ପାଣି ପାଇଁ ପେଟ୍ରୋଲ୍‌ ପମ୍ପରେ ଭିଡ଼

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖପୁର ଅଞ୍ଚଳବାସୀଙ୍କ ଲାଗି ପିଇବା ପାଣି ଏବେ ଅମୂଲମୂଲ ହୋଇଛି। ବାତ୍ୟା ପରଠାରୁ ଲୋକଙ୍କୁ ପିଇବା ପାଣି ଦୂରର କଥା ଶୌଚ ପାଇଁ ପାଣି ମିଳୁନି। ସବୁଠି ହାହାକାର ପରିସ୍ଥିତି। ସକାଳ ହେବା କ୍ଷଣି ପାଣି ପାଇଁ କିଏ ପୋଖରୀ ମୁହାଁ ହେଉଛନ୍ତି ତ ଆଉ କିଏ ବାଲଟି ଧରି ପାଣି ଟାଙ୍କି ସମ୍ମୁଖରେ ଲମ୍ବା ଲାଇନ୍‌ରେ ଛିଡ଼ା ହେଉଛି। କୌଣସି ସ୍ଥାନରେ ଯଦି ପାଣି ପାଇପ୍‌ ଲିକ୍‌ ହେଉଛି ସେଠାରୁ ପାଣି ସଂଗ୍ରହ କରିବାକୁ ପଛାଉ ନାହାନ୍ତି ଲୋକେ। ଏପରିକି କାର, ଅଟୋ, ଟ୍ରକ୍‌ ଭଡ଼ା କରି ଲୋକେ ପାଣି ନେଉଥିବା ଦେଖିବାକୁ ମିଳୁଛି। କେତେକ ଲୋକ ପରିବାର ସହ ଅଟୋରେ ଆସି ଡ୍ରମରେ ପାଣି ନେଉଛନ୍ତି।

ସବୁଠାରୁ ବଡ଼ ବିଚିତ୍ର କଥା ଦେଖିବାକୁ ମିଳୁଛି ଚନ୍ଦ୍ରଶେଖରପୁର ଭାରତ ପେଟ୍ରୋଲିୟମ୍‌ ପମ୍ପ‌ରେ। ଗାଡ଼ି ଚାଳକମାନେ ‌ଡିଜେଲ୍‌, ପେଟ୍ରୋଲ ଓ ଗ୍ୟାସ୍‌ ଭର୍ତ୍ତି କରିବା ଲାଗି ଯେଉଁଭଳି ଧାଡ଼ିରେ ଛିଡ଼ା ହେଉଛନ୍ତି ପାଣି ପାଇଁ ବି ସେଭଳି ଲମ୍ବା ଲାଇନ୍‌ ଲାଗିଛି। ପେଟ୍ରୋଲ୍‌ ପମ୍ପ ପରିସରରେ ଥିବା ଏକ ପାଣି ଟାଙ୍କିରୁ ‌ଲୋକେ ପାଣି ନେଉଛନ୍ତି। ଏଥିପାଇଁ ସକାଳୁ ଲମ୍ବା ଲାଇନ୍‌ ଲାଗୁଛି। ଅନ୍ୟପକ୍ଷରେ ଶିଖରଚଣ୍ଡୀ ଓ ସାଇକୃପା ବସ୍ତିବାସିନ୍ଦା ଆଜି ପା‌ଣି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ସକାଳ ୮ଟାରୁ ୧୧ ପର୍ଯ୍ୟନ୍ତ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ପାର୍ଶ୍ବରେ ଥିବା ଆରଟିଓ-୨ କାର୍ଯ୍ୟାଳୟ ସମ୍ମୁଖରେ ବସ୍ତି ବାସିନ୍ଦା ରାସ୍ତାରୋକ କରିଥିଲେ। ପ୍ରାୟ ଦୁଇ ଶହ ପୁରୁଷ ଓ ମହିଳା ହାତରେ ବାଲଟି, ମାଠିଆ ଧରି ରାସ୍ତାରୋକ କରିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ଇନଫୋସିଟି ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଜଳଯୋଗାଣ ବିଭାଗ ସହ ଆଲୋଚନା କରିଥିଲେ। ଦୁଇ ଟ୍ୟାଙ୍କର ପିଇବା ପାଣି ସାହିରେ ପହଞ୍ଚାଇବା ପରେ ଲୋକମାନେ ରାସ୍ତା ଅବରୋଧରୁ ଓହରିଥିଲେ।

ସମ୍ବନ୍ଧିତ ଖବର