ଖାକିରେ ଦାଗ: ମହିଳାଙ୍କୁ ଅସଦାଚରଣ, ଅପହରଣ ଉଦ୍ୟମ

ଚଳନ୍ତା ଅଟୋରୁ ଡେଇଁଲେ ମହିଳା, ଓଏପିଏଫ୍‌ କନେଷ୍ଟବଳ ସମେତ ୩ ଗିରଫ

ଭୁବନେଶ୍ୱର: କରୋନା ମୁକାବିଲାରେ ପୁଲିସ ଯୋଦ୍ଧା ସାଜିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯାହା ପୁଲିସ ବିଭାଗକୁ ନିନ୍ଦିତ କରିଥିବା ବେଳେ ଖାକିରେ କଳଙ୍କର ଦାଗ ଲଗାଇଛି। ଜଣେ ପୀଡ଼ିତା‌ଙ୍କୁ ସାହାଯ୍ୟ କରିବାକୁ ଅଟୋରେ ନେଇ ଅସଦାଚରଣ କରିବା ଅଭିଯୋଗରେ ଓଏପିଏଫ୍‌ (ଓଡ଼ିଶା ସଶସ୍ତ୍ର ପୁଲିସ ବଳ)ର ଜଣେ କନେଷ୍ଟବଳଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଉଛନ୍ତି ମାଲକାନଗିରି ମୁଦୁଲିପଡ଼ାର ଦାଶରଥୀ ନାୟକ। ସେ ଖଣ୍ଡଗିରି ଶ୍ରୀବିହାରରେ ରହୁଥିଲେ। ତାଙ୍କୁ ଏଥିରେ ସହଯୋଗ କରିଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନେ ହେଉଛନ୍ତି ‌ଗଞ୍ଜାମ ରଙ୍ଗେଇଲୁଣ୍ଡାର ସୁଶାନ୍ତ କୁମାର ଗୌଡ଼ ଓ ‌ଅଟୋ ଚାଳକ ପାତ୍ରପଡ଼ାରେ ରହୁଥିବା ନୟାଗଡ଼ ରଣପୁରର କାଳୁ ବାରିକ।

ସୂଚନା ମୁତାବକ, ସହିଦନଗର ଥାନା ଅଞ୍ଚଳରେ ପୀଡ଼ିତା ରହୁଛନ୍ତି। ତାଙ୍କର ପାରିବାରିକ କନ୍ଦଳ ଲାଗିଥିଲା। ସ୍ବାମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିବା ପାଇଁ ଗତ ରବିବାର ରାତି ୯ଟା ବେଳେ ସେ ସହିଦନଗର ଥାନାକୁ ଯାଉଥିଲେ। ବାଟରେ ତାଙ୍କର ଏହି ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ସହ ଦେଖା ହୋଇଥିଲା। ସେ ସମସ୍ତ କାହାଣୀ ଶୁଣିବା ପରେ ମହିଳାଙ୍କୁ ଥାନା ପର୍ଯ୍ୟନ୍ତ ନେଇ ସାହାଯ୍ୟ କରିବା ପାଇଁ କହି ଏକ ଅଟୋରେ ବସାଇଥିଲେ। ଅଟୋରେ ବସିବା ପରେ ଜଣାପଡ଼ିଥିଲା ପୁଲିସ କର୍ମଚାରୀ ମଦ୍ୟପାନ କରିଛନ୍ତି। ଅଟୋରେ ପୂର୍ବରୁ ଥିବା ଦୁଇ ଜଣ ମଧ୍ୟ ନିଶାରେ ଅଛନ୍ତି। କିଛି ବାଟ ଯିବା ପରେ ସେମାନେ ଅଟୋରେ ପୀଡ଼ିତାଙ୍କୁ ଅସଦାଚରଣ କରିଥିଲେ। ଅଟୋ ଥାନା ପରିବର୍ତ୍ତେ ଅନ୍ୟ ଆଡ଼େ ଯିବାରୁ ମହିଳା ଅଟୋରୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ରାସ୍ତାରୁ ଉଦ୍ଧାର କରିବା ପାଇଁ ଏକାଠି ହୋଇଯିବାରୁ ପୁଲିସ କର୍ମଚାରୀ ଓ ଅନ୍ୟ ଦୁଇଜଣ ଯୁବକ ଘଟଣାସ୍ଥଳରୁ ଅଟୋ ସହ ଫେରାର ହୋଇ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଘଟଣା ପଛରେ ଆଉ କିଛି ରହସ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି। ସମସ୍ତ ଦିଗରେ ତଦନ୍ତ ଚାଲିଥିବା ପୁଲିସ କହିଛି।

ସୂଚନାଯୋଗ୍ୟ, ନିକଟ ଅତୀତରେ ତତ୍‌କାଳୀନ ନନ୍ଦନକାନନ ଥାନା ଇନ୍‌ସ୍‌ପେକ୍ଟର ଜଣେ ସହକର୍ମୀ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗ‌ରେ ନିଲମ୍ବିତ ହୋଇଛନ୍ତି। କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇ ବନ୍ଧୁକ ମୁନରେ ଦୁଷ୍କର୍ମ ପରେ ଗର୍ଭପାତ କରାଇବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ମହିଳା ଥାନା ପୁଲିସ ଗିରଫ କରିଥିବା ବେଳେ ଅନୁରୂପ ଅଭିଯୋଗରେ ଓଏସ୍‌ଏପି ବାଟାଲିୟନର ଜଣେ କର୍ମଚାରୀଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର