କ୍ୟାପିଟାଲ ହସ୍ପିଟାଲରେ ନୂତନ ବ୍ୟବସ୍ଥା: ନିର୍ମାଣ ହେବ ୨ଶହ ଶଯ୍ୟା ବିଶିଷ୍ଟ ଏମ୍‌ସିଏଚ୍ କୋଠା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆଉ ଏକ ୨ଶହ ଶଯ୍ୟା ବିଶିଷ୍ଟ ମଦର ଏଣ୍ଡ ଚାଇଲ୍‌ଡ ବା ଏମ୍‌ସିଏଚ୍‌ କୋଠାର ନିର୍ମାଣ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ହସ୍ପିଟାଲ ପରିସରରେ ଏଥିପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି। ଯଦି ଯୋଜନା ସଂପୂର୍ଣ୍ଣ ଭାବେ ଚୂଡ଼ାନ୍ତ ରୂପ ନିଏ, ତେବେ କ୍ୟାପିଟାଲ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ରୋଗର ଉନ୍ନତ ଚିକିତ୍ସା ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

କ୍ୟାପିଟାଲ ହସ୍ପିଟାଲରେ ଏବେ ୧୦୦ଶଯ୍ୟା ଏମ୍‌ସିଏଚ୍‌ କୋଠା ରହିଛି। ୬ ମହଲା ବିଶିଷ୍ଟ ଏହି କୋଠାରେ କେବଳ ସ୍ତ୍ରୀରୋଗ ବିଭାଗ କାମ କରୁଛି। ମାତ୍ର ଏହା ରୋଗୀମାନଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଆବଶ୍ୟକତାଠାରୁ ଅଧିକ ରୋଗୀ ଆସୁଥିବାରୁ ରୋଗୀଙ୍କୁ ତଳେ ଶୋଇବାକୁ ପଡ଼ୁଛି। ତେଣୁ ନୂତନ କୋଠା ଏହି ସମସ୍ୟାର ସମାଧାନ କରିପାରିବ ବୋଲି ଆଶା କରାଯାଉଛି। ତେବେ ପୁରୁଣା କୋଠା ନିକଟରେ ହିଁ ନୂତନ କୋଠା ନିର୍ମାଣ କରାଯିବ। ଅପରପକ୍ଷେ କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ପିଜିଆଇ ନିୟମ ଅନୁସାରେ ଏହାର କ୍ୟାମ୍ପସରେ ହିଁ ଷ୍ଟାଫ୍ କ୍ବାଟର୍ସ ରହିବ। ତେଣୁ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଗୋଟିଏ ସ୍ଥାନରେ ହିଁ ରହିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ହସ୍ପିଟାଲ ପରିସରରେ ୧୫ଟି ସରକାରୀ କ୍ବାର୍ଟର୍ସ ନିର୍ମାଣ କରାଯିବ। ଏଥିରେ ଡି ଟାଇପ-୧ଟି, ଇ ଟାଇପ୍-୮ଟି ଓ ଏଫ୍‌ ଟାଇପର ୬ଟି କ୍ବାଟର୍ସ ନିର୍ମାଣ କରାଯିବ। ହସ୍ପିଟାଲ ନିକଟରେ ଥିବା ପଛପଟ କ୍ବାଟର୍ସକୁ ଭଙ୍ଗା ଯାଇ ଏହାକୁ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ସ୍ବାସ୍ଥ୍ୟସେବା ନିର୍ଦେଶକ ଡାକ୍ତର ଦିଲ୍ଲୀପ ଷଡ଼ଙ୍ଗୀ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ୨ଶହ ଶଯ୍ୟା ବିଶିଷ୍ଟ ଏମ୍‌ସିଏଚ୍‌ କୋଠା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ତେବେ କେଉଁ ଅର୍ଥରେ ଏହି କୋଠା ନିର୍ମାଣ କରାଯିବ, ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ପୂର୍ବରୁ ହସ୍ପିଟାଲରେ ୧୦୦ଶଯ୍ୟା ବିଶିଷ୍ଟ ଏମ୍‌ସିଏଚ୍‌ କୋଠାରେ ହେଉଥିବା ଭିଡ଼କୁ ଦୂର କରିବାରେ ଏହା ସହାୟକ ହୋଇପାରିବ ବୋଲି ଡା. ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର