ଲକ୍‌ଡାଉନ୍‌ ଉପରେ ନିର୍ଭର କରୁଛି ଶିବ ବିବାହ, କରୋନା ଯୋଗୁଁ ବହୁ ପରମ୍ପରା ଭଙ୍ଗ

ତୁରନ୍ତ ବୈଠକ ଡାକିବାକୁ ସେବାୟତଙ୍କ ମତ

ପୁରୁଣା ଭୁବନେଶ୍ୱର: କରୋନା ସମଗ୍ର ବିଶ୍ବରେ କାୟା ବିସ୍ତାର କରିଥିବା ବେଳେ ଏଥିରୁ ଦେବାଳୟ ବାଦ୍‌ ପଡ଼ିନି। କରୋନା କଟକଣା ପାଇଁ ମଠ, ମନ୍ଦିରକୁ ଭକ୍ତଙ୍କୁ ବାରଣ କରାଯାିଛି। ଏହାଛଡ଼ା ଠାକୁରଙ୍କ ଅନେକ ପର୍ବପର୍ବାଣି ବନ୍ଦ ହୋଇଯାଇଛି। ସେହିପରି ଆସନ୍ତା ୨୭ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଓ ୨୮ରେ ଶୀତଳଷଷ୍ଠୀ ଯାତ୍ରା ନେଇ ଅନିଶ୍ଚିତତା ଦେଖାଦେଇଛି। ଲକ୍‌ଡାଉନ୍‌ ଖୋଲିବା ଉପରେ ମହାପ୍ରଭୁଙ୍କ ଏହି ପର୍ବ ନିର୍ଭର କରୁଛି।

ପ୍ରକାଶ ଥାଉକି, କରୋନା ପାଇଁ ଚଳିତ ବର୍ଷ ରୁକୁଣା ରଥଯାତ୍ରା ହୋଇପାରିଲା ନାହିଁ। ଏହାପରେ ବିନ୍ଦୁସାଗରରେ ୨୨ଦିନର ବାହାର ଚନ୍ଦନ ମଧ୍ୟ ବନ୍ଦ ରହିଲା। ହେଲେ ମହାପ୍ରଭୁଙ୍କ ବିବାହ ଓ ଶୀତଳଷଷ୍ଠୀକୁ ନେଇ ଏବେଠୁ ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ମେ’ ୨୭ତାରିଖରେ ଠାକୁରଙ୍କ ମଙ୍ଗନ କାର୍ଯ୍ୟ ରହିଛି। ଏହି ଦିନ ଅ‌ଷ୍ଟମଙ୍ଗଳାଙ୍କୁ ନିମନ୍ତ୍ରଣ କରାଯିବା ସହ ମନ୍ଦିର ଭିତରେ ଥିବା ସମସ୍ତ ଦେବଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ସେହିପରି ଠାକୁରଙ୍କ ପ୍ରତ୍ୟାବର୍ତନ ବେଳେ ମଧ୍ୟ ଅନେକ ନୀତିକାନ୍ତି ରହିଛି। ଏହାକୁ ପୂର୍ବରୁ ପ୍ରସ୍ତୁତି ନକଲେ ସେତେବେଳେ ହଠାତ୍‌ ଶୀତଳଷଷ୍ଠୀ ବେଳେ ମଧ୍ୟ ଭିଡ଼ ଅଧିକ ହେବା ଆଶଙ୍କା ରହିଛି। ଏହାକୁ ନେଇ ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ଚିନ୍ତାରେ ରହିଛନ୍ତି।

ଅନୁମତି ମିଳିଲେ ହେବ
ଲକ୍‌ଡାଉନ୍‌ ଉଠିବା ପରେ ଏନେଇ ସେବାୟତ ଓ ଟ୍ରଷ୍ଟ ବୋର୍ଡ ବୈଠକ କରାଯିବ। ଏହାପରେ ସରକାରୀ ଅନୁମତି ମିଳିଲେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ।
ପ୍ରସନ୍ନ କୁମାର ଦାଶ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ

ପରମ୍ପରା ବଜାୟ ରହୁ
ଚଳିତ ବର୍ଷ ରୁକୁଣା ରଥଯାତ୍ରା ପରେ ବିନ୍ଦୁସାଗରରେ ବାହାର ଚନ୍ଦନ ମଧ୍ୟ ବନ୍ଦ ରହିଲା। ଶିବ ବିବାହ ଓ ଶୀତଳଷଷ୍ଠୀ ଆଉ ଅଳ୍ପ ଦିନ ରହିଲା। ପରମ୍ପରା ବଜାୟ ରହୁ। କରୋନା ପାଇଁ ସତର୍କ ରହିବା ଓ ଦୂରତା ରଖି ଆବଶ୍ୟକ ସେବାୟତ ରହି କାର୍ଯ୍ୟ ସମ୍ପାଦନ କରାଯାଉ।
ବିରଞ୍ଚି ନାରାୟଣ ପତି, ସମ୍ପାଦକ, ବ୍ରାହ୍ମଣ ନିଯୋଗ

ବାରମ୍ବାର ପରମ୍ପରା ବନ୍ଦ ନହେଉ
ଶିବ ବିବାହ ଓ ଶୀତଳଷଷ୍ଠୀ ପରମ୍ପରା ବଜାୟ ରହୁ। ଏନେଇ ଆଲୋଚନା ହେଉ। ସାମାଜିକ ଦୂରତା ରଖି କିପରି କାମ ହୋଇପାରିବ ସେନେଇ ପ୍ରଶାସନ ତୁରନ୍ତ ବୈଠକ ଡ‌ାକୁ। ବାରମ୍ବାର ପରମ୍ପରା ବନ୍ଦ ନହେଉ।
କାଶିନାଥ ପୂଜାପଣ୍ଡା, ସଭାପତି, ପୂଜାପଣ୍ଡା ନିଯୋଗ

ଜିଲ୍ଲାପାଳ ନିଷ୍ପତ୍ତି ନିଅନ୍ତିୁ
ଆଗରୁ ପଦକ୍ଷେପ ନେଇ ପରେ ବନ୍ଦ କରାନଯାଉ। ଅଯଥାରେ ରଥକାମ ପରି ଟଙ୍କା ଖର୍ଚ କରାନଯାଉ। ଜିଲ୍ଲାପାଳ ହେଲେ ଟ୍ରଷ୍ଟ ବୋର୍ଡ ସଭାପତି। ସେ ବୈଠକ କରି ନିଷ୍ପତ୍ତି ନିଅନ୍ତୁ। ପରମ୍ପରା ବଜାୟ ରହୁ।
କମଳାକାନ୍ତ ବଡ଼ୁ, ସମ୍ପାଦକ, ବଡ଼ୁ ନିଯୋଗ

ସମ୍ବନ୍ଧିତ ଖବର