ଆସନ୍ତା ୧୫ ତାରିଖରେ ଗଡ଼ିବ ଭୁବନେଶ୍ୱର-ନୟାଗଡ଼ ଏକ୍ସପ୍ରେସ୍‌

ଭୁବନେଶ୍ବର : ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ୧୫ ତାରିଖ ଅପରାହ୍ନ ୨ଟାରେ ଭୁବନେଶ୍ବରରୁ ନୟାଗଡ଼ ଟାଉନ୍‌କୁ ଗଡ଼ିବ ଟ୍ରେନ୍‌। ପ୍ରତିଦିନ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌କୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିବେ। ଏହି ଟ୍ରେନ୍‌ ସମେତ ଦେଶର ଆଉ ୯ଟି ଟ୍ରେନ୍‌କୁ ବି ଉଦ୍‌ଘାଟନ କରାଯିବ। ଯେଉଁ ଅଞ୍ଚଳରେ ଟ୍ରେନ୍‌ ଚାଲିବ ସେଠାରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯିବ। ଏଥିରେ ସ୍ଥାନୀୟ ସାଂସଦ, ବିଧାୟକମାନେ ଓ ଟ୍ରେନ୍‌ ଚାଲିବାକୁ ଥିବା ଅଞ୍ଚଳର ଜନ ପ୍ରତିନିଧି, ରେଳପଥ ଅଧିକାରୀମାନେ ଉପସ୍ଥିତ ରହି ପତାକା ଦେଖାଇ ଟ୍ରେନ୍‌ର ଶୁଭା‌ରମ୍ଭ କରିବେ।

ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଏହି ଟ୍ରେନ୍‌ ପ୍ରତିଦିନ ଚଳାଚଳ କରିବ। ଭୁବନେଶ୍ବର-ନୟାଗଡ଼ ଟାଉନ୍‌ ‌ଏକ୍ସପ୍ରେସ୍‌(୧୮୪୨୩) ପ୍ରତିଦିନ ସନ୍ଧ୍ୟା ୬ଟା ୪୦ରେ ଭୁବନେଶ୍ବର ଛାଡ଼ିବ। ରାତି ୮ଟା ୪୫ରେ ନୟାଗଡ଼ ଟାଉନ୍‌ରେ ପହଞ୍ଚିବ। ସେହିପରି ନୟାଗଡ଼ ଟାଉନ୍‌-ଭୁବନେଶ୍ବର ଏକ୍ସପ୍ରେସ୍‌ ସକାଳ ୬ଟା ୩୦ରେ ନୟାଗଡ଼ ଛାଡ଼ିବ। ପୂର୍ବାହ୍ନ ୯ଟାରେ ଭୁବନେଶ୍ବରରେ ପହଞ୍ଚିବ।

ସମ୍ବନ୍ଧିତ ଖବର