ଜାମୁଝରିରେ ୧୫୦ଶଯ୍ୟା ବିଶିଷ୍ଟ ସଙ୍ଗ‌‌ରୋଧ କେନ୍ଦ୍ର, ୨୨ରୁ କାର୍ଯ୍ୟକ୍ଷମ

ମେଣ୍ଢାଶାଳ : ଖୋର୍ଦ୍ଧା ଜିଲ୍ଲାର ଜାମୁଝରିସ୍ଥିତ ମହାତ୍ମାଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମିଠାରେ କେରାନା ସନ୍ଦିଗ୍ଧଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଏକ କ୍ବାରାଣ୍ଟିନ୍‌ କେନ୍ଦ୍ର ଖୋଲାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ୨୨ତାରିଖରୁ ଏହା କାର୍ଯ୍ୟକ୍ଷମ ହେବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିଦେଶରୁ ବିମାନରେ ଆସୁଥିବା ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ସଂଦିଗ୍ଧଙ୍କୁ ଏଠାକୁ ଅଣାଯିବ। ଏଠାରେ ୧୫ଦିନ ପର୍ଯ୍ୟନ୍ତ ରଖି ପରୀକ୍ଷାନିରୀକ୍ଷା କରାଯିବା ସହ ତାଙ୍କ ସ୍ବାବ୍‌ ନମୁନା ଆର୍‌ଏମ୍‌ଆର୍‌ସିକୁ ପଠାଯିବ। କରୋନା ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡ଼ିଲେ, ସଂପୃକ୍ତ ବ୍ୟକ୍ତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସେହିପରି ରିପୋର୍ଟ ନେଗେଟିଭ୍‌ ଥିବା ବ୍ୟକ୍ତିଙ୍କୁ ୧୫ ଦିନ ପରେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନର ବ୍ୟବସ୍ଥା କରାଯିବ। ଉଲ୍ଲେଖଯୋଗ୍ୟ, ଏହି ଏକାଡେମି ୩ ମହଲା ବିଶିଷ୍ଟ। ଗୋଟିଏ ମହଲାରେ ୫୦ଜଣ ଲେଖାଏ କରୋନା ସଂଦିଗ୍ଧ ରହିବେ। ଆଜି ମଧ୍ୟାହ୍ନ‌ରେ ଖୋର୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱମୋହନ ପତି, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ‌କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ମୋହନ ହେମ୍ବ୍ରମ୍‌ ପ୍ରମୁଖ ଉପସ୍ଥିତ ରହି ଏହି କ୍ବାରାଣ୍ଟିନ୍‌ କେନ୍ଦ୍ରର ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର