ମୂର୍ଚ୍ଛନା ପକ୍ଷରୁ ‘କିଛି ସ୍ବର…, କିଛି ସ୍ମୃତି… କିଛି ପ୍ରୟାସ’ ‘ପଲ୍ଲୀ ସଙ୍ଗୀତ’ରେ ଗୁଞ୍ଜରିତ ହେଲା ରଙ୍ଗମଞ୍ଚ

ଭୁବନେଶ୍ବର: ପଲ୍ଲୀ କଥା, ପଲ୍ଲୀ ସ୍ମୃତି ଓ ପଲ୍ଲୀ ସ୍ବରରେ ଗୁଞ୍ଜରିତ ହେଉଥିଲା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟ‌। ବୁଢ଼ୀ ମା’ର ସେଇ ଥଟା ଓ ମଜାଳିଆ ଗୀତ ସହ ନାନା‌ବାୟା ଗୀତ ଶ୍ରୋତାଙ୍କୁ ଫେରାଇ ନେଇଥିଲା କାହିଁ କେତେ ବର୍ଷ ପଛକୁ। ୬୦/୭୦ ଦଶକର ହଜି ଯାଇଥିବା ସେଇ ପଲ୍ଲୀ ଗୀତ ଆଜି ପୁଣି ଶୁଭିଥିଲା ମଞ୍ଚ ଉପରୁ। ଅବସର ଥିଲା ରାଉଲକେଲାସ୍ଥିତ ‘ମୂର୍ଚ୍ଛନା’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ‘କିଛି ସ୍ବର… କିଛି ସ୍ମୃତି… କିଛି ପ୍ରୟାସ’ କାର୍ଯ୍ୟକ୍ରମର। ଏହି ଅବସରରେ ବାଲିଘର ଭାଙ୍ଗି…, କିଆ କେତକି ବନେ…, ତତେ କିଏ ଖାଇଲା… ଓ ସଂଧ୍ୟା ତାରା… ଆଦି ବହୁ ପଲ୍ଲୀ ଗୀତ ଜୀବନ୍ତ କରିଦେଇଥିଲା ପୁରୁଣା ଯୁଗକୁ। କାର୍ଯ୍ୟକ୍ରମରେ ଶୋଭା ପଟ୍ଟନାୟକ, ଅରୋଶିଷ ପାଣି, ଶ୍ୟାମସୁନ୍ଦର ପଟ୍ଟନାୟକ, ପ୍ରମୋଦ ପଣ୍ଡା ଓ ଆୟେଶା ପ୍ରମୁଖ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଇଣ୍ଡିଆନ୍‌ ଅଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.ସି ଚୌବେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ମୂର୍ଚ୍ଛନା’ର ସଭାପତି ଅରୁନ୍ଧତୀ ବିଶ୍ବାଳ ଓ ସହସମ୍ପାଦକ ଚନ୍ଦ୍ରଶେଖର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ପାଦକ ଶ୍ୟାମସୁନ୍ଦର ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର