ଯାଁଳା ଫାଣ୍ଡି ଅନ୍ତର୍ଗତ ଅରିଶଲରେ କରୋନା ଆତଙ୍କ ଖେଳାଇଛି ରାଜ୍ୟ ବାହାର ଶ୍ରମିକଙ୍କ ଶିବିର

ଖଣ୍ଡଗିରି : ଯାଁଳା ଫାଣ୍ଡି ଓ ଛତାବର ପଞ୍ଚାୟତ ଅନ୍ତର୍ଗତ ଅରିଶଲ ଅଞ୍ଚଳରେ କରୋନା ଆତଙ୍କ ଖେଳି ଯାଇଛି। ରାଜ୍ୟ ବାହାରର ଶ୍ରମିକମାନେ ରହୁଥିବା ଏକ ଅସ୍ଥାୟୀ ଶ୍ରମିକ ଶିବିରକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଟ୍ରେନ୍‌ରେ ଯାତାୟାତ କରୁଥିବା ଏହି ଶ୍ରମିକମାନେ କରୋନା ଭୂତାଣୁ ବ୍ୟାପିବାର କାରଣ ହୋଇପାରନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

୧୬ ନମ୍ବର ଜାତୀୟ ରାଜପଥ ଗୋହିରା ଛକରୁ ଛତାବରକୁ ଲମ୍ବିଥିବା ରାସ୍ତାର ମଦନପୁର ଓ ଅରିଶଲ ମଧ୍ୟଭାଗରେ ଏକ ଘରୋଇ ରିୟଲ୍‌ ଇଷ୍ଟେଟ୍‌ ସଂସ୍ଥାର ବିଶାଳ ପ୍ରକଳ୍ପ ଚାଲିଛି। ଏହି ପ୍ରକଳ୍ପରେ ରାଜ୍ୟ ବାହାର ପ୍ରାୟ ୫ ଶହ ଶ୍ରମିକ କାମ କରୁଛନ୍ତି। ସେମାନଙ୍କୁ ସେଠାରେ ଏକ ଅସ୍ଥାୟୀ ଶିବିରରେ ରଖାଯାଇଛି। ଏହି ଶ୍ରମିକମାନେ ଆବଶ୍ୟକତା ଅନୁସାରେ ନିଜ ଘରକୁ ଯାଇ ପୁଣି ଫେରୁଛନ୍ତି। ସେମାନେ ସାଧାରଣତଃ ଟ୍ରେନ୍‌ ଯୋଗେ ଯାତାୟାତ କରୁଥିବାବେଳେ ଇଂଜିନିୟର ଓ ଅନ୍ୟାନ୍ୟ ଅଧିକାରୀମାନେ ବିମାନରେ ଯାତ୍ରା କରୁଛନ୍ତି। ତେଣୁ ସେମାନେ କରୋନା ଭୂତାଣୁ ବାହକ ହୋଇଥିବା ସ୍ଥାନୀୟ ଲୋକଙ୍କ ସନ୍ଦେହ। ସ୍ଥାନୀୟ ଅରିଶଲ, ହରେକୃଷ୍ଣପୁର, ଦୁର୍ଗାପୁର, ହରପୁର ଆଦି ଗାଁର ଲୋକମାନଙ୍କ କହିବା କଥା ରାଜ୍ୟ ସରକାର ସ୍କୁଲ କଲେଜ ଓ ଛାତ୍ରାବାସ ବନ୍ଦ କଲେ। ଏମିତିକି ପିଲାଙ୍କ ପରୀକ୍ଷା ବି ବାତିଲ କରାଯାଇଛି।

ପରିତାପର କଥା ଗାଁ ଗାଁର ପ୍ରାଚୀନ ପରମ୍ପରା ଦୋଳ ମେଳଣ ବି ବନ୍ଦ ହୋଇଯାଇଛି। ଅଧିକ ଲୋକଙ୍କ ଏକତ୍ରୀକରଣ ଉପରେ ‌ପ୍ରତିବନ୍ଧକ ଲଗାଇବାକୁ ଯାଇ ସରକାର ଏହି କଟକଣା ସବୁ ଲାଗୁ କରିଛନ୍ତି। ତେଣୁ ଏହି ଅସ୍ଥାୟୀ ଶିବିର ମଧ୍ୟ ଖାଲି ହେବା ଜରୁରି। ଏ ନେଇ ସ୍ଥାନୀୟ ପୁଲିସ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଏଭଳି ନିର୍ଦ୍ଦେଶ ବା ନିୟମ ବାବଦରେ କିଛି ନିଷ୍ପତ୍ତି ନିଆଯାଇନାହିଁ। ତେଣୁ ଲୋକମାନେ ଏହି ଶିବିର ବନ୍ଦ କରିବାକୁ ଚାହୁଁଥିଲେ, ସେମାନେ ଉପଯୁକ୍ତ ଫୋରମ୍‌ରେ ଦାବି କରିବା ଉଚିତ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର