ଅଜଣା ରୋଗ ନେଲା ଛାତ୍ରୀଙ୍କ ଜୀବନ, ଚିକିତ୍ସା ଅବହେଳା ଅଭିଯୋଗରେ ଉତ୍ତେଜନା

ଖଣ୍ଡଗିରି: ବାପା ମୋତେ ଘରକୁ ନେଇଚାଲ। ମାଟ୍ରିକ୍ ପରୀକ୍ଷା ମୁଣ୍ଡ ଉପରେ। ମୋ ପାଠ ପଢ଼ା ଖରାପ ହେଉଛି। ଶୁକ୍ରବାର ଅପରାହ୍ଣରେ ହସ୍ପିଟାଲରେ ଭର୍ତି ହେବା ପରଠାରୁ ଏମିତି ଜିଦ୍ ଧରିଥିଲା ସ୍ବାତି। କିନ୍ତୁ ଆଜି ତାର ମରଶରୀର ଘରକୁ ଫେରିଲା। ଅଜଣା ରୋଗରୁ ତାଙ୍କୁ ଆରୋଗ୍ୟ କରିବା ପାଇଁ ବାଲିଗୁଡ଼ାରୁ ଭୁବନେଶ୍ବର ଧରି ଆସିଥିବା ବାପା ଶେଷରେ ଝିଅର ମୃତଦେହକୁ କୋଳରେ ଧରି ଘରକୁ ଫେରିଥିଲେ। ଡାକ୍ତରମାନଙ୍କ ଅବହେଳାରୁ ଛାତ୍ରୀଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଆତ୍ମୀୟସ୍ବଜନମାନେ ହସ୍ପିଟାଲରେ ଉତ୍ତେଜନା କରିଥିଲେ। ଘଟଣାଟି ସୋମବାର ସ୍ଥାନୀୟ କଳିଙ୍ଗନଗରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୋକର ଛାୟା ଖେଳାଇ ଦେଇଥିଲା। କନ୍ଧମାଳ ବାଲିଗୁଡ଼ାର ପ୍ରତାପ ବେହେରାଙ୍କ ଝିଅ ସ୍ବାତିପ୍ରଜ୍ଞା ଶୁକ୍ରବାର ଦିନ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଶନିବାର ଦିନ ହସ୍ପିଟାଲରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। କିନ୍ତୁ ଡାକ୍ତରମାନେ ରୋଗ ଚିହ୍ନଟ କରି ନପାରିବାରୁ ସିଟି ସ୍କାନ୍ କରିବା ପାଇଁ କହିଥିଲେ। ତେଣୁ ହସ୍ପିଟାଲର ଧାର୍ଯ୍ୟ ଫି’ ଅନୁସାରେ ସ୍ବାତିଙ୍କ ବାପା ସିଟି ସ୍କାନ୍ ପାଇଁ ଟଙ୍କା ଜମା କରିଥିଲେ। କିନ୍ତୁ ଶନିବାର ଦିନ ସିଟି ସ୍କାନ୍ କରାଗଲା ନାହିଁ। ଏମିତିକି ହସ୍ପିଟାଲ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ସିଟି ସ୍କାନ୍‌କୁ ସୋମବାରକୁ ଗଡ଼ାଇ ଦେଇଥିଲେ। ପ୍ରତାପଙ୍କ ଅଭିଯୋଗ ଅନୁସାରେ ଏହି ସମୟ ମଧ୍ୟରେ ସ୍ବାତିଙ୍କୁ ବେଡ୍ ରେ ପକାଇ ରଖିବା ଛଡ଼ା କୌଣସି ପ୍ରକାର ଚିକିତ୍ସା କରାଯାଇ ନଥିଲା। ସୋମବାର ସକାଳୁ ସ୍କାନିଂ କରିବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସମୟ ଗଡ଼ାଇ ଚାଲିଥିଲେ। ହଠାତ୍ ପୂର୍ବାହ୍ଣ ପ୍ରାୟ ୧୧ଟାବେଳେ ସ୍ବାତି ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସିଟି ସ୍କାନ ମେସିନ୍ ନିକଟକୁ ନେବା ବେଳକୁ ସେ ଆଖି ବୁଜି ସାରିଥିଲେ। ସୂଚନାଯୋଗ୍ୟ ଯେ ସ୍ବାତି ଜଣେ ମେଧାବୀ ଛାତ୍ରୀ ଥିଲେ। କିନ୍ତୁ ମଝିରେ ମଝିରେ ମୁଣ୍ଡ ଘୂରାଇ ଦେବାରୁ ସ୍ବାତି ଅସୁସ୍ଥ ହୋଇ ପଡ଼ୁଥିଲେ ଓ ସେଥିପାଇଁ ତାଙ୍କୁ ଏହି ହସ୍ପିଟାଲକୁ ଅଣାଯାଇଥିଲା

ସମ୍ବନ୍ଧିତ ଖବର