ବିମାନବନ୍ଦରରେ ହଜିବା ସାମଗ୍ରୀ ଟ୍ରାକ୍ ହେବ

ଭୁବନେଶ୍ବର : ବିମାନବନ୍ଦର‌େର ଯଦି ଯାତ୍ରୀଙ୍କର କୌଣସି ସାମଗ୍ରୀ ହଜି ଯାଉଛି ବା ଅନ୍ୟମନସ୍କ ଯୋଗୁଁ ଛାଡ଼ି ପଳାଉଛନ୍ତି, ତେବେ ସେ ଏହାକୁ କିପରି ସହଜରେ ପାଇପାରିବେ, ସେଥିପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନଲାଇନ୍ ସେବା ଆରମ୍ଭ ହୋଇଛି। ବିମାନବନ୍ଦରରେ କୌଣସି ସାମଗ୍ରୀର ଯଦି କେହି ମାଲିକାନା ଜାହିର୍‌ ନ କରିବେ, ତେବେ ତାହାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଜବତ କରିବେ। ଏହାପରେ ଏହି ସାମଗ୍ରୀର ଫଟୋକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ୱେବସାଇଟ୍‌ରେ ଅପଲୋଡ୍‌ କରିବେ। ସାମଗ୍ରୀ ହଜାଇଥିବା ବ୍ୟକ୍ତି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ୱେବସାଇଟକୁ ଯାଇ ଲଷ୍ଟ ଆଣ୍ଡ ଷ୍ଟୋଲେନ୍ କ୍ୟାଟଲଗ୍‌ ଉପରେ କ୍ଲିକ୍ କଲେ କର୍ତ୍ତୃପକ୍ଷଙ୍କ ଦ୍ବାରା ଉଦ୍ଧାର ହୋଇଥିବା ସାମଗ୍ରୀ ବିଷୟରେ ଜାଣିପାରିବେ। ଯଦି ତାଙ୍କର ସାମଗ୍ରୀ ଅପଲୋଡ୍‌ ହୋଇଥିବ, ତେବେ ନିଜର ବୋର୍ଡିଂ ପାସ୍, ପରିଚୟପତ୍ର ଆଦି ଦେଖାଇ ସାମଗ୍ରୀ ନେଇପାରିବେ ବୋଲି ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଯେକୌଣସି ବିମାନବନ୍ଦରରେ ସାମଗ୍ରୀ ଥିଲେ ବି ଏହାକୁ ଯାତ୍ରୀଙ୍କ ନିକଟସ୍ଥ ବିମାନବନ୍ଦରକୁ ପଠାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର