ଦେବ ଦମ୍ପତିଙ୍କ ବିବାହ, ବିଳମ୍ବିତ ରାତିରେ ପଡ଼ିଲା ହାତଗଣ୍ଠି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ପାର୍ବତୀଙ୍କ ବିବାହ ଶୁକ୍ରବାର ବିଳମ୍ବିତ ରାତିରେ ସଂପୂର୍ଣ୍ଣ ବୈଦିକ ରୀତିନୀତି‌ରେ ସଂପନ୍ନ ହୋଇଛି। ଏକାମ୍ର କ୍ଷେତ୍ରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରରୁ ରାତି ପ୍ରାୟ ୧୧ଟା ୪୫ ମିନିଟ୍‌ରେ ମହାପ୍ରଭୁ ବରଯାତ୍ରୀ ଦଳ ସହ ବାହାରିଥିଲେ। ପାରମ୍ପରିକ ବାଜା ରୋଶଣିରେ ମହାପ୍ରଭୁଙ୍କ ଶୋଭାଯାତ୍ରା ବଢ଼େଇବାଙ୍କ, ତିନିମୁଣ୍ଡିଆ, ଏକାମ୍ର ବନ ଦେଇ ରାତି ପ୍ରାୟ ସାଢ଼େ ୧୨ଟା ବେଳେ କେଦାର‌ଗୌରୀ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ମହାପ୍ରଭୁଙ୍କୁ ବାଟବରଣୀ କରି ପାଛୋଟି ନିଆଯାଇଥିଲା। ପରେ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ବିଳମ୍ବିତ ରାତିରେ ଦେବଦେବୀଙ୍କ ହାତଗଣ୍ଠି ପଡ଼ିଥିଲା। ପାଳିଆ ସେବାୟତଙ୍କ ସମେତ ମନ୍ଦିର ସୁପରଭାଇଜର୍‌, ପର୍ବଯାତ୍ରା ବିଶୋଇ, ଭଣ୍ଡାର ମେକାପ, ମନ୍ଦିର ଚପରାଶି ଓ ଅନ୍ୟାନ୍ୟ ସେବାୟତମାନେ ଦେବଦେବୀଙ୍କ ବିଭିନ୍ନ ନୀତି ସଂପାଦନ କରିଥିଲେ। ‌‌ବିବାହ କାର୍ଯ୍ୟକୁ ସମସ୍ତ ନିଯୋଗର ମୁଖ୍ୟ ଓ ଟ୍ରଷ୍ଟ ବୋର୍ଡର ସଭ୍ୟମାନେ ତଦାରଖ କରିଥିଲେ। ତେବେ ଶୋଭାଯାତ୍ରା ବେଳେ ବଢ଼େଇବାଙ୍କ ଛକ ନିକଟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରପକ୍ଷେ ମହାପ୍ରଭୁଙ୍କ ବିବାହ ପାଇଁ କେଦାରଗୌରୀ ମନ୍ଦିରରେ ଅଷ୍ଟପ୍ରହର ନାମଯଜ୍ଞ କରାଯିବା ସହ ଶୀତଳଷଷ୍ଠୀ ସାଂସ୍କୃତିକ ପରିଷଦ ପକ୍ଷରୁ ମେଲୋଡି ପରିବେଷଣ କରାଯାଇଥିଲା।

ଆଜି ଶୀତଳଷଷ୍ଠୀ: ଆସନ୍ତାକାଲି (ଶନିବାର) ଶୀତଳଷଷ୍ଠୀ। ମା’ ପାର୍ବତୀଙ୍କୁ ସାଥିରେ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଶୀତଳଷଷ୍ଠୀ ପାଇଁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ସକାଳ ୬ଟାରେ ହେବା ପରେ କେଦାରଗୌରୀ ମନ୍ଦିରରେ ୭ଟାରୁ ସାଢ଼େ ୭ଟା ମଧ୍ୟରେ ହେବ। ସାହାଣ ମେଲା ଦର୍ଶନ ସକାଳ ୭ଟାରୁ ସାଢ଼େ ୯ଟା ଓ ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିରରେ ସନ୍ଧ୍ୟା ଧୂପ ହେବା ପରେ କେଦାରଗୌରୀ ମନ୍ଦିରରେ ସନ୍ଧ୍ୟା ଧୂପ ହେବ। ରାତି ୯ଟାରୁ ସାଢ଼େ ୯ଟା ମଧ୍ୟରେ ସାହାଣ ମେଲା ଦର୍ଶନ ପରେ ନବଦମ୍ପତି ବାହାରିବାର କାର୍ଯ୍ୟକ୍ରମ ରହିଛି। ନବଦମ୍ପତିଙ୍କ ସ୍ବାଗତ ପାଇଁ ବଡ଼ଦାଣ୍ଡ‌ରେ ପାରମ୍ପରିକ ଚିତା ପକାଯିବା ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଶୀତଳଷଷ୍ଠୀ କମିଟି ପକ୍ଷରୁ ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ଘଣ୍ଟ, ସମ୍ୱଲପୁରୀ, ଦୁଲଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢ଼ୋଲ ମହୁରୀ, ବନ୍ୟ ଜନ୍ତୁ ବେଶ, କଠେଇ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ, ଢ଼ୋଳ ମାଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ଆଦି ରାଜ୍ୟର ବିଭିନ୍ନ ଜିଲ୍ଲାର ପାରମ୍ପରିକ ବାଦ୍ୟ ଓ ସଂଗୀତ ପରିବେଷଣ ପାଇଁ ପ୍ରସ୍ତୁତି କରାଯାଇଛି। ସେହିପରି ଉକ୍ତ ଦିନ ଲିଙ୍ଗରାଜ ଭଜନ ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି କମିଟିର ସଭାପତି ସୁରେଶ କୁମାର ରାଉତରାୟ କହିଛନ୍ତି। ଅପରପକ୍ଷେ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦ ପ୍ଲାଟୁନ୍ ପୁଲିସ, ୮ଜଣ ଆଇଆଇସି, ୪ଜଣ ଏସିପି, ୪ଜଣ ଏଡିସିପିଙ୍କ ସହ ସାଦା ପୋଷାକଧାରୀ ମଧ୍ୟ ରହିବେ।

ସମ୍ବନ୍ଧିତ ଖବର