ପାକିସ୍ତାନର ଭାଷା କହୁଛନ୍ତି ମୋଦୀ: ୟେଚୁରୀ

ସିଏଏ, ଏନ୍‌ଆରସି ଓ ପିଏନ୍‌ଆର ‌ବିରୋଧରେ ସିପିଆଇଏମ୍‌ର ରଣହୁଙ୍କାର

ଭୁବନେଶ୍ବର: ସବୁ ଧର୍ମ ପାଇଁ ଅଲଗା ଅଲଗା ଗ୍ରନ୍ଥ ରହିଛି। ମୁସଲମାନଙ୍କ ପାଇଁ କୋରାନ୍‌, ଇସାଇଙ୍କ ପାଇଁ ବାଇବେଲ, ହିନ୍ଦୁଙ୍କ ପାଇଁ ଗୀତା ରହିଛି। ହେଲେ ‘ଏକ ଭାରତ’ର ଗ୍ରନ୍ଥ ହେଉଛି ସମ୍ବିଧାନ। କେନ୍ଦ୍ର ସରକାର କରିଥିବା ସିଏଏ, ଏନ୍‌ଆରସି ଓ ଏନ୍‌ପିଆର ବ୍ୟବସ୍ଥା ସମ୍ବିଧାନବିରୋଧୀ। ଏଣୁ ସମ୍ବିଧାନର ଯେଉଁଠି ଅସମ୍ମାନ ହେବ, ସେଠାରେ ଆମେ ଲଢ଼ିବୁ। ଏହି ଲଢ଼େଇ ଆମ ପାଇଁ ନୁହେଁ, ବରଂ ଭାରତ ପାଇଁ ଭାରତର ଲଢ଼େଇ ବୋଲି କହିଛନ୍ତି ସିପିଆଇ(ଏମ୍‌)ର ଜାତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତା ପଞ୍ଜିକା(ଏନ୍‌ଆରସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ବିରୋଧ କରି ଆଜି ସିପିଆଇ(ଏମ୍‌) ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଆୟୋଜିତ ବିକ୍ଷୋଭ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ୟେଚୁରୀ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଏଭଳି ସିଏଏ, ଏନ୍‌ପିଆର, ଏନ୍‌ଆରସି ଆଇନ ଆଣି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ‘ଯୁଦ୍ଧଂଦେହୀ’ ଡାକରା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ଭାଷା କହୁଛନ୍ତି। ସିଏଏ ହେଉ ବା କଶ୍ମୀରରେ ୩୭୦ ଉଚ୍ଛେଦ ହେଉ; ଏହି ଜରିଆରେ ଦେଶକୁ ଖଣ୍ଡଖଣ୍ଡ କରିବାକୁ ଚାହୁଛନ୍ତି।

ମୋଦୀ କହୁଛନ୍ତି, ପ୍ରତି ଘରେ ଗ୍ୟାସ୍‌ ସଂଯୋଗ ଦେଲୁ। ହେଲେ ଗତକାଲି ସିଲିଣ୍ଡର୍‌ ପିଛା ୧୫୦ ଟଙ୍କା ବଢ଼ିଛି। ଗରିବ ଲୋକଟିଏ ସକାଳୁ ଚା’ ସହିତ ଖାଇବା ପାଇଁ କିଣୁଥିବା ୫ ଟଙ୍କିଆ ବିସ୍କୁଟ ବିକ୍ରି ହେଉ ନଥିବାରୁ ଏହାର ଉତ୍ପାଦନ ବନ୍ଦ କରିବା ପାଇଁ ଅନେକ ବଡ଼ ବଡ଼ ସଂସ୍ଥା ଘୋଷଣା କରିସାରିଛନ୍ତି। ମାନ୍ଦାବସ୍ଥାରେ ଦେଶ ଘାଣ୍ଟି ହେଉଥିବା ବେଳେ ୨ଲକ୍ଷ ୧୫ହଜାର କୋଟି ଟଙ୍କାର ଟିକସ ଧନିଙ୍କ ପାଇଁ ଛାଡ଼ିଛନ୍ତି ସରକାର। ୨୪ତାରିଖ‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସୁଛନ୍ତି। ତେବେ ତାଙ୍କୁ ଦିଲ୍ଲୀରେ ନୁହେଁ, ଗୁଜୁରାଟରେ ୧୦ଲକ୍ଷ ଲୋକ ସ୍ବାଗତ କରିବେ। କେଉଁଠି ବି ସେ ଓହ୍ଲାନ୍ତୁ, ତାଙ୍କ ନୀତି ସଂଖ୍ୟାଲଘୁ ଗୋଷ୍ଠୀ ବିରୋଧୀ ହୋଇଥିବାରୁ ସିପିଆଇ(ଏମ୍‌) ତୀବ୍ର ବିରୋଧ କରିବ ବୋଲି ଶ୍ରୀ ୟେଚୁରୀ ଆହ୍ବାନ ଦେଇଛନ୍ତି। ସଭାକୁ ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ପୂର୍ବତନ ପୁଲିସ ଡିଜି ଅମିୟ ଭୂଷଣ ତ୍ରିପାଠୀ, ସିପିଆଇ(ଏମ୍‌) ବରିଷ୍ଠ ନେତା ଜନାର୍ଦ୍ଦନ ପତି, ରାଜ୍ୟ ସମ୍ପାଦନା ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ଶିବାଜୀ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ବିଷ୍ଣୁ ମହାନ୍ତି, ଶିଶିର ହୁଇ, ପୁଷ୍ପା ଦାଶ, ନିର୍ମଳ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଏହି ଆଇନ ବିରୋଧରେ ଘର ଘର ବୁଲି ଅଭିଯାନ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର