ନନ୍ଦନକାନନ ଖବର: ହେଟାବାଘ ମୃତ, ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆସିଲା ଶାଗୁଣା ଅଣ୍ଡା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୫ନମ୍ବର ଖୁଆଡ଼ ହେଟାବାଘ ଘରେ ରହୁଥିବା ଏକ ୪ବର୍ଷ ବୟସ୍କ ପୁରୁଷ ହେଟାବାଘର ମୃତ୍ୟୁ ହୋଇଛି। ସକାଳେ ଅଚାନକ ହେଟାବାଘଟି ଖୁଆଡ଼ ମଧ୍ୟରେ ମରି ପଡ଼ିଥିବା ଜନ୍ତୁରକ୍ଷକ ଦେଖିବାକୁ ପାଇ ଏ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ମୃତ୍ୟୁର କାରଣ ଜାଣିବା ପାଇଁ ହେଟାବାଘଟିର ଶବକୁ ବ୍ୟବଚ୍ଛେଦ ଲାଗି ଓୟୁଏଟି ପଠାଯାଇଥିଲା। ସେଠାରେ ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଡ. ସୁଶେନ ପଣ୍ତା ଶବ ବ୍ୟବଚ୍ଛେଦ କରିଛନ୍ତି। ତେବେ ରିପୋର୍ଟ ହସ୍ତଗତ ହୋଇନଥିବାରୁ କେଉଁ କାରଣରୁ ହେଟାବାଘଟିର ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ। ଅପରପକ୍ଷେ ଏହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ସଂକ୍ରମଣ ଆଶଙ୍କାରେ କର୍ତ୍ତୃପକ୍ଷ ତରରିଆ ଭାବେ ବାକି ଥିବା ୫ଟି ମାଈ, ୨ଟି ପୁରଷଙ୍କୁ ମିଶାଇ ମୋଟ ୭ଟି ହେଟାବାଘଙ୍କୁ ରୋଗ ପ୍ରତିଷେଧକ ଟିକା ଦେଇଛନ୍ତି। ସୂଚନାଯୋଗ୍ୟ, ହେଟାବାଘଟିକୁ ଗତ ୨୦୧୫ ମସିହା ନଭେମ୍ବର ୧୫ତାରିଖରେ କଟକ ଜିଲ୍ଲା ଫୁଲନଖରାରୁ ଅନ୍ୟ ୩ମାଈଙ୍କ ସହ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଗତ ୨୪ ତାରିଖରେ ରାଜ୍ୟ ଉଦ୍ଧ୍ବିଦ ଉଦ୍ୟାନ ପରିସରର ଶାଗୁଣା ପ୍ରଜନନ କେନ୍ଦ୍ରରେ ଅଣ୍ଡା ଦାନ କରିଥିବା ମାଈ ଶାଗୁଣାଟି ଠାରୁ ତାର ଅଣ୍ତାଟିକୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ କୃତ୍ରିମ ପ୍ରଜନନ ଲାଗି ଅଣାଯାଇଛି। ଅଣ୍ତାଟିକୁ ମହମବତିର ଆଲୋକ ସମ୍ମୁଖରେ ରଖି ପରୀକ୍ଷା କରିବାରେ ଚିକିତ୍ସକମାନେ ଅଣ୍ତା ଭିତରେ ଥିବା ଶୁକ୍ରାଣୁ ସୁରକ୍ଷିତ ଥିବା ଯାଣିବାକୁ ପାଇଥିଲେ। ପରେ ଅଣ୍ତାଟିକୁ ଉଷୁମରେ ରଖି ଛୁଆ ବାହର କରିବା ଲାଗି ଇନକ୍ୟୁବ୍ଟର ଯନ୍ତ୍ର ମଧ୍ୟରେ ରଖାଯାଇ ମନିଟରରେ ଅନୁଧ୍ୟାନ କରାଯାଉଛି। ଯୋଜନା ସଫଳ ହେଲେ ନନ୍ଦନକାନନରେ ଏହା ହେବ ପ୍ରଥମ ଶାଗୁଣା କୃତ୍ରିମ ପ୍ରଜନନ।

ସୂଚନାଯୋଗ୍ୟ ଗତ ବର୍ଷ ଶାଗୁଣା ପ୍ରଜନନ କେନ୍ଦ୍ରରେ ପ୍ରଥମ କରି ଏକ ଶାଗୁଣା ଅଣ୍ତାଦାନ କରିଥିଲା। ଅଣ୍ତାଟିକୁ ଯତ୍ନର ସହକାରେ ଉଷୁମରେ ରଖି ଫୁଟାଇ ସେଥିରୁ ଛୁଆ ମଧ୍ୟ ବାହର କରିଥିଲା। ଛୁଆଟିକୁ ଆଧାର ଦେଇ ଯତ୍ନ ମଧ୍ୟ ନେଇଥିଲା। ହେଲେ ଅଚାନକ ୪ ଦିନ ପରେ ଛୁଆଟିର ଅବସ୍ଥା ବିଗିଡିବାରୁ ତାକୁ ମା’ ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ କର୍ମଚାରିଙ୍କ ଦ୍ବରା ଲାଳନ ପାଳନ କରାଯାଇଥିଲା। ହେଲେ ତାର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର