କୋଭିଡ୍‌-୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ

ଭୁବନେଶ୍ବର: କୋଭିଡ୍‌-୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ (ସିଆଇଏଫଏଫ-୨୦୨୦) ଶେଷ ହୋଇଛି। ଅନଲାଇନରେ ପ୍ରଦର୍ଶିତ ଏହି ପ୍ରଦର୍ଶନୀରେ କରୋନା ସଂକ୍ରାନ୍ତ ୧୦୦ରୁ ଅଧିକ ପ୍ରାମାଣିକ ଚଳଚ୍ଚିତ୍ର ଦେଖାଯାଇଥିଲା। ବିଭିନ୍ନ ଦେଶରେ କରୋନାକାଳୀନ ସମସ୍ୟାକୁ ‌ନେଇ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ପ୍ରଦର୍ଶିତ ହେବା ସହ ଭାବର ଆଦାନ ପ୍ରଦାନ ହୋଇଥିଲା। ଭାରତ ସମେତ ଇରାନ, ଆଫଗାନିସ୍ତାନ, ଫ୍ରାନ୍ସ, ପର୍ତ୍ତୁଗାଲ, ଇଟାଲି, ନରୱେ, ଆମେରିକା, କଙ୍ଗୋରୁ ଫିଲ୍ମ ଆସିଥିଲା।

ସୁବୋଧ ପାଣ୍ଡେ ଓ ହର୍ଷବର୍ଧନ ବ୍ୟାସଙ୍କ ନିର୍ମିତ ଚଳଚ୍ଚିତ୍ର ‘ସି+’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସ୍ବର୍ଣ୍ଣ ଅଶୋକ ପୁରସ୍କାର ଜିତିଛି। ‘ମାଇ ମମ୍‌’ ପାଇଁ ରାକେଶ ମୋୟରାଙ୍ଗେଥେମ ଓ ‘ସେଡ୍‌ସ ଅଫ ଫୋର ୱାଲ’ ପାଇଁ ଏସ୍‌.ସି ବ୍ରହ୍ମଲାଲଙ୍କୁ ଶ୍ରେଷ୍ଠ ନିର୍ଦେଶକ, ‘ସମ୍ଭାବନା’ ପାଇଁ ଆୟୁଷ ଜେନାଙ୍କୁ ‌ଶ୍ରେଷ୍ଠ ସିନେମାଟୋଗ୍ରାଫର, ଟୁଟୁ ଲାଇମାୟୁନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ପ୍ରତୀକ ଅର୍ଣ୍ଣବଙ୍କୁ ଶ୍ରେଷ୍ଠ ଡେବ୍ୟୁ ଅଭିନେତା, ଅଦ୍ରିଜା ବନ୍ଦୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ, ଟିର୍ଣ୍ଣା ଓ ଟାଟାଇଙ୍କୁ ଶ୍ରେଷ୍ଠ ସମ୍ପାଦନା, ଅନୁଷ୍କା ପ୍ରିୟଦର୍ଶିନୀ, ମନୀଷ ନାୟକ, ପ୍ରିୟାଂଶୁ ପରିଡ଼ାଙ୍କୁ ଶ୍ରେଷ୍ଠ ଡେବ୍ୟୁ ନିର୍ଦେଶକ, ତାଜିନ କ୍ୟୁରେସିଙ୍କ ‘କରୋନା ୱାରିୟର’ ଏବଂ ‘କୋଭିଡ୍ ୧୯: ଦି କ୍ରିମିଙ୍ଗ ସନ୍‌’କୁ ଶ୍ରେଷ୍ଠ ପ୍ରାମାଣିକ ଚିତ୍ର ଭାବେ ପୁରସ୍କୃତ କରାଯାଇଛି। ଫ୍ରାନ୍ସର ମାରିଆନେ ବୋର୍ଗୋ, ଏମ ମଣିରାମ, ଆଫଗାନିସ୍ତାନର କୁଦରତଉଲା ତାଗଭି ଓ କୋଙ୍ଗୋର ରିଚାର୍ଡ ବିଚାରକ ଭାବେ ଫିଲ୍ମ ଦେଖିଥିଲେ। ଅନଲାଇନରେ ପ୍ରଦର୍ଶିତ ଏହି ଚଳଚ୍ଚିତ୍ର ପ୍ରଦର୍ଶନୀକୁ ସିଆଇଏଫଏଫ-୨୦୨୦ର ସଦସ୍ୟ ସତ୍ୟବ୍ରତ ଜେନା, ଜଗନ୍ନାଥ ପାଣି, ଭି.ଭି ମହେଶ୍ବର ରାଓ ଓ ବିଭାଶ ବନ୍ଦୋପାଧ୍ୟାୟ ପ୍ରମୁଖ ପରିଚାଳନା କରିଥିଲେ। ପି.ଶ୍ରୀନିବାସ ରାଓ, ମହମ୍ମଦ ଜୁନେଦ ସାଲିନ ଓ କିରନ ପଞ୍ଜାବୀ ବୈଷୟିକ ସହାୟତା ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର