ଗାନ୍ଧୀବାଦ, ସମାଜବାଦର ପ୍ରବକ୍ତା ଥିଲେ ନବକୃଷ୍ଣ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଗାନ୍ଧୀବାଦ ଓ ସମାଜବାଦର ମହାନ ପ୍ରବକ୍ତା। ସାମାଜିକ ଓ ରାଜନୈତିକ ମୂଲ୍ୟବୋଧର ଯଥାର୍ଥ ପ୍ରତିନିଧି ଭାବରେ ସେ ଚିରସ୍ମରଣୀୟ ରହିବେ ବୋଲି ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ବକ୍ତାମାନ ମତ ଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ମାଳତୀ ଦେବୀ-ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟର ମିଳିତ ସହଯୋଗରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ସ୍ୱର୍ଗତ ଚୌଧୁରୀ ରାଜନେତା ହୋଇଥିଲେ ମଧ୍ୟ ଭୋଟ ନିର୍ବାଚନ କଥା ନଭାବି ସମାଜ ଓ ଜାତିର ଭବିଷ୍ୟତ କଥା ଚିନ୍ତା କରୁଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ବସନ୍ତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ନବକୃଷ୍ଣ କ୍ଷମତା ମୋହ ଓ ଆଭିଜାତ୍ୟରୁ ଦୂରର ଥିଲେ। ଜୀବନର ଶେଷ ସମୟରେ ବାଜି ରାଉତ ଛାତ୍ରବାସରେ ଆଶ୍ରମ ଜୀବନ ବିତାଇବା ତାଙ୍କ ସରଳ ଓ ଲୋକପକ୍ଷଧର ବ୍ୟକ୍ତିତ୍ୱର ପ୍ରମାଣ ବୋଲି ଶ୍ରୀ ମଲ୍ଲିକ ଉଲ୍ଲେଖ କରିଥିଲେ। ପ୍ରାରମ୍ଭିକ ସଂଗୀତ ପରିବେଷଣ କରିବା ପରେ ଅତିଥିମାନେ ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ପଷ୍ପଗୁଚ୍ଛ ଅର୍ପଣ କରିଥିଲେ। ବିଭାଗୀୟ ଉପ-ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପୂର୍ବରୁ ଅନୁଷ୍ଠିତ ବକ୍ତତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଖଣ୍ଡେଶ୍ୱରୀ କଳାସଂସଦର ବିଶିଷ୍ଟ ଶିଳ୍ପୀମାନଙ୍କ ଦ୍ୱାରା ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା। ସୂଚନା ଅଧିକାରୀ ସୂର୍ଯ୍ୟରଂଜନ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଉପ-ନିର୍ଦେଶକ ସନ୍ତୋଷ କୁମାର ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନବକୃଷ୍ଣଙ୍କ ଅବଦାନ ଅବିସ୍ମରଣୀୟ

ପୁରୁଣା ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଓଡ଼ିଶା ପ୍ରତି ଅବଦାନ ଅବିସ୍ମଣୀୟ। ଭାଷା ଭିତ୍ତିକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଗଠନ, ଭୂସଂସ୍କାର ଆଇନ ଓ ନିଶା ନିବାରଣ ଅଭିଯାନ ଆଦି ଅନେକ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି। ଆଜି ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ କୋଶଲ୍‌ ଟାଇମ୍‌ ପକ୍ଷରୁ ଆୟୋଜିତ ନବକୃଷ୍ଣ ଚୌଧୁରୀଙ୍କୁ ୧୧୬ତମ ଜୟନ୍ତୀ ପାଳନ ଅବସରରେ କୃଷିମନ୍ତ୍ରୀ ଦାମୋଦର ରାଉତ ଏକଥା କହିଛନ୍ତି।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ଯେ, ଗାନ୍ଧୀବାଦର ମୃତ୍ୟୁ ହୋଇନାହିଁ। ଯେଉଁମାନେ ଗାନ୍ଧୀବାଦୀ ଆଦର୍ଶରେ ସମର୍ପିତ ବ୍ୟକ୍ତିତ୍ଵ ସେମାନେ ଗାନ୍ଧୀବାଦକୁ ବଞ୍ଚାଇ ରଖିଛନ୍ତି। ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପରି ବ୍ୟକ୍ତିତ୍ଵ ନଥିଲେ ଏବେ ଓଡ଼ିଶା ଖଣ୍ଡବିଖଣ୍ଡ ହୋଇ ଯାଇଥାନ୍ତା। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କର, ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଚୌଧୁରୀଙ୍କ ସ୍ମୃତିଚାରଣ କରିଥିଲେ। କୋଶଲ୍‌ ଟାଇମ୍‌ର ସମ୍ପାଦକ ସଞ୍ଜୀବ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାର ୩୫ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ‘ସମ୍ବାଦ’ର ସମ୍ପାଦକୀୟ ପୃଷ୍ଠାର ସଂପାଦକ ରଣଜିତ ଗୁରୁ, ପ୍ରଖ୍ୟାତ ସମ୍ବଲପୁରୀ ଗୀତିକାର କ୍ଷୀତିପତି ସାହୁ, ବିନୋଦ ପଶାୟତ, ଗାୟକ ହୃଷୀକେଶ ମେହେର, ବିଭୂତି ମେହେର, ଦିବ୍ୟାଙ୍ଗ ସଙ୍ଗୀତକାର ସମ୍ପଦ କୁମାର ମେହେରଙ୍କୁ ‘ପ୍ରତିଭା ପୂଜା’ ସମ୍ମାନିତ କରାଯାଇଥିଲା। ଏଥିରେ ଅଶୋକ କୁମାର ପଶାୟତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡ. କ୍ଷେତ୍ରବାସୀ ମାନସେଠ୍‌ ଧନ୍ୟବାଦ ପ୍ରଦାନ କରିଥିଲେ। ଏହାକୁ ସଂଯୋଜନା କରିଥିଲେ ପ୍ରବାସିନୀ ହୋତା। ଶେଷରେ ସମ୍ବଳପୁରୀ ନୃତ୍ୟ ଓ ଗୀତର ଆସର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର