ ସ୍ତରରେ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଗଣେଶ୍ୱର ବେହେରା କହିଲେ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ନିହାତି ଦରକାର। ଏହା ହେଲେ ଶିକ୍ଷାର ଉନ୍ନତି ସମ୍ଭବ ହୋଇପାରିବ। ସେହିପରି ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଲେ, ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡୁଛି। ଏଥିପ୍ରତି ସରକାର ଦୃଷ୍ଟିଦେବା ଦରକାର। ଡାକ୍ତର ସୁଦର୍ଶନ ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ, ବିଜେପି ନେତା ଓମ୍‌ ପ୍ରକାଶ ମିଶ୍ର, ବିଜେପି ନେତ୍ରୀ ଉପାସନା ମହାପାତ୍ର, ‘ସୁବାର୍ତା’ର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ, ପୁରୀ ପୌରାଧ୍ୟକ୍ଷ ଜୟନ୍ତ ଷଡଙ୍ଗୀ, ଯୁଧିଷ୍ଠିର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମଙ୍ଗରାଜ ବିବରଣୀ ପାଠ କରିଥିଲେ। ସିଆରସିସି ଲମ୍ବୋଦର ବେହେରା ମଂଚ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର