କ୍ୟାପିଟାଲ ହସ୍ପିଟାଲ ପାଲଟିଛି ଅସାମାଜିକଙ୍କ ଆଡ଼ା: ଷ୍ଟାଫ୍‌ନର୍ସଙ୍କୁ ବ୍ଲାକ୍‌ମେଲ୍‌

ଅତିଷ୍ଠ ହୋଇ ହସ୍ପିଟାଲ ଛାଡ଼ିଲେ, ସୁରକ୍ଷା ଦେଇପାରିଲେନି କର୍ତୃପକ୍ଷ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ଷ୍ଟାଫ୍ ନର୍ସଙ୍କ ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରାଗଲା। ହସ୍ପିଟାଲରେ କାର୍ଯ୍ୟ କରୁଥିବା କର୍ମଚାରୀ ତାଙ୍କୁ ବ୍ଲାକମେଲ କଲେ। ପରିସ୍ଥିତି ଏପରି ହେଲା ଯେ, ଷ୍ଟାଫନର୍ସ ଜଣଙ୍କ ହସ୍ପିଟାଲ ଛାଡ଼ିବାକୁ ବାଧ୍ୟ ହେଲେ। ହସ୍ପିଟାଲ କର୍ତୃପକ୍ଷ ଘଟଣା ସଂପର୍କରେ ଜାଣି ମଧ୍ୟ ସଂପୃକ୍ତ ଷ୍ଟାଫନର୍ସଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ଏବେ ସେ ଅନ୍ୟତ୍ର କାମ କରୁଥିବା ସୂଚନା ମିଳିଛି। କେବଳ ଏହି ଘଟଣା ନୁହେଁ, ବାରମ୍ବାର ହସ୍ପିଟାଲର ଡାକ୍ତର ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଧମକ ଦିଆଯିବା ଘଟଣା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଏକ ପୁଲିସ ଫାଣ୍ଡି ରହିଥିଲେ ହେଁ, ଏହା ଲୋକଙ୍କ ସହିତ କର୍ମଚାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି। ସୂଚନା ଅନୁସାରେ, ମାସକ ତଳେ ହସ୍ପିଟାଲର ଜଣେ କର୍ମଚାରୀ ଷ୍ଟାଫ୍‌ନର୍ସଙ୍କ ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରିଥିଲେ। ଫଟୋ ବଦଳରେ ତାଙ୍କୁ ଲକ୍ଷାଧିକ ଟଙ୍କା ମାଗିଥିଲେ। ଟଙ୍କା ଦେଇ ନ ପାରିବା କାରଣରୁ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିରେ ଅତିଷ୍ଠ ହୋଇ ସେ ହସ୍ପିଟାଲ ସହିତ ରାଜଧାନୀ ଛାଡ଼ି ଦେଇଛନ୍ତି। ହସ୍ପିଟାଲ କର୍ତୃପକ୍ଷ ଏହି ଘଟଣା ସଂପର୍କରେ ଜାଣିଥିଲେ ହେଁ, ହସ୍ପିଟାଲର ବଦନାମ ଭୟରେ ତଦନ୍ତ କଲେ ନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କଲେନାହିଁ। ଅଭିଯୁକ୍ତ ଜଣକ ଏହି ଆଡ଼ାର ପ୍ରମୁଖ ସଦସ୍ୟ ବୋଲି କୁହାଯାଉଛି। ଏଭଳି ଘଟଣା ହସ୍ପିଟାଲରେ କାର୍ଯ୍ୟ କରୁଥିବା ଅନ୍ୟ ଷ୍ଟାଫନର୍ସ ଓ କର୍ମଚାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମାତ୍ର ଏହି କାଣ୍ଡ ଭିଆଇଥିବା କର୍ମଚାରୀ ଜଣକ ଏବେ ବି ହସ୍ପିଟାଲରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ରାତି ୯ଟା ପରେ ହସ୍ପିଟାଲର ‘ନିରାମୟ’ କାଉଣ୍ଟର୍‌ ସମ୍ମୁଖରେ ଅସାମାଜିକଙ୍କ ଆଡ଼ା ଜମୁଛି। ହସ୍ପିଟାଲ କର୍ମଚାରୀଙ୍କ ସହିତ ବାହାରୁ ମଧ୍ୟ କିଛି ଯୁବକ ଏହି ଖଟିରେ ସାମିଲ ହେଉଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଡ଼ା ଜମୁଛି। କେବଳ ଖଟିରେ ଏହା ସୀମିତ ରହୁନାହିଁ। ଅଧିକାଂଶ ସମୟରେ ଏହି ଅସାମାଜିକ ବ୍ୟକ୍ତି ଡାକ୍ତରଙ୍କଠାରୁ ଆରମ୍ଭ କରି ଷ୍ଟାଫ୍‌ନର୍ସ ଓ ଅନ୍ୟମାନଙ୍କୁ ଧମକ ଦେଉଛନ୍ତି। ଯେତେ ଭିଡ଼ ଥିଲେ ହେଁ ନିଜର ରୋଗୀଙ୍କୁ ଆଗୁଆ ଦେଖିବା ପାଇଁ ବାଧ୍ୟ କରୁଛନ୍ତି। ‘ନିରାମୟ’ କାଉଣ୍ଟର୍‌କୁ ଲାଗି ପୁଲିସ ଫାଣ୍ଡି ରହିଥିଲେ ହେଁ, କେଉଁ ପରିସ୍ଥିତିରେ ଅସାମାଜିକ ବ୍ୟକ୍ତି ସେଠାରେ ଆଡ଼ା ଜମାଇବାରେ ସଫଳ ହୋଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେମାନଙ୍କୁ ନିୟନ୍ତ୍ରଣ କରିବାରେ ଫାଣ୍ଡି କର୍ମଚାରୀ ବିଫଳ ହେବା ହସ୍ପିଟାଲ କର୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି।

ଦିଆଯାଉନି ଆବଶ୍ୟକ ଡିଟରଜେଣ୍ଟ ଓ ହ୍ୟାଣ୍ଡୱାସ୍
କ୍ୟାପିଟାଲ ହସ୍ପିଟାଲର ସମସ୍ତ ୱାର୍ଡରେ ଆବଶ୍ୟକ ପରିମାଣର ଷ୍ଟେରିଲାଇଜେସନ୍ ଲିକ୍ବିଡ୍ ଓ ବେଡ୍‌ସିଟ୍ ସଫା ପାଇଁ ଆବଶ୍ୟକ ଡିଟରଜେଣ୍ଟ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଗତ କିଛିଦିନ ହେବ ଏହାକୁ ନେଇ ରୋଗୀଙ୍କ ସଂପର୍କୀୟ ଓ ଅନ୍ୟାନ୍ୟ ସଫେଇ କର୍ମଚାରୀ ସମସ୍ୟାରେ ପଡ଼ିଛନ୍ତି। ସୂଚନା ଅନୁସାରେ, ଆଇସିୟୁରେ ଷ୍ଟେରିଲାଇଜର ଲିକ୍ବିଡ୍‌ ମାସକୁ ୨୦ଟି ଆବଶ୍ୟକ ହେଉଥିବା ବେଳେ କର୍ମଚାରୀଙ୍କୁ ୮ଟି ଦିଆଯାଉଛି। ଶିଶୁ ୱାର୍ଡ ଏସ୍‌ଏନ୍‌ସିୟୁ ପାଇଁ ୧୦/୧୫ କେଜି ଡିଟରଜେଣ୍ଟ ଆବଶ୍ୟକ ହେଉଥିବା ବେଳେ ଏଥିପାଇଁ ୩.୫ କେଜି ଦିଆଯାଉଛି। ଏହାସହ ସବୁ ୱାର୍ଡରେ ଆବଶ୍ୟକ ପଡ଼ୁଥିବା କାଗଜପତ୍ର ମଧ୍ୟ ଆବଶ୍ୟକ ପରିମାଣର ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏଥିପାଇଁ କର୍ତୃପକ୍ଷଙ୍କୁ ନିକଟରେ କର୍ମଚାରୀମାନେ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ।

ପୁଲିସ ଅଧିକାରୀଙ୍କୁ ଚିଠି ଲେଖାଯିବ: ନିର୍ଦେଶକ
କ୍ୟାପିଟାଲ ହସ୍ପିଟାଲ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିବା ଘଟଣାରେ କମିସନରେଟ୍ ପୁଲିସର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଅଶୋକ ପଟ୍ଟନାୟକ। ଡା.ପଟ୍ଟନାୟକ କହିଛନ୍ତି, ଦୁଇ ଦିନ ତଳେ ହସ୍ପିଟାଲରେ ଥିବା ସର୍ଭରକୁ ବାଡ଼େଇ ଭାଙ୍ଗିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଉପରିସ୍ଥ ପୁଲିସ ଅଧିକାରୀଙ୍କୁ ଜଣାଇ ଦିଆଯିବ। କିନ୍ତୁ ମହିଳା ଷ୍ଟାଫନର୍ସଙ୍କୁ ବ୍ଲାକମେଲ କରାଯିବା ଘଟଣା ନ‌ିର୍ଦେଶକ ପଦବି ଗ୍ରହଣ କରିବାର ପୂର୍ବରୁ ହୋଇଥାଇ ପାରେ। ଅପରପକ୍ଷରେ ଷ୍ଟେରିଲାଇଜେସନ୍ ଲିକ୍ବିଡ୍ ଓ ଡିଟରଜେଣ୍ଟର ଯେଉଁ ଅଭାବ ରହିଥିଲା ତାହା ପୂରଣ ହୋଇଛି। ଗତ ୨/୩ ଦିନ ହେବ ଏସବୁ କିଣାଯାଇ ଆବଶ୍ୟକ ମୁତାବକ ବିଭିନ୍ନ ୱାର୍ଡକୁ ଦିଆଯାଇଥିବା ଡା.ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର