ଓଡ଼ିଶୀରେ ‘ରସ ବିଚିତ୍ରା’

ଭୁବନେଶ୍ୱର: ରାଧାକୃଷ୍ଣଙ୍କ ଅପାର୍ଥିବ ପ୍ରେମର ପରିକଳ୍ପନା ହେଉ ଅବା ଗଣେଶ ଜନ୍ମର ରୋଚକ କାହାଣୀ ଆଧାରରେ ରସ ବିଚିତ୍ରାର ଆଧ୍ୟାତ୍ମିକ ଅବବୋଧ। ସବୁକୁ ନୃତ୍ୟରେ ଭେଟି ଦେଇଥିଲେ ‘ନୃତ୍ୟ ନୈବେଦ୍ୟ’ର କଳାକାରବୃନ୍ଦ। ଅନୁଷ୍ଠାନ ପକ୍ଷରୁ ଭଂଜ କଳା ମଣ୍ଡପରେ ଆୟୋଜିତ ନୃତ୍ୟ ଉତ୍ସବ ‘ନୃତ୍ୟାଶା’ର ପ୍ରଥମ ସନ୍ଧ୍ୟାରେ ଦର୍ଶକ ଏହି ଆଧ୍ୟାତ୍ମିକ ଭାବଧାରାକୁ ନୃତ୍ୟରେ ମନୋରଂଜନ କରିଥିଲେ।

ଆରତି କରଙ୍କ ଦ୍ୱାରା ‘ତ୍ରାହି ଦୁର୍ଗା’, ପୂର୍ଣ୍ଣତା ମହାନ୍ତିଙ୍କ ‘କି ନାଦରେ ପ୍ରାଣ ସଙ୍ଗିନୀ..ଗୀତରେ ନୃତ୍ୟାଭିନୟ, ସୁଲଗ୍ନା ଜେନାଙ୍କ ନୃତ୍ୟରେ ‘କିଏଗୋ ବାନ୍ଧିଲା କଳାକୁଞ୍ଜରେ’, ‘କଦମ୍ବ ବନେ ବଂଶୀ ବାଜିଲାରେ..ଗୀତରେ ସୁଦେଷ୍ଣା ମହାନ୍ତିଙ୍କ ନୃତ୍ୟ, ମୀରା ଭଜନରେ କାତ୍ୟାୟିନୀ ମହାନ୍ତିଙ୍କ ନୃତ୍ୟ ସମେତ ଦଳଗତ ପରିବେଷଣରେ ରସ ବିଚିତ୍ରାକୁ ଦର୍ଶକେ ଉପଭୋଗ କରିଥିଲେ। ସମସ୍ତ ନୃତ୍ୟର ସଂରଚନା କରିଥିଲେ ପ୍ରଭାତ ସ୍ୱାଇଁ। ସୁକାନ୍ତ କୁମାର କୁଣ୍ଡୁ ସ୍ୱର ସଂଯୋଜନା କରିଥିବା ବେଳେ ଧନେଶ୍ୱର ସ୍ୱାଇଁ ବାଦ୍ୟ ସଂଯୋଜନା କରିଥିଲେ। ନିତ୍ୟାନନ୍ଦ ସ୍ୱାଇଁ ରସବିଚିତ୍ରାର ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ପ୍ରାରମ୍ଭରେ ପରିବେଶବିତ୍‌ ତଥା ପ୍ରେରଣାର ସଭାପତି ଡ.ଦିଲ୍ଲୀପ୍‌ ଶ୍ରୀଚନ୍ଦନ, ଲେଖକ ମଙ୍ଗଳାପ୍ରସାଦ ପ୍ରଧାନ, ଓଡ଼ିଶୀ ଗୁରୁ ବିମ୍ବାଧର ଦାସ, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ ମିଶ୍ର, ଇଣ୍ଡିଆ ଟୁରିଜିମ୍‌ର ପର୍ଯ୍ୟଟନ ସୂଚନା ଅଧିକାରୀ ଜଗନ୍ନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ଶ୍ରୀନିବାସ ଘଟୁଆରୀ।

ସମ୍ବନ୍ଧିତ ଖବର