ଝରକା ତାଡ଼ି କଳାକନା ବୁଲାଇଲେ, ୭୦ ଗ୍ରାମ ସୁନାଗହଣା ଓ ନଗଦ ୫୦ ହଜାର ଟଙ୍କା ଚୋରି

ବାଲିପାଟଣା : ସ୍ଥାନୀୟ ବାରହଳ ବଡ଼ପଡା ଗାଁରେ ଏକ ବଡ଼ ଧରଣର ଚୋରି ହୋଇଥିବା ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି। ସିନ୍ଧିଚୋରମାନେ ସବିର୍‌ ମହମ୍ମଦଙ୍କ ଘରର ପଛ ଝରକା ତାଡ଼ି ଘରେ କଳାକନା ବୁଲାଇ ଦେଇଛନ୍ତି। ଆଲ୍‌ମିରା ଭାଙ୍ଗି ପ୍ରାୟ ୭୦ ଗ୍ରାମ୍‌ ଓଜନର ସୁନାଗହଣା ଓ ନଗଦ ୫୦ ହଜାର ଟଙ୍କା ଚୋରି କରି ନେଇଛନ୍ତି। ଅଭିଯୋଗ ପରେ ବାଲିପାଟଣା ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଖୋଳତାଡ୍‌ ଆରମ୍ଭ କରିଛି।

ସୂଚନାନୁସାରେ ସବିର୍‌ ଗତ ଗୁରୁବାର ଠାରୁ କୌଣସି କାମରେ ବାହାରକୁ ଯାଇଥିଲେ। ତେଣୁ ସେହି ଦିନଠରାରୁ ତାଙ୍କ ଘର ବନ୍ଦ ରହିଥିଲା। ଆଜି ସକାଳେ ସେ ଘରକୁ ଫେରିଥିଲେ। ମୁଖ୍ୟ କବାଟ ଯେମିତି ତାଲା ପଡ଼ିବା କଥା, ସେମିତି ଥିଲା। ସେ ତାଲା ଖୋଲି ଘରକୁ ପଶିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଘର ଭିତରେ ଜିନିଷପତ୍ର ଛିନ୍‌ଛତ୍ର ହୋଇ ବିଛାଡ଼ି ହୋଇ ପଡ଼ିଥିଲା। ଆଲ୍‌ମିରା ଭଙ୍ଗା ହୋଇଥିଲା। ତାଙ୍କ ଶୋଇବା ଘରର ଝରକା ତଡ଼ା ହୋଇ ତଳେ ପଡ଼ିଥିଲା। ତୁରନ୍ତ ସେ ବାଲିପାଟଣା ଥାନାକୁ ଜଣାଇଥିଲେ। ଆଲ୍‌ମିରାରେ ପ୍ରାୟ ୭୦ ଗ୍ରାମ୍‌ ଓଜନର ସୁନାଗହଣା ଓ କିଛି ରୁପା ଅଳଙ୍କାର ଥିଲା। ସେ ୫୦ ହଜାର ଟଙ୍କା ମଧ୍ୟ ରଖିଥିଲେ ବୋଲି କହିଛନ୍ତି। ଦୁର୍ବୃତ୍ତମାନେ ସବୁ ନେଇ ଯାଇଛନ୍ତି ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର