ଲକ୍‌ଡାଉନ୍‌କୁ ମାସେ ତଥାପି ଚେତୁନାହାନ୍ତି

ମାନୁନାହାନ୍ତି ଲକଡାଉନ୍, ମନଇଚ୍ଛା ଗାଡ଼ି ଧରି ବୁଲୁଛନ୍ତି
କୋହଳ ହେଉଛି ପୁଲିସ କାର୍ଯ୍ୟାନୁଷ୍ଠାନ
ଲୁଚାଛପା‌‌ରେ ଚାଲିଛି ଜଳଖିଆ, ଗୁଟଖା, ସିଗାରେଟ୍ ବେପାର

ଭୁବନେଶ୍ବର : କରୋନା ମୁକାବିଲା ଲାଗି ସାମାଜିକ ଦୂରତ୍ବ ସବୁଠୁ ବଡ଼ ଅସ୍ତ୍ର। କରୋନା ମୁକାବିଲାରେ ସରକାରଙ୍କ ରଣନୀତି ପାଇଁ ଓଡ଼ିଶା ପ୍ରଶଂସା ସାଉଁଟିଛି। କିନ୍ତୁ ଏହି ମାସକ ମଧ୍ୟରେ ବଜାର ଚିତ୍ର ବଦଳି ଯାଇଛି। ଓଡ଼ିଶାରେ ଲକ୍‌ଡାଉନ୍‌କୁ ମାସେ ପୂରିଥିବା ବେଳେ ଲୋକ ଅଧିକ ଅମାନିଆ ହୋଇଯାଇଛନ୍ତି। ରାସ୍ତାଘାଟରେ ମନଇଚ୍ଛା ଗାଡ଼ି ଧରି ବୁଲିବା ଆରମ୍ଭ କରି ଦେଲେଣି। ରାସ୍ତାଘାଟରେ ଲୋକଙ୍କ ସଂଖ୍ୟା ଯଥେଷ୍ଟ ବଢ଼ି ଗଲାଣି। କୌଣସି ଜରୁରୀ କାମରେ ନୁହେଁ, ବରଂ ଗାଡ଼ି ଧରି ବୁଲିବା ବାହାନା ହୋଇଗଲାଣି। ବଜାର ଗାଡ଼ି ସଂଖ୍ୟା ବି ବଢ଼ି ଗଲାଣି। ଗାଡ଼ିରେ ବ୍ୟାଗ୍‌ ଟାଙ୍ଗି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ବାହାନାରେ ବଜାରରେ ବୁଲିବା ଅଭ୍ୟାସ ହୋଇଗଲାଣି। ଆମିଷବାରରେ ବଜାର ସ୍ଥିତି ନ କହିବା ଭଲ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଆଉ ଦୂରତ୍ବ ନୁହେଁ, ଭିଡ଼ ଆରମ୍ଭ ହୋଇଗଲାଣି। କେହି ଆଉ ଲକ୍‌ଡାଉନ୍ ମାନିବା ପରିସ୍ଥିତିରେ ଯେମିତି ନାହାନ୍ତି। ରାଜ୍ୟର ଅଳ୍ପ କେତୋଟି ସ୍ଥାନକୁ ଛାଡ଼ିଦେଲେ, ବାକି ସବୁଆଡ଼େ ପୂରା ଖୋଲାମେଲା ପରିସ୍ଥିତି ସୃଷ୍ଟି ହୋଇଛି।

ବାଇକ୍‌ରେ ବ୍ୟାଗ୍ ଟାଙ୍ଗି ବଜାର ଯିବା ନିତିଦିନିଆ ଅଭ୍ୟାସ ହୋଇଗଲାଣି। ହାତଗଣତି ଦୋକାନକୁ ଛାଡ଼ି ଦେଲେ ବାକି ସବୁଠି ଲୋକଙ୍କର ଅସମ୍ଭାଳ ଭିଡ଼ ହେଉଛି। ପ୍ୟାକିଂ ତେଜରାତି ସାମଗ୍ରୀ ରଖି କସମେଟିକ୍‌ ଦୋକାନ ଖୋଲି ଦେଉଛନ୍ତି ଦୋକାନୀ। ଖାଲି କସମେଟିକ୍ ନୁହେଁ, ଗୁଟ୍‌ଖା, ସିଗାରେଟ୍ ଖୁଲମ୍‌ଖୁଲା ବିକ୍ରି ଚାଲିଛି। ଆଉ କିଛି ସ୍ଥାନରେ ଲୁଚାଛପାରେ ଖୋଲିଲାଣି ଜଳଖିଆ, ଚା’ ଦୋକାନ। ନିୟମିତ ଗ୍ରାହକ ସେଠାରେ ପହଞ୍ଚି ଯାଉଛନ୍ତି। ସାମାଜିକ ଦୂରତ୍ବ କଥା ଲୋକେ ଯେମିତି ଭୁଲି ଗଲେଣି। ପ୍ରଶାସନ ପକ୍ଷରୁ ଯେତେ କଟକଣା, ସଚେତନ କରାଗଲେ ମଧ୍ୟ ଲୋକ ମାନିବାକୁ ନାରାଜ। କରୋନା ପ୍ରଭାବ କମି ନଥିବା ବେଳେ ଲକ୍‌ଡାଉନ୍‌କୁ ପାଳନ ନ କଲେ ଆଗକୁ ବିପଦ ବଢ଼ିବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ପୁଲିସ କାର୍ଯ୍ୟାନୁଷ୍ଠାନ ଧୀରେଧୀରେ କୋହଳ ହେବାରେ ଲାଗିଥିବା ଅନୁମାନ କରାଯାଉଛି। ଲକ୍‌ଡାଉନ୍ ଆଇନ ଉଲ୍ଲଂଘନ ମାମଲା ସଂଖ୍ୟା ଧୀରେଧୀରେ କମିବା‌ରେ ଲାଗିଛି। ଗତ କିଛି ଦିନ ଅଳ୍ପସଂଖ୍ୟକ ମାମଲା ରୁଜୁ ହେଉଛି। ୧୭ ତାରିଖରୁ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ୭୩ ମାମଲା, ୧୮ ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ୪୩, ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ୫୪, ୨୦ ତାରିଖରୁ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ୪୩, ୨୧ ତାରିଖରୁ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ୫୮ ଓ ୨୨ ତାରିଖରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ୫୮ଟି ମାମଲା ରୁଜୁ ହୋଇଛି। ଆଜି ଦ୍ବୈତନଗରୀରେ ମଧ୍ୟ ୯୧୭ଜଣ ଗାଡ଼ି ଚାଳକ ଧରା ପଡ଼ିଛନ୍ତି। ପୂର୍ବରୁ ୧୨୦୦ରୁ ଅଧିକ ଗାଡ଼ି ଚାଳକ ଧରାପଡ଼ୁଥିଲେ। ମାମଲା ସଂଖ୍ୟା କମିଛି ମାନେ ଲୋକ ସଚେତନ ହୋଇନାହାନ୍ତି, ବରଂ ପୁଲିସ କାର୍ଯ୍ୟାନୁଷ୍ଠାନ କୋହଳ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଯେଉଁମାନେ ଆଇନ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ପ୍ରତିଦିନ ଖୋଲୁଛି ହାଟ, ଭିଡ଼ କମୁନି
ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର କଡ଼ରେ ବସୁଥିବା ସାପ୍ତାହିକ ହାଟ ଏବେ ନୂଆ ଲିଙ୍ଗରାଜ ମାର୍କେଟ୍‌ରେ ପ୍ରତିଦିନ ଚାଲିଛି। ଏହା ସତ୍ତ୍ବେ ଭିଡ଼ କମିବାର ନାଁ ଧରୁନାହିଁ। ପ୍ରତିଦିନ ହାଟରେ ଲୋକଙ୍କ ଗହଳି ଜମୁଛି।

ସୂଚନାଯୋଗ୍ୟ, ଲିଙ୍ଗରାଜ ସାପ୍ତାହିକ ହାଟକୁ ଆଖପାଖ ୫ଟି ୱାର୍ଡର ଲୋକ ପରିବା ଓ ତେଜରାତି ସାମଗ୍ରୀ କିଣିବାକୁ ଆସିଥାନ୍ତି। ପ୍ରତି ହାଟ ପାଳିରେ ଶହେରୁ ଊର୍ଧ୍ବ ବ୍ୟବସାୟୀ ଆସି ବ୍ୟବସାୟ କରନ୍ତି। ଗତ ଏପ୍ରିଲ ୭ ତାରିଖରେ ହାଟରେ ଭିଡ଼କୁ ଦେଖି ଏହାକୁ ସାପ୍ତାହିକ ବଦଳରେ ପ୍ରତିଦିନ କରିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହା ସତ୍ତ୍ବେ ହାଟରେ ଗହଳି କମୁନି। ବଡ଼ କଥା ହେଉଛି, ସୋମବାର ଓ ଗୁରୁବାର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ କୌଣସି ସଂକ୍ରମିତ ବ୍ୟକ୍ତି ଯଦି ଏହି ହାଟକୁ ଆସନ୍ତି, ତେବେ ରାଜଧାନୀରେ ପରିସ୍ଥିତି ଭୟାବହ ହୋଇଯିବ। ଏଥିପାଇଁ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର