ନନ୍ଦନକାନନ ଗାଇଡ୍‌ଙ୍କ ଅକାଳ ମୃତ୍ୟୁ, ପରିବାରର ଜଣକୁ ନିଯୁକ୍ତି ଦେବାକୁ ଗାଇଡ୍ ସଂଘ ତରଫରୁ ଦାବି

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ ଜଣେ ଗାଇଡ୍‌ଙ୍କ ମସ୍ତିଷ୍କାଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାମ ମନୋଜ କୁମାର ପରିଡ଼ା (୪୪)। ଘର ସ୍ଥାନୀୟ ବାଲିପଡ଼ା ଗ୍ରାମରେ। ଗୁରୁବାର ଅପରାହ୍‌ଣରେ ନନ୍ଦନକାନନ ଟିକେଟ୍‌ ଘର ପାଖରେ ସେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ। ସେଠାରୁ ଘୁଷୁଡ଼ି ଘୁଷୁଡ଼ି ଗାଇଡ୍ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅଚେତ ହୋଇଯାଇଥିଲେ। ସହକର୍ମୀମାନେ ତାଙ୍କୁ ଚିକିତ୍ସା ଲାଗି କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଆଜି ସକାଳେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଛି। ଖବର ପାଇ ବିଧାୟକ ସୁଶାନ୍ତ କୁମାର ରାଉତ, ପୂର୍ବତନ ବିଧାୟକ ତଥା ଗାଇଡ୍ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ କୁନାଲ ରାଉତ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ଅପରପକ୍ଷେ ମୃତ ଗାଇଡ୍‌ଙ୍କ ପରିବାରର ଜଣକୁ ନିଯୁକ୍ତି ସୁଯୋଗ ଦେବାକୁ ଗାଇଡ୍ ସଂଘ ତରଫରୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି। ଆଜି ଶୋକ ପାଳନ ପୂର୍ବକ ନନ୍ଦନକାନନର ସମସ୍ତ ୪୦ ଗାଇଡ୍‌ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ପାଣ୍ଠି ସଂଗ୍ରହ କରି ମୃତ ଗାଇଡ୍‌ଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ଲାଗି ସଂଘ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର