ସୋ’ରୁମ୍‌ ପାର୍କିଂ କବ୍‌ଜାରେ ଏନ୍‌ଏଚ୍ ଫୁଟ୍‌ପାଥ୍

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥର ଫୁଟ୍‌ପାଥକୁ କବ୍‌ଜା କରି ବସିଛନ୍ତି ବିଭିନ୍ନ ସୋ’ରୁମ୍‌ମାନଙ୍କର ପାର୍କିଂ। ଫଳରେ ଖଣ୍ଡଗିରିରୁ ତମାଣ୍ଡୋ ମଧ୍ୟରେ ଏହି ଜାତୀୟ ରାଜପଥର ଦୁଇପାର୍ଶ୍ବ ଫୁଟ୍‌ପାଥ୍ ବଡ଼ ବିପଜ୍ଜନକ ହୋଇପଡ଼ିଛି। ଯାତାୟା‌ତରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ମାତ୍ର କମିସନରେଟ୍‌ ପୁଲିସର ଏଥିପ୍ରତି ନିଘା ନାହିଁ। ଜାତୀୟ ରାଜପଥ ଫୁଟ୍‌ପାଥ୍‌କୁ ମୁକ୍ତ ରଖି ଦୁର୍ଘଟଣା ହ୍ରାସ କରିବା ପାଇଁ କମିସନରେଟ୍‌ ପୁଲିସ କିଛି ବି କରୁନଥିବା ପଥଚାରୀମାନେ ଅଭିଯୋଗ କରିଛନ୍ତି। ତମାଣ୍ଡୋସ୍ଥିତ ଏକ କାର୍‌ ସୋ’ରୁମ୍‌ ନିକଟରେ ଏହି ରାଜପଥ ବଡ଼ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି। ଏଠାରେ ଶତାଧିକ ନୂଆ ଓ ପୁରୁଣା କାର୍‌ ରାଜପଥର ଫୁଟ୍‌ପାଥ୍‌ ଉପରେ ରଖାଯାଉଛି। ପ୍ରାୟ ୧୦୦ ମିଟର ଲମ୍ବ ପର୍ଯ୍ୟନ୍ତ ରାସ୍ତା ପାର୍କିଂ ଗାଡ଼ିମାନଙ୍କ କବ୍‌ଜାରେ ରହୁଛି। ଦିନ ରାତି ସବୁବେଳେ ଏମିତି ଅବସ୍ଥାରେ ହିଁ ଗାଡ଼ିଗୁଡ଼ିକୁ ପାର୍କିଂ କରାଯାଉଛି। ବହୁ ସମୟରେ କିଛି କାର୍‌ ରାଜପଥ ଉପରେ ବି ରହୁଥିବା ଦେଖିବାକୁ ମିଳୁଛି। ସେହିଭଳି ଏହାର ଠିକ୍ ଅପରପାର୍ଶ୍ବରେ ଥିବା କିଛି ଫର୍ଣ୍ଣିଚର୍‌ ସୋ’ରୁମ୍‌ ଯୋଗୁଁ ମଧ୍ୟ ବହୁ ଗାଡ଼ିକୁ ରାଜପଥ ଉପରେ ପାର୍କିଂ କରଯାଉଛି। ଫଳରେ ଏଠାରେ ସବୁ ସମୟରେ ରାସ୍ତା ଜାମ୍‌ ରହୁଛି ଓ ସାଇକେଲ୍ ବା ବାଇକ୍‌ ଆରୋହୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସମୟରେ ଦ୍ରୁତ ବେଗରେ ଯାଉଥିବା ଗାଡ଼ିଗୁଡ଼ିକ ଏଠାରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ବେଶି ସମସ୍ୟା ହେଉଛି ସନ୍ଧ୍ୟା ଓ ରାତିରେ। ଅନୁରୂପ ଭାବେ ପାତ୍ରପଡ଼ା ଛକରେ ବି ସର୍ଭିସ୍‌ ରୋଡ୍‌ ଓ ଫୁଟ୍‌ପାଥ୍‌କୁ ମାଡ଼ି ବସୁଛନ୍ତି ପାର୍କିଂ ଗାଡ଼ିମାନେ। ପାତ୍ରପଡ଼ାରେ ୩ଟି ବଡ଼ବଡ଼ ପୋଷାକ ସୋ’ରୁମ୍‌ ରହିଛି। ଏମାନଙ୍କ ପାର୍କିଂ ବେଶ୍ ଛୋଟ। ତେଣୁ ଅନେକ ସମୟରେ ଗ୍ରାହକମାନେ ଗାଡ଼ି ଆଣି ସିଧା ରାଜପଥର ଫୁଟ୍‌ପାଥ୍‌ ଓ ସର୍ଭିସ୍ ରୋଡ୍‌ ଉପରେ ରଖି ଦେଉଛନ୍ତି। ମାର୍କେଟ୍‌ ଭିଡ଼କୁ ଦେଖି କିଛି ଉଠା ଦୋକାନୀମାନେ ମଧ୍ୟ ସେମାନଙ୍କ ପସରା ରାଜପଥ ଉପରେ ଖୋଲି ଦେଇଛନ୍ତି। ଫଳରେ ସନ୍ଧ୍ୟା ବେଳେ ଏଠାରେ ଭିଡ଼ ଜୋର୍‌। ପର୍ବପର୍ବାଣୀ ସମୟରେ ଆହୁରି ଅଧିକ ଜାମ୍‌। ଏମିତି ସମୟରେ ଏହି ସ୍ଥାନ ରାଜପଥ ନୁହେଁ, ବରଂ ଏକପ୍ରକାର ଜନଗହଳିପୂର୍ଣ୍ଣ ମାର୍କେଟ୍‌ ଭଳି ଜଣାପଡ଼େ। ବଡ଼ କଥା ହେଉଛି, ଯଦି କୌଣସି କାରଣରୁ ଗୋଟିଏ ବଡ଼ ଗାଡ଼ି ଏହି ଅଂଶରେ ଭାରସାମ୍ୟ ହରାଏ, ତେବେ ବହୁ ଜୀବନ ହାନି ଘଟିବା ନିଶ୍ଚୟ। ଏନେଇ ଖଣ୍ଡଗିରି ଓ ତମାଣ୍ଡୋ ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ବହୁ ଥର ‌ସୋ’ରୁମ୍‌ମାନଙ୍କୁ ଏଭଳି ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ମଝିରେ ମଝିରେ ଏଭଳି ହେଉଥିବା ଜଣାପଡ଼ିଛି। ତେବେ ଏଣିକି କଡ଼ାକଡ଼ି ଭାବେ ଏଠାରେ ଫୁଟ୍‌ପାଥ୍‌କୁ ମୁକ୍ତ ରଖିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଦୁଇ ଥାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର