କ୍ୟାପିଟାଲ ହସ୍‌ପିଟାଲରୁ ମାଫିଆ ସରୋଜ ଗିରଫ

ବର୍ଷ ବର୍ଷ ଧରି ମାଡ଼ି ବସିଥିଲା କ୍ୟାବିନ, ହସ୍ପିଟାଲ ଟେଣ୍ଡର ଫିକ୍ସିଂର ମୁଖିଆ, ବିଲ୍ଡର, ଜମି ମାଫିଆଙ୍କ ଘନିଷ୍ଠ ସହଯୋଗୀ

ଭୁବନେଶ୍ବର : ଦଲାଲି କରିବା, ଡାକ୍ତରଙ୍କୁ ଧମକ ଦେବା, ହସ୍ପିଟାଲ ଟେଣ୍ଡର ଫିକ୍ସିଂ ଭଳି କାର୍ଯ୍ୟରେ ଲିପ୍ତ ଜଣେ କୁଖ୍ୟାତ ମାଫିଆକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ। ଅଭିଯୁକ୍ତ ମାଫିଆ ହେଉଛି କେନ୍ଦ୍ର‌ାପଡ଼ା ବୀରନୀଳକଣ୍ଠପୁରର ସରୋଜ ମିଶ୍ର। କେବଳ ଏତିକି ଅଭିଯୋଗ ନୁହେଁ, ବରଂ ହସ୍‌ପିଟାଲରେ ସରୋଜ ଓ ତା’ର ଗୋଷ୍ଠୀ ଏକାଧିକ କ୍ୟାବିନ୍‌କୁ ବର୍ଷ ବର୍ଷ ଧରି ମାଡ଼ି ବସିଥିଲେ। ରାତି ଦିନ ଏଠାରେ ମଦର ଆସର ଜମୁଥିଲା। ଆଜି ସରୋଜକୁ ଗିରଫ କରିବା ପରେ କ୍ୟାପିଟାଲ ଥାନା ପୁଲିସ ଏହି କ୍ୟାବିନଗୁଡ଼ିକୁ ଖାଲି କରିଛି। ସେଠାରେ ଥିବା ଆସବାବପତ୍ରକୁ ପୁଲିସ ଜବତ କରିଛି।

ତେବେ ଆଜି ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି। ଜଣେ ଗର୍ଭବତୀଙ୍କୁ ଆଗ ଚିକିତ୍ସା କରାଇବା ପାଇଁ ଡା. ଚିତ୍ତରଞ୍ଜନ ପାତ୍ରଙ୍କୁ ସେ ଗତ ୩ ତାରିଖରେ ଧମକ ଦେଇଥିଲା। ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଉଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ପୁଲିସ ଅସ୍ବୀକାର କରିଥିଲା। ତେବେ ପୁଲିସ ସରୋଜ ସମ୍ପର୍କରେ ଅଧିକ ଖୋଳତାଡ ଜାରି ରଖିଥିବା କହିଛନ୍ତି କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଚକ୍ରବର୍ତ୍ତୀ।

ପୁଲିସ ସୂଚନା ଅନୁସାରେ, ସରୋଜ ପ୍ରସୂତି ବିଭାଗରେ ପଶି ସମ୍ପୃକ୍ତ ଡାକ୍ତରଙ୍କୁ ଧମକ ଦେଇଥିଲା। ଆଗ ନ ଦେଖିଲେ ମାଡ଼ ମାରିବ ବୋଲି କହିଥିଲା। ଏ ନେଇ ଡାକ୍ତର ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ସରୋଜକୁ ଗିରଫ କରିଥିଲା। ପୂର୍ବରୁ ସରୋଜ କ୍ୟାପିଟାଲ ହସ୍ପିଟାଲରେ ଏକ ଆଉଟ୍‌ ସୋର୍ସିଂ ଏଜେନ୍ସି ଜରିଆରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ହୋଇଥିଲା। ବିଭିନ୍ନ ଅପରାଧରେ ଜଡ଼ିତ ହେବାରୁ ପ୍ରାୟ ଦୁଇ ବର୍ଷ ତଳେ ସରୋଜକୁ ଚାକିରିରୁ ବିଦା କରାଯାଇଥିଲା। କିନ୍ତୁ ତା’ର ହସ୍ପିଟାଲ ମୋହ ଛାଡି ନ ଥିଲା। ଅନ୍ୟ କେତେକ ଅସାମାଜିକ ବ୍ୟକ୍ତିଙ୍କ ସହାୟତାରେ ହସ୍ପିଟାଲର ଗୋଟିଏ କ୍ୟାବିନକୁ ମାଡ଼ି ବସିଥିଲା। କେବଳ ମାଡ଼ି ବସି ନ ଥିଲା ସେଠାରେ ଏକପ୍ରକାର ଘର କରି ରହିଥିଲା। ରୋଗୀଙ୍କୁ ଘରୋଇ ହସ୍ପିଟାଲ, କ୍ଲିନିକ୍, ପାଥୋଲାବକୁ ପଠାଇ ଦଲାଲ୍ ପାଲଟି ଯାଇଥିଲା। ଧୀରେ ଧୀରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ବିଭିନ୍ନ ସମୟରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଧମକଚମକ ଦେଇ ରୋଗୀଙ୍କୁ ଘରୋଇ ହସ୍ପିଟାଲ, କ୍ଲିନିକ୍ ଓ ପାଥୋଲାବ୍ ପଠାଇବାକୁ ବାଧ୍ୟ କରୁଥିବା ମଧ୍ୟ ଅଭିଯୋଗ ରହିଥିଲା। କ୍ରମେ ସେ ସଫେଇ କାମ, ସୁରକ୍ଷାକର୍ମୀ ନିଯୁକ୍ତି ଟେଣ୍ଡରରେ ସାମିଲ ହୋଇଥିଲା। ତା’ର ଇଙ୍ଗିତ‌ରେ ହିଁ ଏ ସବୁ ଟେଣ୍ଡର ଦେବା ନେବା ହେଉଥିଲା। ରୋଗୀଙ୍କୁ ଘରୋଇ ହସ୍ପିଟାଲ ନେବା ପାଇଁ ଦୁଇ ତିନି ଜଣ ଘରୋଇ ଆମ୍ବୁଲାନ୍ସ ମାଲିକଙ୍କ ସହ ବେଶ୍ ଘନିଷ୍ଠତା ଥିଲା। କିଛି ବିଲ୍ଡର, ଜମି ମାଫିଆଙ୍କ ସହ ସରୋଜର ଘନିଷ୍ଠତା ରହିଥିଲା।

ତେବେ ତା ସହ ଅନ୍ୟ କେଉଁମାନେ ସମ୍ପୃକ୍ତ ତାହା ଜାଣିବା ପାଇଁ ସମ୍ପର୍କର ଖିଅ ଖୋଜା ଚାଲିଛି। ସହଯୋଗୀମାନଙ୍କୁ ଜେରା କରାଯିବ ବୋଲି ଆଇଆଇସି କହିଛନ୍ତି। ସରୋଜକୁ ଅପରାହ୍ନରେ କୋର୍ଟଚାଲାଣ କରା ଯାଇଛି। ରିମାଣ୍ଡରେ ଅଣାଯାଇ ପଚରା ଉଚରା କରାଯିବ ବୋଲି ସେ କହିଛନ୍ତି।

ପୁଲିସ୍‌କୁ ମାଡ଼ ଘଟଣାରେ ହାତ ଥିଲା!
ନିକଟ ଅତୀତରେ କ୍ୟାପିଟାଲ ହସ୍‌ପିଟାଲରେ ଜଣେ ପୁଲିସ କର୍ମଚାରୀଙ୍କୁ ମାଡ଼ ଅଭିଯୋଗରେ ଓକିଲ-ପୁଲିସ ମୁହାଁମୁହିଁ ହୋଇଥିଲେ। ଏଥିରେ ସରୋଜର ବି ହାତ ରହିଥିବା ନେଇ ଚର୍ଚ୍ଚା ହୋଇଥିଲା। କ୍ୟାପିଟାଲ ହସ୍‌ପିଟାଲ ସିସିଟିଭି ଫୁଟେଜ୍‌ରେ ମଧ୍ୟ ତାର ଛବି ରହିଥିଲା। କେବଳ ଏହି ଘଟଣା ନୁହେଁ, ହସ୍‌ପିଟାଲର ସମସ୍ତ ଘଟଣାକୁ ସେ ଏକ ପ୍ରକାର ନିୟନ୍ତ୍ରଣ କରୁଥିଲା। ଦୀର୍ଘ ଦିନ ଧରି ଏଭଳି ଚାଲିଥିଲେ ମଧ୍ୟ ସମସ୍ତେ ନ ଦେଖିବା ଭଳି ଚୁପ୍ ରହୁଥିଲେ।

କାହା ବ​ଳରେ ବଳଶାଳୀ?
ବର୍ଷ ବର୍ଷ ଧରି କ୍ୟାବିନ୍ ମାଡି ବସିଥିଲା। ଡାକ୍ତରଙ୍କୁ ଧମକାଉଥିଲା। ଟେଣ୍ଡର କାରବାରରେ ବି ସମ୍ପୃକ୍ତ ଥିଲା। ହସ୍ପିଟାଲର ବଡ ସାହେବଙ୍କ ଭଳି ହାକିମାତି ଦେଖାଉଥିଲା। ଏ କଥା ତଳିଆ କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ବାବୁଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣୁଥିଲେ। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି କର୍ମଚାରୀଙ୍କୁ ବି ବେଶ୍ ଜଣାଥିଲା। କିନ୍ତୁ କେହି ଅଭିଯୋଗ କରିବାକୁ ସାହସ ଜୁଟାଉ ନ ଥିଲେ। ଫାଣ୍ଡି ପୁଲିସ ସବୁ ଦେଖି ନ ଦେଖିଲା ଭଳି ଆଖି ବୁଜି ଦେଉଥିଲା। ଫଳରେ ଜଣେ ସୁରକ୍ଷାକର୍ମୀରୁ ସେ ମାଫିଆ ପାଲଟି ଯାଇଥିଲା। ହେଲେ ସମସ୍ତେ ଚୁପ୍ ବସିଥିଲେ କାହିଁକି? ଫାଣ୍ଡି ପୁଲିସଠାରୁ ଆରମ୍ଭ କରି ହସ୍ପିଟାଲ ନିର୍ଦ୍ଦେଶକ କାହିଁକି ମୁହଁ ଖୋଲୁ ନ ଥିଲେ? ସରୋଜ ପଛରେ କେଉଁ ପ୍ରଭାବଶାଳୀଙ୍କ ହାତ ରହିଥିଲା? ବଡ଼ବଡ଼ିଆ ବାବୁ ନା ରାଜନେତାଙ୍କ ହାତ ରହିଥିଲା? ଏବେ ପୁଣି କ’ଣ ହେଲା ଯେ, ହଠାତ୍ କାହିଁକି କ୍ୟାପିଟାଲ ଥାନା ପୁଲିସ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଣେ ଆଇଏଏସ ଅଫିସରଙ୍କ ପାଖରେ ସମ୍ପୃକ୍ତ ଡାକ୍ତର ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର