ବଜେଟ୍‌ ଅଛି, ଆନ୍ତରିକତା ନାହିଁ

ଓଡ଼ିଶା ସଂଗୀତ ନାଟକ ଏକାଡେମି କ୍ୟାଲେଣ୍ଡରରୁ କାର୍ଯ୍ୟକ୍ରମ ଉଭାନ, ଅଟକିଗଲା ଡକ୍ୟୁମେଣ୍ଟେସନ୍‌ ଅଭିଯାନ

ଭୁବନେଶ୍ୱର: ବଜେଟ୍‌ ଅଛି। ହେଲେ କାର୍ଯ୍ୟକ୍ରମ କରିବାକୁ ଆନ୍ତରିକତା ନାହିଁ। ଫଳରେ ଓଡ଼ିଶା ସଂଗୀତ ନାଟକ ଏକାଡେମିର କାର୍ଯ୍ୟକ୍ରମ କ୍ୟାଲେଣ୍ଡରରୁ ଲିଭି ଯାଉଛି ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ। ଏମିତି କି କାଳଜୟୀ ବ୍ୟକ୍ତିମାନଙ୍କର ଜୀବନଚର୍ଯ୍ୟାକୁ ନେଇ ଆରମ୍ଭ ହୋଇଥିବା ଡକ୍ୟୁମେଣ୍ଟେସନ୍‌ ଅଭିଯାନ ବି ଅଟକି ଯାଇଛି। ଓଡ଼ିଶାରେ ଶିଶୁମାନଙ୍କର ବୌଦ୍ଧିକ ବିକାଶ ସହିତ ଅନ୍ତର୍ନିହିତ ନାଟ୍ୟ ପ୍ରତିଭାକୁ ବିକଶିତ କରିବା ପାଇଁ ୧୯୮୯ ମସିହାରେ ଆରମ୍ଭ ହୋଇଥିଲା ଶିଶୁ ନାଟକ ଉତ୍ସବ। ୧୯୯୫ ମସିହା ପର୍ଯ୍ୟନ୍ତ ନିୟମିତ ଚାଲିଲା। ପରେ କିନ୍ତୁ ବନ୍ଦ କରି ଦିଆଗଲା। ପୁନର୍ବାର ୨୦୧୫ରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲା। ତାହା ବି ବେଶି ଦିନ ଯାଇ ପାରିଲାନି। ସେଇ ଗୋଟିଏ ବର୍ଷରେ ଅଟକିଗଲା। ପିଲାଙ୍କ ଖରାଛୁଟି ବେଳେ ହେଉଥିବା ଏହି କାର୍ଯ୍ୟକ୍ରମ ୩ ବର୍ଷ ହେଲା ହୋଇପାରୁନାହିଁ। ପ୍ରାଚୀନ ପରମ୍ପରାର ନିଦର୍ଶନ ଗୀତିନାଟ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ଛାନ୍ଦ ଓ ସଂଳାପରେ ପୌରାଣିକ ଓ ଐତିହାସିକ କଥାବସ୍ତୁକୁ ଉପସ୍ଥାପନ କରିବାର ମାଧ୍ୟମ ଥିବା ଏହି ଗୀତିନାଟ୍ୟ ଉତ୍ସବକୁ ମଧ୍ୟ ୨୦୧୫ରେ ବନ୍ଦ କରି ଦିଆଯାଇଛି। ୨୦୧୭ରେ ଏଥିପାଇଁ ଉଦ୍ଦିଷ୍ଟ ବଜେଟ୍‌କୁ ଆଉ ଏକ କାର୍ଯ୍ୟକ୍ରମରେ ବିନିଯୋଗ କରି ଦିଆଗଲା।

ଖାଲି ସେତିକି ନୁହେଁ, ଓଡ଼ିଶା ବାହାରେ ଓଡ଼ିଆ ସାହିତ୍ୟ ଓ ନାଟ୍ୟ ପ୍ରତିଭାଙ୍କୁ କୃତିତ୍ୱ ପ୍ରଦର୍ଶନ ପାଇଁ ରାଜ୍ୟ ବାହାରେ ‘ଓଡ଼ିଆ ନାଟ୍ୟ ସମାରୋହ’ କରାଯାଉଥିଲା। ପୁଣି ବର୍ଷକୁ ୨ ଥର ଜାତୀୟ ନାଟ୍ୟ କର୍ମଶାଳା ମଧ୍ୟ ହେଉଥିଲା। ୨୦୧୫ ଓ ୨୦୧୬ରେ ହୋଇଥିବା ଏହି କାର୍ଯ୍ୟକ୍ରମ ସେତିକିରେ ସୀମିତ ରହିଗଲା। ନୃତ୍ୟ ଓ ସଂଗୀତ ଭିତ୍ତିକ ଆଲୋଚନାଚକ୍ରକୁ ବି ବନ୍ଦ କରି ଦିଆଗଲା। ଏମିତିକି ସଂଗୀତ, ନୃତ୍ୟ, ନାଟକ, ଲୋକନୃତ୍ୟ ଓ ଲୋକଗୀତ କ୍ଷେତ୍ରରେ ଧୁରୀଣ ପ୍ରତିଭାଙ୍କ ଜୀବନଚର୍ଯ୍ୟାକୁ ନେଇ ଡକ୍ୟୁମେଣ୍ଟେସନ୍‌ ଆରମ୍ଭ ହୋଇଥିଲା। ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ଏବଂ ନାଟ୍ୟ ନିର୍ଦେଶକ ଅସୀମ ବସୁଙ୍କ ଜୀବନଚର୍ଯ୍ୟାକୁ ନେଇ ୨ଟି ଭିଡିଓ ପ୍ରସ୍ତୁତ ହୋଇଥିଲା। ମାତ୍ର ୨ ଜଣଙ୍କ ପରେ ତାହା ବି ବନ୍ଦ ହୋଇଗଲା। ଗବେଷକମାନେ ଏହାଦ୍ୱାରା ଉପକୃତ ହେବା ସହ ଯୁବପିଢ଼ି ପ୍ରେରଣା ପାଇବା ଉଦ୍ଦେଶ୍ୟରେ ଏହିଭଳି ଡକ୍ୟୁମେଣ୍ଟେସନ୍‌ ଅଭିଯାନ ଆରମ୍ଭ ହୋଇଥିଲା। ଅଥଚ ତାକୁ ବି ବଜାୟ ରଖି ପାରିଲେ ନାହିଁ। ଏକାଡେମିର ଏହି ବେପରଓ୍ଵା ଆଭିମୁଖ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର