ବର୍ଦ୍ଧିତ ହୋଲ୍‌ଡିଂ ଟିକସ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଉ: ନିରଞ୍ଜନ

ଭୁବନେଶ୍ୱର : ବର୍ଦ୍ଧିତ ହୋଲ୍‌ଡିଂ ଟ୍ୟାକ୍ସକୁ ସ୍ଥଗିତ ରଖିବା ପରିବର୍ତ୍ତେ ରାଜ୍ୟ ସରକାର ପୂରା ପ୍ରତ୍ୟାହାର କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ଟିକସ ଆଦାୟକୁ ସ୍ଥଗିତ ରଖାଗଲା ବୋଲି ଆଜି ବିଭାଗୀୟ ମନ୍ତ୍ରୀ ଘୋଷଣା କରିବା ପରେ ପିସିସି ସଭାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ଉଠାଇଛନ୍ତି।

ଶ୍ରୀ ପଟ୍ଟନ‌ାୟକ କହିଛନ୍ତି ଯେ ସ୍ମାଟ୍‌ ସିଟିର ମାନ୍ୟତା ପାଇବା ପରେ ଏବଂ ୧୫୦ରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ବି ସହରର ରାସ୍ତା, ଡ୍ରେନ୍‌ ଓ ପରିମଳ ବ୍ୟବସ୍ଥାରେ ଥିବା ସମସ୍ୟାର ଅନ୍ତ ହୋଇନାହିଁ। ଏଣେ ସରକାର କେବଳ ଟିକସ ବୋଝ ଲଦିବାରେ ଲାଗିଛନ୍ତି। ୨୦୨୦ ଜୁନ୍‌ ୧୦ରେ ଓଡ଼ିଶା ଉଚ୍ଚ ନ୍ୟାୟଳୟ କେସ୍‌ ନଂ ୪୩୫୩/୨୦୨୦ରେ ହୋଲ୍‌ଡିଂ ଟ୍ୟାକ୍ସର ୫୦% ଆଦାୟ କରାଯିବ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଥିଲା ଯେ ଉଭୟ ପକ୍ଷଙ୍କ ଅଧିକାର ଏବଂ ତାଙ୍କର ସ୍ୱାର୍ଥକୁ ରକ୍ଷା କରି ଏହା ଆଦାୟ କରାଯାଇପାରିବ। କିନ୍ତୁ ଏବେ ବିଏମ୍‌ସି ସେହି ନିର୍ଦ୍ଦେଶକୁ ବେଖାତିର କରି ଜୋର୍‌ ଜବରଦସ୍ତ ଲୋକଙ୍କ ପାଖରୁ ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି। ଆଜିର ବିଜୟ ରାଜଧାନୀବାସୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଏବଂ ସମସ୍ତ କର୍ମକର୍ତାଙ୍କର ବିଜୟ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର