ଉତ୍ତର ପୁରୁଷର ନାଟକ ପରିକ୍ରମା: ମଞ୍ଚସ୍ଥ ହେଲା ‘କୋମା’

ଭୁବନେଶ୍ବର: ଜୀବନ ଈଶ୍ବରଙ୍କର ଅନବଦ୍ୟ ସୃଷ୍ଟି। ଜୀବନ ଥିବା ପର୍ଯ୍ୟନ୍ତ ଦେହ କ୍ରିୟାଶୀଳ ଓ ମନ ସକ୍ରିୟ ରୁହେ। ଚେତନାର ଅନୁପସ୍ଥିତିରେ ଦେହ ପାଲଟିଯାଏ ଜଡ଼। ପ୍ରଶ୍ନ ଉଠେ, ମଣିଷ କୌଣସି କାରଣରୁ ଯଦି କୋମାକୁ ଚାଲିଯାଏ, ଜୀବନ କ’ଣ ଅସ୍ତିତ୍ବ ହରାଇ ବସେ? ନିଃଶ୍ବାସ ପ୍ରଶ୍ବାସ ଚାଲୁଥିବା ଅଚଳ ଦେହଟିଏ ଖାଲି ପଡ଼ି ରୁହେ? ନା ମନ ଓ ଇନ୍ଦ୍ରିୟମାନେ ସେଥିରେ ସୂକ୍ଷ୍ମ ଭାବେ କ୍ରିୟାଶୀଳ ହୋଇଥା’ନ୍ତି। ଭାବପ୍ରବଣତାର ଲୁହ, କୋହ ଓ ଇନ୍ଦ୍ରିୟଜନିତ ଅଭିପ୍ସା ଓ ଅଭାବବୋଧଗୁଡ଼ିକ ଅନ୍ୟାନ୍ୟ ଜୈବ ପ୍ରକ୍ରିୟା ପରି ନିଜ ପ୍ରଭାବ ବିସ୍ତାର କରନ୍ତି। ଅବିବାହିତା ଯୁବତୀଟିଏ କୋମାରେ ଥିଲେ ବି ତା’ ମନ ଓ ଭାବପ୍ରବଣତାର ଗ୍ରନ୍ଥି ସବୁ କିପରି ସ୍ବପ୍ନ ଓ ଅଭିଳାଷଗୁଡ଼ିକୁ ଚରିତାର୍ଥ କରିବାକୁ ବ୍ୟାକୁଳ ହୁଏ, ତାହା ଆଜି ନାଟକ ‘କୋମା’ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ। ନାଟ୍ୟାନୁଷ୍ଠାନ ଉତ୍ତର ପୁରୁଷ ପକ୍ଷରୁ ଆୟୋଜିତ ନାଟକ ପରିକ୍ରମାର ତୃତୀୟ ଦିନରେ ମଞ୍ଚସ୍ଥ ଏହି ନାଟକର ରଚନା ଅଧ୍ୟାପକ ମନୋଜ ରଥ କରିଥିଲେ। ନି‌ର୍ଦ୍ଦେଶନା ଦେଇଥିଲେ ରାସବିହାରୀ ବେହେରା। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ନାଟ୍ୟସଂଘର ସଭାପତି ହରେନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ତର ପୁରୁଷର ସଭାପତି ଗୌରୀଶ୍ୟାମ ମହାପାତ୍ର ଓ ଦେବଦତ୍ତ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର