ନାବାଳକକୁ ସାବାଳକ କରି ଜେଲ୍‌ ପଠାଇବା ଘଟଣା: ଅଡ଼ୁଆରେ ପୁଲିସ, କୋର୍ଟ ଯିବେ ଆଇନଜୀବୀ

ଭୁବନେଶ୍ୱର: ନାବାଳକକୁ ସାବାଳକ ଦର୍ଶାଇ ଜେଲ୍‌ ପଠାଇବା ଓ ପରେ ଜେଲ୍‌ରୁ ଆଣି ଜେଜେବି(କିଶୋର ନ୍ୟାୟ ବୋର୍ଡ)ରେ ଉପସ୍ଥାପନ କରି ପୁଲିସ ହରଡ଼ଘଣାରେ ପଡ଼ିଛି। ଗୋଟିଏ ମାସ ଭିତରେ ବଡ଼ଗଡ଼ ଓ ମଞ୍ଚେଶ୍ବର ଥାନାରେ ଏହିପରି ଦୁଇଟି ଘଟଣା ଘଟିବା ସାଧାରଣରେ ଉଦ୍‌ବେଗର କାରଣ ହୋଇଛି। ଏଥିରେ ନାବାଳକଙ୍କ ଅଧିକାର କ୍ଷୁଣ୍ଣ ହେବା ସହ କିଶୋର ନ୍ୟାୟ ଆଇନ ମଧ୍ୟ ଉଲ୍ଲଂଘନ ହେଉଛି। ପୁଲିସର ଏଭଳି କାର୍ଯ୍ୟ ବିରୋଧରେ କୋର୍ଟ ଯିବା ପାଇଁ ଆଇନଜୀବୀ ଲଲାଟେନ୍ଦୁ ଦାସ ଚେତାବନୀ ଦେଇଛନ୍ତି।

ସୂଚନା ମୁତାବକ, ସେପ୍ଟେମ୍ବର ୩ ତାରିଖ ଦିନ କଳ୍ପନା ଛକରେ ଚାନ୍ଦା ଆଦାୟ କରିବା ଘଟଣାରେ ୪ଜଣଙ୍କୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଥିଲା। ଏଥିରେ ଜଣେ ନାବାଳକ ଥିଲେ। ଏହାକୁ ନେଇ ଅଭିଯୋଗ ହେବା ପରେ ନାବାଳକର ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ହୋଇଥିଲା। ଯାଞ୍ଚ ବେଳେ ନାବାଳକ ଜଣାପଡ଼ିବା ପରେ ଆଇନ ଅନୁଯାୟୀ ପୁଲିସ ଜେଜେବିରେ ଉପସ୍ଥାପନ କରାଇଥିଲା। ସେଠାରୁ ତାକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି। ସେହିଭଳି ମଞ୍ଚେଶ୍ବର ଥାନା ଅଧୀନ ରଙ୍ଗମାଟିଆ‌‌‌‌‌ରେ ଘଟିଥିବା ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ଆଉ ଜଣେ ନାବାଳକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଠାରୁ ତାକୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା। କିନ୍ତୁ ସେ ଜଣେ ନାବଳକ ବୋଲି ଜଣାପଡ଼ିବା ପରେ ମଞ୍ଚେଶ୍ବର ଥାନା ପୁଲିସ ତାକୁ ଜେଲ୍‌ରୁ ଆଣି ଜେଜେବିରେ ଉପସ୍ଥାପନ କରାଯିବା ପରେ ସେଠାରୁ ତାକୁ ସୁଧାର ଗୃହ ପଠାଇ ଦିଆଯାଇଥିଲା। ଏନେଇ ଆଇନଜୀବୀ ଲଲାଟେନ୍ଦୁ ଦାସ କହିଛନ୍ତି, ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଘଟଣାର ବାରମ୍ବାର ପୁନରାବୃତ୍ତି ହେଉଛି। ବୟସ ଜାଣିବା ପାଇଁ ପୁଲିସ ଅଭିଯୁକ୍ତର ଓସିନିଫିକେସନ ଟେଷ୍ଟ କରିବା କଥା। ଅଭିଯୁକ୍ତର ବୟସ ‌ନେଇ ପ୍ରମାଣ ନ ମିଳିଲେ ବା ସନ୍ଦେହ ହେଲେ ପୁଲିସ ଏହି ପରୀକ୍ଷା କରିବା କଥା। ଏଥିରୁ ବୟସ ଜଣାପଡ଼େ। ଅନେକ ଜାଗାରେ ପୁଲିସ ଏହି ପରୀକ୍ଷା କରୁନାହିଁ। ପୁଲିସର ଏହି ଗୁରୁତର ତ୍ରୁଟିକୁ ନେଇ କୋର୍ଟରେ ଆବେଦନ କରାଯିବ। ଆଗକୁ ଯେଭଳି ଏହି ତ୍ରୁଟି ପୁଲିସ କରିବ ନାହିଁ ସେ ନେଇ ଆଦେଶ ଦେବାକୁ କୋର୍ଟରେ ପ୍ରାର୍ଥନା କରାଯିବ।

ସମ୍ବନ୍ଧିତ ଖବର