ଲିଙ୍ଗରାଜ ମାର୍କେଟ୍‌ ବିବାଦ ତୁଟିଲା : ଆୟ ୫୦-୫୦ ହେବ, ଅଧା ନେବେ ଶ୍ରୀଲିଙ୍ଗରାଜ, ଅଧା ବିଏମ୍‌ସିର

ଭୁବନେଶ୍ବର : ଶ୍ରୀଲିଙ୍ଗରାଜଙ୍କ ଜମିରେ ନିର୍ମାଣ ହୋଇଥିବା ନୂଆ ଲିଙ୍ଗରାଜ ମାର୍କେଟ୍‌କୁ ନେଇ ଉପୁଜିଥିବା ବିବାଦର ସମାଧାନ ଆପୋସ ଆଲୋଚନା ମାଧ୍ୟମରେ ହୋଇପାରିଛି। ଶ୍ରୀଲିଙ୍ଗରାଜଙ୍କ ଜମିରେ ପର୍ଯ୍ୟଟନ ବିଭାଗ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରିବା ସମୟରେ ପାଟି ଫିଟାଇ ନ ଥିବା ଦେବୋତ୍ତର ବିଭାଗ ଏହାର ଦୋକାନ ଗୃହ ଆବଣ୍ଟନ ବେଳେ କେଁ ପୂରାଇଥିଲା। ଏପରିକି ଏହି ମାର୍କେଟ କମ୍ପ୍ଲେକ୍ସର ଆୟ ବଣ୍ଟାକୁ ନେଇ ବିଏମ୍‌ସି ଓ ଦେ‌ବୋତ୍ତର କମିସନଙ୍କ ମଧ୍ୟରେ ଦୀର୍ଘ ଦିନ ଟଣାଓଟରା ଲାଗିବା ପରେ ଉଭୟ ପକ୍ଷଙ୍କ ସହମତିରେ ଏହା ସମାଧାନ ହୋଇଛି।

ଲିଙ୍ଗରାଜ ମାର୍କେଟ୍‌ କମ୍ପ୍ଲେକ୍ସରୁ ଆୟର ୭୦% ଶ୍ରୀଲିଙ୍ଗରାଜ ମନ୍ଦିର ଏବଂ ବିଏମ୍‌ସି ୩୦% ନେବ ବୋଲି ଦେବୋତ୍ତର କମିସନ ଜିଦ୍‌ ଧରିଥିବାରୁ ବିବାଦ ହୋଇଥିଲା। ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ‌ଯେ ମାର୍କେଟ୍‌ କମ୍ପ୍ଲେକ୍ସ ଆୟର ଅଧା ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ନେବ, ଆଉ ଅଧା ବିଏମ୍‌ସି ନେବ। ମନ୍ଦିର ଜମିରେ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲେ ହେଁ ଏହାର ରକ୍ଷଣାବେକ୍ଷଣ, ମରାମତି, ଅଳିଆ ଉଠାଇବା, ନିୟମିତ ସଫେଇ କରିବା, ଆଲୋକୀକରଣ କରିବା କାର୍ଯ୍ୟ ବିଏମ୍‌ସିର। ଏହା ବାବଦକୁ ଅଧିକ ଅର୍ଥ ଆବଶ୍ୟକ ଥିବାରୁ ବିଏମ୍‌ସି ଅଧା ଆୟ ନେବ।

ଏହି ବିବାଦର ସମାଧାନ ପାଇଁ ଆଜି ପୂର୍ବାହ୍ନରେ କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପର୍ଯ୍ୟଟନ ବିଭାଗ ଏବଂ ଦେବୋତ୍ତର ବିଭାଗର କମିସନର, ଏଡିଏମ୍ ଭୁବନେଶ୍ୱର ଏବଂ ବିଏମ୍‌ସିର ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି ବିବାଦ ତୁଟିବା ପରେ ଏହି ମାର୍କେଟ କମ୍ପ୍ଲେକ୍ସରେ ଥିବା ୫୮ଟି ଦୋକାନରୁ ୩୯ଟି ଲଟେରି ମାଧ୍ୟମରେ ଆବଣ୍ଟନ ହୋଇଛି। ଏଠାରେ ଥିବା ମୋଟ୍‌ ୫୮ଟି ଦୋକାନରୁ ୨୯ଟି ତଳ ମହଲାରେ ଥିବା ବେଳେ ୨୯ଟି ପ୍ରଥମ ମହଲାରେ ରହିଛି। ଆବଣ୍ଟନ ପ୍ରକ୍ରିୟାରେ ପ୍ରଥମେ ପର୍ଯ୍ୟଟନ ବିଭାଗ ତରଫରୁ ଆଠଟି ଗୃହ ଚାରି ଜଣଙ୍କୁ ଆବଣ୍ଟନ ହୋଇଥିବା ବେଳେ ଦୁଇଟି ଦୋକାନ ଗୃହକୁ ଏଟିଏମ୍ ଏବଂ ଟିକେଟ୍ ନିମନ୍ତେ ମହଜୁଦ୍ ରଖାଯାଇଛି। ତେଣୁ ଅବଶିଷ୍ଟ ୪୮ଟି ମଧ୍ୟରୁ ୩୯ଟି ପାଇଁ ଆଜିର ଲଟେରି କରାଯାଇଥିଲା।

ପ୍ରକାଶ ଥାଉକି, ୭୦ଜଣ ହିତାଧିକାରୀଙ୍କ ପ୍ରବେଶିକା ପ୍ରକ୍ରିୟା ଗତକାଲି ସମାପ୍ତ ହୋଇଛି। ସେମାନେ ସିକ୍ୟୁରିଟି ରାଶି ୫୦ ହଜାର ଟଙ୍କା ଅଗ୍ରୀମ ଦେବା ପରେ ସମାନ ଲଟେରି ପ୍ରକ୍ରିୟାରେ ସେମାନଙ୍କୁ ଉକ୍ତ ଦୋକାନ ଆବଣ୍ଟନ କରାଯିବ। ଆଉ ଦୁଇଜଣ ହିତାଧିକାରୀ ପ୍ରବେଶିକାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ସମୟ ନେଇଛନ୍ତି।

ଏହି ମାର୍କେଟ୍ କମ୍ପ୍ଲେକ୍ସରେ ଦୋକାନଗୁଡ଼ିକ ଆଧୁନିକ ଶୈଳୀରେ ନିର୍ମାଣ ହୋଇଛି। ଏଥିରେ ରୋଲିଙ୍ଗ୍ ସଟର, ଆଲୁମିନିୟମ୍ ଚ୍ୟାନେଲ୍ ଓ କାଚ କବାଟ, ବିଦ୍ୟୁତ୍ ଏବଂ ପଙ୍ଖା ଇତ୍ୟାଦିର ସୁବିଧା କରାଯାଇଛି। ପୂର୍ତ୍ତ ବିଭାଗର ପରାମର୍ଶରେ ଉକ୍ତ ଦୋକାନ ଗୃହଗୁଡ଼ିକରେ ମାସିକ ଭଡ଼ା ତଳ ମହଲା ପାଇଁ ବର୍ଗଫୁଟକୁ ୨୫.୫୯ଥିବା ବେଳେ ପ୍ରଥମ ମହଲା ପାଇଁ ଏହା ୨୨.୪୮ ଟଙ୍କା ରହିଛି।

ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିର ଉତ୍ତର ପୂର୍ବ କୋଣରେ ନୂଆ ଲିଙ୍ଗରାଜ ମାର୍କେଟ ନିର୍ମାଣ ହୋଇଥିବା ବେଳେ ଏହାର ମୂଳ ମାଲିକ ହେଉଛନ୍ତି ଶ୍ରୀଲିଙ୍ଗରାଜ ଅର୍ଥାତ ଦେବୋତ୍ତର ବିଭାଗ। ଏହି ମାର୍କେଟ ପାଇଁ ଦେବୋତ୍ତର ବିଭାଗର ଅନୁମତି ନିଆଯାଇ ନାହିଁ ବୋଲି ଦେବୋତ୍ତର ବିଭାଗ ରାଜ୍ୟ ସରକାର ଓ ଆଇନ ବିଭାଗକୁ ଚିଠି ଲେଖା ଯାଇଥିଲା। ଏହି ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଦେବୋତ୍ତର ବିଭାଗ ତତ୍ପର ହୋଇ ଉଠିଥିଲା। ମନ୍ଦିର ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ କ’ଣ ପଦକ୍ଷେପ ନେଇଛି ଏନେଇ ତର୍ଜମା କରାଯାଇଥିଲା।

ଅନ୍ୟପଟେ କିଛି ସେବାୟତ ଦେବୋତ୍ତର କମିସନରଙ୍କୁ ଭେଟି ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଠାକୁରଙ୍କ ଜମି ଉପରେ ଏହା ନିର୍ମାଣ ହୋଇଥିବାରୁ ମନ୍ଦିର ପରିଚାଳନା ପା‌ଇଁ ତଥା ଶ୍ରୀଲିଙ୍ଗରାଜଙ୍କୁ ଏହାର ଲାଭାଂଶ ନ ମିଳିଲେ ମାର୍କେଟ ଗେଟ୍‌ରେ ତାଲା ପକାଇବୁ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର