ଭେଟେରିନାରି କଲେଜରେ ତାଲା: ସ୍ଥାୟୀ ଡିନ୍‌ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପ୍ରାଣୀ ଚିକିତ୍ସା ବାଧାପ୍ରାପ୍ତ

ଖଣ୍ଡଗିରି: ସ୍ଥାୟୀ ଡିନ୍‌ ନିଯୁକ୍ତି ଦାବିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନ ଭେଟେରିନାରି କଲେଜ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମୁଖ୍ୟଫାଟକରେ ତାଲା ପକାଇ କଲେଜକୁ ବନ୍ଦ କରିବା ସହ ଶ୍ରେଣୀ ବର୍ଜନ କରିଛନ୍ତି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ପ୍ରାଣୀ ଚିକିତ୍ସା ଠପ୍ ହୋଇଛି। ଡିନ୍‌ ନିଯୁକ୍ତିକୁ ନେଇ ଲିଖିତ ନିର୍ଦେଶନାମା ପ୍ରକାଶ ନପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଅଡ଼ି ବସିଛନ୍ତି। କୁଳପତିଙ୍କ ପକ୍ଷରୁ ଧାରଣାରତ ଛାତ୍ରଛାତ୍ରୀମାନଙ୍କୁ ବୁଝାଶୁଝା କରାଯାଇଥିଲେ ମଧ୍ୟ କିଛି ଫଳ ମିଳି ନ ଥିବା ଜଣାପଡ଼ିଛି। ଛାତ୍ର ସଂସଦ ସଭାପତି ଅବିନାଶ ସାହୁଙ୍କ ଅଭିଯୋଗ କରିଛନ୍ତି ଯେ ଏବେ କୃଷି ବିଭାଗର ଜଣେ ଅଧ୍ୟାପକ ଡିନ୍ ଦାୟିତ୍ବ‌ରେ ରହିଛନ୍ତି। ଭେଟେରିନାରି ବିଭାଗର ଅଧ୍ୟାପକଙ୍କୁ ଏହି ଦାୟିତ୍ବ ଦିଆଯାଇନି। ଫଳରେ ପାଠପଢ଼ାଠାରୁ ଆରମ୍ଭ କରି ପ୍ରଶାସନିକ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି ହେଉଛି। ଦୀର୍ଘଦିନ ହେବ ଦାବି କରାଯାଉଥିଲେ ମଧ୍ୟ କୁଳପତି କର୍ଣ୍ଣପାତ କରୁନାହାନ୍ତି। ଦୀର୍ଘ ୬ ମାସ ହେଲା ଏହି ଦାବି ହେଉଛି। ଏଥର ସ୍ଥାୟୀ ଡିନ୍ ନିଯୁକ୍ତି ନ କଲେ ଧାରଣା ଜାରି ରହିବ। ଛାତ୍ରଛାତ୍ରୀଙ୍କ ଧାରଣା ଯୋଗୁଁ ଆଜି ପ୍ରାଣୀ ଚିକିତ୍ସା କେନ୍ଦ୍ର ବନ୍ଦ ରହିଥିଲା। ଗାଈଗୋରୁ ଓ କୁକୁର ଆଦି ନେଇ ଚିକିତ୍ସା କରିବାକୁ ଆସିଥିବା ଲୋକେ ଫେରିଥିଲେ। ଏମିତିକି ବନ ବିଭାଗ ଟିମ୍‌ ମଧ୍ୟ ଏକ ବନ୍ୟପ୍ରାଣୀ ଚିକିତ୍ସା କରାଇ ନପାରି ଫେରିଥିଲା। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓୟୁଏଟି ଅଧୀନ କୌଣସି ମହାବିଦ୍ୟାଳୟ ଡିନ୍‌ କୁଳାଧିପତି ତଥା ରାଜ୍ୟପାଳଙ୍କ ଦ୍ବାରା ନିଯୁକ୍ତି ହୋଇଥାନ୍ତି। ନିଯୁକ୍ତିରେ ବିଳମ୍ବ ହେଉଥିବାରୁ କୁଳାଧିପତିଙ୍କ ନିର୍ଦେଶକ୍ରମେ ସମ୍ପ୍ରସାରଣ ବିଭାଗ ଡିନ୍‌ ଭାରପ୍ରାପ୍ତ ଭାବେ କାର୍ଯ୍ୟ ତୁଲାଉଛନ୍ତି। କଲେଜରେ ସ୍ଥାୟୀ ଡିନ୍‌ ନିଯୁକ୍ତି ପାଇଁ କୁଳାଧିପତିଙ୍କ ନିକଟକୁ ଲେଖାଯାଇଛି। ନିର୍ଦେଶ ଆସିବା ପରେ ତାହାକୁ କାର୍ଯ୍ୟକାରୀ କରାଯିବ। ପିଲାମାନେ ତାଲା ପକାଇବା ନେଇ ପୂର୍ବରୁ ସୂଚନା ଦେଇଥିବାରୁ କୁଳପତି ଏନେଇ କୁଳାଧିପତିଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର