ଉତ୍ତର ପୁରୁଷ ନାଟକ ପରିକ୍ରମା: ‘ସବୁଠୁ ଉଦାସ କବିତା’ରେ ହାରିଗଲା ଅପୂର୍ବା

ଭୁବନେଶ୍ୱର: ସମାଜର କିଛି କଦର୍ଯ୍ୟ ମାନସିକତାକୁ କଲମ ମୁନରେ ବଦଳାଇବାକୁ ଚେଷ୍ଟା କରେ ସାମ୍ବାଦିକା ଅପୂର୍ବା। କିନ୍ତୁ ପାରେନି। କଲମ ହାରିଗଲା ପରେ ସେ ଧରେ ଅସ୍ତ୍ର ଓ ସଶସ୍ତ୍ର ସଂଗ୍ରାମର ସାରଥୀ ହୁଏ। ଗରିବ, ନିଷ୍ପେସିତମାନଙ୍କ ଅଧିକାର ପାଇଁ ଲଢ଼େ। ବ୍ୟବସ୍ଥା ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା ଦିଏ। କିନ୍ତୁ ପୁଣି ହାରିଯାଏ। ଶେଷରେ ଆତ୍ମସମର୍ପଣ କରେ ବ୍ୟବସ୍ଥା ଆଗରେ। ଏମିତିରେ ସରିଯାଏ ଅପୂର୍ବାର ଜୀବନ। ଅକାଳରେ ଝରିପଡ଼େ ତା’ର ସ୍ବପ୍ନ। ହେଲେ ସତରେ କ’ଣ ଏଭଳି ଜୀବନସବୁ ସରିଯାଏ, ନା ପୁଣି ଆଉ ଜଣେ ଅପୂର୍ବା ଜନ୍ମ ନିଏ! ଏହି ଧାରା କ’ଣ ନିରନ୍ତର ଚାଲୁଥାଏ! ଏଭଳି ଏକ ଜୀବନଧର୍ମୀ କାହାଣୀକୁ ନେଇ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ‘ସବୁଠୁ ଉଦାସ କବିତା’। ଉତ୍ତର ପୁରୁଷ ନାଟକ ପରିକ୍ରମା-୨୦୨୨ ଉଦ୍‌ଘାଟନ ଅବସରରେ ‘ଉତ୍ତର ପୁରୁଷ’ ନାଟ୍ୟ ସଂସ୍ଥା ପକ୍ଷରୁ ଏହି ନାଟକ ପରିବେଷିତ ହୋଇଥିଲା। ସ୍ବଦେଶ ଦୀପକ ଏହାର ମୂଳ ରଚନା କରିଥିବା‌ ବେଳେ ଭାରତ ମାଝୀ ଅନୁସୃଜନ କରିଥିଲେ। ଦେବଦତ୍ତ ପତି ନିର୍ଦ୍ଦେଶନା ଦେଇଥିଲେ। ଆଜିର ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ‘କାଦମ୍ବିନୀ’ ସମ୍ପାଦିକା ଇତି ସାମନ୍ତ, ବିଶିଷ୍ଟ ଗାଳ୍ପିକା ବିୟତପ୍ରଜ୍ଞା ତ୍ରିପାଠୀ, କବି ଭାରତ ମାଝୀ ଓ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଦେବବ୍ରତ ପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର