ମନଇଚ୍ଛା ଫି’ ବୃଦ୍ଧି ମହଙ୍ଗା ପଡ଼ିଲା, ପୁଣି ୩ ଘରୋଇ ସ୍କୁଲ୍‌କୁ ନୋଟିସ୍‌

ଭୁବନେଶ୍ବର: ମନଇଚ୍ଛା ଫି’ ବୃଦ୍ଧି ପୁଣି ମହଙ୍ଗା ପଡ଼ିଲା। ଭୁବନେଶ୍ବରର ଆଉ ୩ଟି ଘରୋଇ ସ୍କୁଲ୍‌କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ପୂର୍ବରୁ ମଧ୍ୟ ୩ଟି ସ୍କୁଲ୍‌କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। କଳ୍ପନା ଛକରେ ଥିବା ଏକ ପ୍ରମୁଖ ଘରୋଇ ବିଦ୍ୟାଳୟ ସମେତ ଚନ୍ଦ୍ରଶେଖରପୁର ଥାନା ନିକଟ ଓ ଡୁମୁଡୁମୁଠାରେ ଥିବା ଘରୋଇ ସ୍କୁଲ୍‌କୁ ମଧ୍ୟ ନୋଟିସ୍‌ ଜାରି ହୋଇଛି। ଚନ୍ଦ୍ରଶେଖରପୁରଠାରେ ଥିବା ବିଦ୍ୟାଳୟ ନବମ ଓ ଦଶମ ଶ୍ରେଣୀ ପାଇଁ ଏନ୍‌ଓସି (ସ୍ବୀକୃତିପତ୍ର) ଗ୍ରହଣ କରି ନଥିବା ନୋଟିସ୍‌ରେ ଦର୍ଶାଯାଇଛି। ଏହି ବିଦ୍ୟାଳୟ ୩୦ରୁ ୫୦ ପ୍ରତିଶତ ଫି’ ବୃଦ୍ଧି କରିଥିବା ଅଭିଯୋଗ ହୋଇଥିଲା।

ସେହିପରି କଳ୍ପନା ଅଞ୍ଚଳରେ ଥିବା ବିଦ୍ୟାଳୟ ୧୦.୭୩%ରୁ ୧୪.୫୬% ପର୍ଯ୍ୟନ୍ତ ଫି’ ବୃଦ୍ଧି କରିଛି। ଡୁମୁଡୁମାଠାରେ ଥିବା ଘରୋଇ ବିଦ୍ୟାଳୟ ମଧ୍ୟ ୧୮%ରୁ ଅଧିକ ଫି’ ବୃଦ୍ଧି କରିଥିବା ଅଭିଯୋଗ ହୋଇଛି। ସରକାରଙ୍କ ଦ୍ବାରା ଗଠିତ ଏଫ୍ଆର୍‌ସି କମିଟି ରିପୋର୍ଟ ଆଧାରରେ ସର୍ବାଧିକ ୮% ଫି’ ବୃଦ୍ଧି କରିପାରିବେ। ତେବେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକ ନିୟମ ପାଳନ କରି ନଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଥିଲା। ସେହି ଆଧାରରେ କାହିଁକି ଏନ୍‌ଓସି ପ୍ରତ୍ୟାହାର କରା ନଯିବ ବୋଲି ନୋଟିସ୍‌ ଜାରି ହୋଇଛି। ଏଭଳି ଫି’ ବୃଦ୍ଧି ବିରୋଧରେ ଭୁବନେଶ୍ବରରୁ ଆରମ୍ଭ କରି ସମସ୍ତ ସହରର ଅଭିଭାବକଙ୍କୁ ସଚେତନ କରାଯିବ ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି। ଆଜି ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଭୁବନେଶ୍ବର ସଂଯୋଜକ ଭୂମୋହନ ପଟ୍ଟନାୟକ, ସହ ଅଧ୍ୟକ୍ଷ ସତ୍ୟବ୍ରତ ପରିଜା, ପ୍ରସନ୍ନ ବିଷୋୟୀ, ଉପସଭାପତି ସତ୍ୟବ୍ରତ ବିଶ୍ବାଳ, ସମ୍ପାଦକ ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର