ଆଜିଠାରୁ ଚନ୍ଦନ ଯାତ୍ରା ଆରମ୍ଭ

ପୁରୁଣା ଭୁବନେଶ୍ୱର : ଶନିବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୨୨ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା, କପିଳନାଥ ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିବେ। ମନ୍ଦିରରେ ଅପରାହ୍‌ଣ ୨ଟା ସୁଦ୍ଧା ଧୂପ ନୀତି ଶେଷ କରାଯିବ ଓ ଅପରାହ୍‌ଣ ୪ଟା ସୁଦ୍ଧା ଠାକୁର ଚାପ ଡଙ୍ଗାକୁ ବିଜେ କରିବେ। ପରମ୍ପରା ଓ ବିଧି ଅନୁସାରେ ଠାକୁର ବ୍ରହ୍ମାଘାଟରେ ପହଞ୍ଚିବା ପରେ ଚାପ ଡଙ୍ଗାକୁ ପୂଜାପଣ୍ଡା ସେବାୟତ ଛେରା ପହଁରା କରିବେ। ପରେ ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବେ। ପରେ ଦେବଦେବୀ ଚାପ ଡଙ୍ଗାର ସିଂହାସନରେ ବିରାଜମାନ ହେବେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ ଦୁର୍ଗା ବସିବେ। ପାର୍ଶ୍ବ ସିଂହାସନରେ ବାସୁଦେବ ବସି ଯାତ୍ରା କରିବେ। ପୁଷ୍କରିଣୀରେ ଚାପ ବେଳେ ୨୨ଦିନ ଧରି ଠାକୁର ମଠ ଘାଟରେ ଭୋଗ ଖାଇବେ। କିନ୍ତୁ ଅକ୍ଷୟ ତୃତୀୟା ଦିନ ମହନୀ ଘାଟରେ ଭୋଗ ଲାଗି ହେବ। ଏହାପରେ ୮ଘେରା ଭଉଁରି ଖେଳି ଠାକୁର ଜଗତିକୁ ଯିବେ। ସେଠାରେ ନୀତି ପୂଜା କରାଯିବ ଓ ଠାକୁର ଚନ୍ଦନ ପାଣିରେ ବୁଡ଼ିବେ। ଏହା ପରେ ଜଗତିରୁ ବାହାରି ଚାପଡଙ୍ଗାରେ ଜଗତି ଚାରିପଟେ ଭଉଁରି ଖେଳି ପ୍ରତ୍ୟାବର୍ତ୍ତନ କରିବେ। ବାହୁଡ଼ିବା ବାଟରେ ବିଭିନ୍ନ ନିଯୋଗ ନିକଟରେ ଭୋଗ ଖାଇ ସନ୍ଧ୍ୟା ୭ଟା ସୁଦ୍ଧା ଠାକୁର ମନ୍ଦିରକୁ ଫେରିବେ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର