ଆଜିଠୁ ନାଇଟ୍‌ କର୍ଫ୍ୟୁ, ରାତି ୯ରୁ ସକାଳ ୫ ଯାଏ କଟକଣା

ବୁଲିଲା ସଚେତନତା ଗାଡ଼ି, ୱାର୍ଡ ଅଫିସ୍‌ରେ ବା‌ର୍ତା
ପର୍ଯ୍ୟାପ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି
ଅଯଥା ଗହଳି ନ କରିବାକୁ କମିସନରଙ୍କ ନିବେଦନ

ଭୁବନେଶ୍ୱର : ରାଜଧାନୀରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ରୋକିବା ଲାଗି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଣ୍ଟା ଭିଡ଼ିଛି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ଓ ଜନ ସଚେତନତା ସୃଷ୍ଟି ଦିଗରେ ଅନେକ ପଦକ୍ଷେପ ନିଆଯାଇଛି। ଗୁରୁବାର ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଆଧାରରେ ଶନିବାରଠାରୁ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହେବ। ତାହାକୁ ଦୃଷ୍ଟିରେ ରଖି ଆଜିଠାରୁ ସଚେତନତା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ହୋର୍ଡ଼ିଂ ଲଗାଯିବା ସହ ସମସ୍ତ ୱାର୍ଡ଼ ଅଫିସ୍‌ରେ କୋଭିଡ଼୍ ସଚେତନତା ବାର୍ତା ପ୍ରଦର୍ଶନ କରାଯାଇଛି। ସଚେତନତା ବାର୍ତା ବାଣ୍ଟୁଥିବା ଗାଡ଼ିଗୁଡ଼ିକୁ ସହରର ବିଭିନ୍ନ ସ୍ଥାନରେ ବୁଲାଇ ପ୍ରଚାର କରାଯାଉଛି। ସହରବାସୀ ଏଥିରେ ସହଯୋଗ କରି କୋଭିଡ୍‌ର ଦ୍ୱିତୀୟ ଲହରିରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି।

ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ସମୟରେ ଘରୁ ନ ବା‌ହାରିବାକୁ କୁହାଯାଇଛି। ତେବେ ଅତ୍ୟାବଶ୍ୟକ ସେବା ଯଥା-ପ୍ରଶାସନିକ, ମ୍ୟୁନିସିପାଲ୍‌, ପ୍ରଶାସନ, ଟେଲିଫୋନ୍‌, ପୁଲିସ୍‌, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ୍‌, ଜଳଯୋଗାଣ, ପରିମଳ, ସ୍ୱରେଜ୍‌, ଆଇଟି, ଔଷଧ ଓ ରସାୟନ ସାମଗ୍ରୀ, ଶିଳ୍ପସଂସ୍ଥା, ନିର୍ମାଣ, ଅତିଥି ସେବା ଯୋଗାଉଥିବା ହୋଟେଲ୍, ଗମନାଗମନ, ପେଟ୍ରୋଲ୍ ପମ୍ପ, ଢାବା ଓ ଗଣମାଧ୍ୟମକୁ ନାଇଟ୍ କର୍ଫ୍ୟୁରୁ ବାଦ୍ ଦିଆଯାଇଅଛି। ଏହି ସମୟରେ ଅତ୍ୟାବଶ୍ୟକ ସେବା ପାଇଁ ଚଳାଚଳ କରୁଥିବା ଗୁଡ଼ିଗୁଡ଼ିକ ନିଜର ଟିକଟ୍‌, କାଗଜପତ୍ର ଓ ପ୍ରମାଣପତ୍ର ଦେଖାଇ ଯାଇପାରିବେ। ନିୟମ ଅନୁସାରେ ବିଭିନ୍ନ କାର୍ଯ୍ୟାଳୟ ଓ ଅନୁଷ୍ଠାନର କର୍ମଚାରୀମାନେ କର୍ତୃପକ୍ଷ ଦେଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ। ନ ହେଲେ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ୍ ମୁତାବକ ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ବର୍ତମାନ ଦେଖାଯାଉଥିବା କରୋନାର ଦ୍ୱିତୀୟ ଲହରିରେ ଭୟଭୀତ ନ ହୋଇ ସଂକ୍ରମଣ ପ୍ରତିରୋଧ ନିୟମକୁ ସମ୍ପୂର୍ଣ୍ଣ ମାନି ଚାଲିବାକୁ ହେବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଜେ ନେବା ଆବଶ୍ୟକ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସମସ୍ତ ପ୍ରକାର ନିୟମକୁ ମାନି ଚଳିବା। ନିଜକୁ ସୁରକ୍ଷିତ ରଖିବା ସହ ପରିବାରକୁ ସଂକ୍ରମଣରୁ ବଞ୍ଚାଇବାକୁ ହେବ। ତେବେ ସହରର ଅନେକ ଲୋକ ଛାନିଆ ହୋଇ ଗତକାଲି ରାତିରୁ ବଜାର ଅଞ୍ଚଳକୁ ଯାଇ ସାମଗ୍ରୀ କିଣାକିଣି କରୁଛନ୍ତି। କୌଣସି ପ୍ରକାରର ବନ୍ଦ ଘୋଷଣାକୁ ଆଖିରେ ରଖି ସାମାଜିକ ଦୂରତା ନ ମାନି ଏଭଳି କରୁଛନ୍ତି। ‌ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଭୟଭୀତ ହୋଇ ଭିଡ଼ ଭିତରକୁ ଯାଇ ସାମଗ୍ରୀ କିଣିବାରୁ ଲୋକେ ଦୂରେଇ ରୁହନ୍ତୁ। ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, କ୍ଷୀର, ଖାଇବା ସାମଗ୍ରୀ ଆଦି ସହରବାସୀଙ୍କ ପାଇଁ ଉପଲବ୍ଧ ହେବ। ତେଣୁ ଲୋକେ ଏହାକୁ ବିନା ଭିଡ଼ରେ ଯାଇ ଆଣନ୍ତୁ କିମ୍ବା ଅନ୍‌ଲାଇନ୍ ଯୋଗେ କିଣନ୍ତୁ। ଫଳରେ ଭୁବନେଶ୍ୱରକୁ ଦ୍ୱିତୀୟ ଲହରିରୁ ଅନେକ ସୁରକ୍ଷା ଦେଇପାରିବା। ଏହାବ୍ୟତୀତ ସମସ୍ତ ନାଗରିକ କୋଭିଡ଼୍ ପ୍ରତିରୋଧ ନିୟମ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର