ନୂଆ ହୋଲଡିଂ ଟିକସ ନିଦ ହଜାଇଲାଣି : ଘର କରିବାକୁ ଲୋକ ଡରିବେ

ବର୍ଦ୍ଧିତ ଟିକସ ପ୍ରତ୍ୟାହାର ନହେଲେ ବିଜେପି ଓ କଂଗ୍ରେସ ରାସ୍ତାକୁ ଓହ୍ଲାଇବେ

ଭୁବନେଶ୍ୱର : ବିଏମ୍‌ସି ଯେଉଁଭଳି ଭାବେ ନୂଆ ଘର, ଆପାର୍ଟମେଣ୍ଟରୁ ହୋଲଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ସେଥିରେ ଲୋକ ରାଜଧାନୀରେ ଘର ନିର୍ମାଣ କରିବାକୁ କିମ୍ବା କିଣିବାକୁ ଡରିବେ। ସ୍ଥିତି ଏପରି ହେବାକୁ ଯାଉଛି ଯେ, ରାଜଧାନୀରେ ଲୋକ ଘର କରିବା ଦୂର କଥା ଭଡ଼ାରେ ବି ରହିପାରିବେନି। ଯେତିକି ପୁରୁଣା ଘର ଅଛି ବା ପୁରୁଣା ଜମି ଅଛି ତାହାରି ଉପରେ ହୋଲଡିଂ ଟିକସ ଦେଉଥିବା ଲୋକ ହିଁ ନୂଆ ଘର କରିବେ କିମ୍ବା ସେଠାରେ ଘର ଭଡ଼ା ନେବେ। ନୂଆ ଜାଗାରେ ଘର ନିର୍ମାଣ କଥା ଲୋକଙ୍କ ମୁଣ୍ଡରୁ ଉତୁରିଯିବ।

ବିଏମ୍‌ସି ହୋଲଡିଂ ଟିକସ ଆଦାୟ ନିୟମକୁ ସଂଶୋଧନ କରିଥିବାବେଳେ ଏବେ ନୂଆ ଘର ଏବଂ ଆପାର୍ଟମେଣ୍ଟଗୁଡ଼ିକୁ ବାର୍ଷିକ ଲକ୍ଷାଧିକ ଟଙ୍କା ହୋଲଡିଂ ଟିକସ ବାବଦକୁ ଦେବାକୁ ପଡ଼ିବ। ଯିଏ ହୋଲଡିଂ ଟିକସ ବାବଦକୁ ବାର୍ଷିକ ଲକ୍ଷାଧିକ ଟଙ୍କା ଦେବେ ସେ ଏବେ ଯେଉଁଭଳି ଘରୁ ଭଡ଼ା ବାବଦକୁ ୧୦ହଜାର ଟଙ୍କା ଆଦାୟ କରୁଛନ୍ତି ସେହିଭଳି ଘର ‌ଆଉ ଗୋଟେ କଲେ ସେଠାରୁ ୨୦ହଜାର ଟଙ୍କା ଭଡ଼ା ଆଦାୟ ନକଲେ ଘର ଭଡ଼ାରେ ଲଗାଇପାରିବେନି। ସେହିଭଳି ଯେଉଁ ଦୋକାନରୁ ଭଡ଼ା ବାବଦକୁ ୨୦ହଜାର ଟଙ୍କା ନେଉଛନ୍ତି ସେହିଭଳି ଦୋକାନ କଲେ ୪୦ହଜାର ଟଙ୍କା ଭଡ଼ା ନେବେ।

ବିଏମ୍‌ସି ଆପାର୍ଟମେଣ୍ଟଗୁଡ଼ିକରୁ ହୋ‌ଲଡିଂ ଟିକସ ଆଦାୟ ପାଇଁ ନିୟମ କରିଛି ଯେ, ଯେତିକି ଟଙ୍କାରେ ଘର କିଣା ହୋଇଥିବ ତାହାର ମୂଲ୍ୟ ହିସାବକୁ ନିଆଯିବ ଏବଂ ଫ୍ଲାଟ୍ ବାବଦକୁ ଯେତିକି ଜମି ପଞ୍ଜୀକୃତ ହୋଇଥିବ ତାହାକୁ ହିସାବକୁ ନେଇ ହୋଲଡିଂ ଟିକସ ହିସାବ ହେବ। ସେହିପରି ଯେଉଁମାନେ ନୂଆ ଘର ନିର୍ମାଣ କରିବେ ସେମାନଙ୍କ ଠାରୁ ଘରର ମୂଲ୍ୟ ହିସାବରେ ବି ହୋଲଡିଂ ଟିକସ ଆଦାୟ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା ବର୍ଗଫୁଟ ପିଛା ଘର ନିର୍ମାଣ ଖର୍ଚ୍ଚକୁ ହିସାବକୁ ନେଇ ଏହି ଟିକସ ଧାର୍ଯ୍ୟ ହେବ। ଫଳରେ ଆପାର୍ଟମେଣ୍ଟ କିଣୁଥିବା ଏବଂ ନୂଆ ଘର ନିର୍ମାଣ କରିବାକୁ ଥିବା ଲୋକ ବିଏମ୍‌ସିକୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଟିକସ ଗଣିବା ଥୟ। ସେହିପରି ନିର୍ମାଣ ହେଉଥିବା ଘର ଯେତିକି ଦାମିକିଆ ହେବ ଟିକସ ବି ସେତେ ଅଧିକ ହେବ।

ବିଏମ୍‌ସିର ନୂଆ ଟିକସ ରଣନୀତି ରାଜଧାନୀରେ ଲୋକଙ୍କ ଜୀବନଶୈଳୀକୁ ମହଙ୍ଗା କରିଦେବାକୁ ଯାଉଛି। ଏପଟେ ବର୍ଦ୍ଧିତ ହୋଲଡିଂ ଟିକସ ପ୍ରତ୍ୟାହାର ନହେଲେ ବିଜେପି ଓ କଂଗ୍ରେସ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ଇଂରେଜ ଅମଳରେ ଜିଜିଆ କର ଆଦାୟ ଭଳି ବିଏମ୍‌ସି ହୋଲଡିଂ ଟିକସ ଆଦାୟ କରିବାକୁ ଯୋଜନା କରୁଛି। ଏଥିରେ ସଂଶୋଧନ ନଆଣିଲେ ବିଜେପି ଜନଆ‌ନ୍ଦୋଳନ କରିବ। ରାସ୍ତାକୁ ଓହ୍ଲାଇବ। ବିଏମ୍‌ସି ଯଦି ରାଜଧାନୀର ଏବଂ ଲୋକଙ୍କର ବିକାଶ କରିବାକୁ ଚାହୁଁଛି ତେବେ ଲୋକଙ୍କ ମତ ନେଇ ହୋଲଡିଂ ଟିକସ ବଢ଼ାଉ। ଯେପରି ସମସ୍ତେ ଦେଇପାରିବେ ଏବଂ ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହେବନି ତାହାକୁ ଧ୍ୟାନ ଦେଉ। ଏବେ ବିଏମ୍‌ସିରେ କର୍ପୋରେସନ ନଥିବାରୁ ଅଧିକାରୀମାନେ ମନଇଚ୍ଛା ନିଷ୍ପତ୍ତି ନନିଅନ୍ତୁ। ପୂର୍ବରୁ ହୋଲଡିଂ ଟିକସ, ୟୁଜର୍ସ ଫି’ ଆଦାୟ ନେଇ ବିଏମ୍‌ସି ଲୋକଙ୍କ ଉପରେ ବୋଝ ଲଦିଥିବାବେଳେ ଏହା ଏବେ କୋର୍ଟରେ ବିଚାରାଧୀନ ଅଛି। ଭୁବନେଶ୍ବରର ଉନ୍ନତି ପାଇଁ ବିଏମ୍‌ସି ଟିକସ ଆଦାୟ କରିବାକୁ ଚାହୁଁଥିଲେ ଲୋକଙ୍କୁ ସୁହାଇଲା ଭଳି ଆଦାୟ କରୁ।

ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ୨୦ ବର୍ଷ ହେଲା ବିଏମ୍‌ସି ଟଙ୍କାଟିଏ ହୋଲଡିଂ ଟିକସ ବଢାଇ ନଥିଲା। ହେଲେ ଏବେ କ’ଣ ଆବଶ୍ୟକତା ପଡିଲା ଯେ, ହଠାତ ଟିକସ ବଢାଇବାକୁ ବିଏମ୍‌ସି ନିଷ୍ପତ୍ତି ନେଲା। ଯଦି ରାଜସ୍ବ ବଢାଇବାର ଅଛି ତେବେ ୫ରୁ ୧୦ପ୍ରତିଶତ ବଢାଯାଉ। ଏଥିରୁ ଅଧିକ ବଢାଗଲେ କଂଗ୍ରେସ ଆନ୍ଦୋଳନ କରିବ। ବିଏମ୍‌ସିକୁ ଅଚଳ କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର