ଅମାନିଆ ପ୍ରବାସୀ ଓଡ଼ିଆ: ରାଜଧାନୀରେ ବୁଲୁଛନ୍ତି, ଦୁଇଜଣଙ୍କୁ ଫେରାଇଲା ଜିଆର୍‌ପି

୫ ଚାଲି ଚାଲି ପଳାଇ ଯାଉଥିଲେ, ଆଉ ୭ ବୁଲୁଛନ୍ତି

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ଗୋଟିଏ ପଟେ ସଫଳ ହେଉଛି। ଅନେକ ଫେରନ୍ତା ପ୍ରବାସୀ ଓଡ଼ିଆ ସବୁ ନୀତିନିୟମ ମାନି ରହୁଛନ୍ତି। କିନ୍ତୁ କିଛି ଅମାନିଆ ଅଛନ୍ତି, ଯେଉଁମାନେ ସରକାରୀ ନୀତିନିୟମ ମାନୁ ନାହାନ୍ତି। ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଯେଉଁମାନେ ବିଧି ବ୍ୟବସ୍ଥାରେ ଆସୁ ନାହାନ୍ତି, ସେମାନେ ତ ହଇରାଣ ହେଉଛନ୍ତି, ଅନ୍ୟମାନଙ୍କୁ ଅସୁବିଧାରେ ବି ପକାଉଛନ୍ତି। ସେହିପରି ଏକ ଘଟଣା ଘଟିଛି ଆଜି ରାଜଧାନୀରେ।

ଆଜି ସୁରତରୁ ଗୋଟିଏ ବସ୍‌ରେ ଆସିଥିବା ଯାଜପୁର ଓ ଭଦ୍ରକର ୧୨ ଜଣ ଲୋକଙ୍କୁ ଅସୁରକ୍ଷିତ ଭାବେ ଭୁବନେଶ୍ବରରେ ଓହ୍ଲାଇ ଦେବା ପରେ ବସ୍‌ଟି ପୁରୀ ଚାଲିଯାଇଛି। ଫଳରେ ସଂଗରୋଧରେ ରହିବାକୁ ଥିବା ଏହି ସୁରତ ଫେରନ୍ତାମାନେ ଅନ୍ୟ କେଉଁଠିକୁ ଯାଇ ନ ପାରି ଭୁବନେଶ୍ବରରେ ଏଣେତେଣେ ଘୂରି ବୁଲୁଥିଲେ। ଏଭଳି ଘଟଣା ଜଣାପଡ଼ିବା ପରେ ଭୁବନେଶ୍ବରବାସୀ ଛାନିଆ‌ ହୋଇ ଯାଇଛନ୍ତି। ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି। ଆଜି ଷ୍ଟେସନରେ ଦୁଇଜଣ ଏଣେ ତେଣେ ବୁଲୁଥିବା ବେଳେ ସନ୍ଦେହରେ ଜିଆର୍‌ପି ଥାନା ଅଧିକାରୀମାନେ ଧରିଥିଲେ। ସେମାନେ ଆନ୍ଧ୍ରରୁ ଆସିଥିଲେ ଓ ଭଦ୍ରକ ଯିବା ପାଇଁ ଚାହୁଥିଲେ। ଏଣୁ ଆମେ ଭଦ୍ରକ ଜିଲ୍ଲା ନୋଡାଲ ଅଫିସରଙ୍କୁ ସୂଚନା ଦେଇଥିଲୁ। ସେମାନେ ଆସି ସ୍ବତନ୍ତ୍ର ଗାଡ଼ିରେ ସେମାନଙ୍କୁ ନେଇ ଯାଇଥିଲେ। କିନ୍ତୁ କଳ୍ପନା ଛକରେ ଓହ୍ଲାଇଥିବା ସୁରତ ଫେରନ୍ତାଙ୍କ ପାଇଁ କମିସନରେଟ୍‌ ପୁଲିସ ଏଭଳି କିଛି କରି ନ ଥିଲା।

ସୁରତରୁ ବସ୍‌ରେ ଆସିଥିବା ଯାଜପୁରର ଜଣେ ଯୁବକଙ୍କ କହିବା ଅନୁଯାୟୀ, ଗତ ୨ ତାରିଖ ଦିନ ସେମାନେ ସୁରତରୁ ବସ୍‌ ଯୋଗେ ଓଡ଼ିଶା ବାହାରିଥିଲେ। ଏକାଥରକେ ୭ଟି ବସ ବାହାରିଥିଲା। ଭଦ୍ରକ ଓ ଯାଜପୁରର ୧୨ ଜଣଙ୍କୁ ସିଧାସଳଖ ବସ୍‌ ନ ମିଳିବାରୁ ସେଠାରେ ଥିବା ଦଲାଲ ପୁରୀ ବସରେ ବସାଇ ଦେଇଥିଲା। ସର୍ତ୍ତ ଥିଲା କି ଭୁବନେଶ୍ବରରେ ଓହ୍ଲାଇବା ପରେ ସେମାନଙ୍କୁ ଭଦ୍ରକ ବସରେ ବସାଇ ଦେବେ। କିନ୍ତୁ ଆଜି ସକାଳେ ଭୁବନେଶ୍ବର କଳ୍ପନା ଛକ‌ରେ ସେମାନେ ଯେତେବେଳେ ବସ୍‌ରୁ ଓହ୍ଲାଇଲେ ସେତେବେ‌ଳେ କାହାରି ଦେଖା ନ ଥିଲା କିମ୍ବା ଭଦ୍ରକ ଯିବାକୁ କୌଣସି ବ୍ୟବସ୍ଥା କରା ଯାଇ ନ ଥିଲା। ଦଲାଲ୍‌ଙ୍କ ଦୋଷ ଦେଇ ବସ୍‌ର ଚାଳକ ଭଦ୍ରକ ଓ ଯାଜପୁରର ୧୨ ଜଣଙ୍କୁ ସେଠାରେ ଛାଡ଼ି ଦେଇଥିଲା‌ ଏବଂ ପୁରୀ ଅଭିମୁଖେ ବାହାରି ଯାଇଥିଲା। ଏହି ୧୨ ଜଣ କଳ୍ପନା ଛକରେ କିଛି ସମୟ ଗାଡ଼ି ଖୋଜିବା ପରେ ହତାଶ ହୋଇ ‘୧୦୦’ ଓ ସ୍ବାସ୍ଥ୍ୟ ବିଭାଗ ହେଲ୍ପ ଲାଇନ୍‌ ‘୧୦୪’କୁ ଯୋଗାଯୋଗ କରିଥିଲେ। ଖବର ପାଇ ଏକ ପିସିଆର ଭ୍ୟାନ ଆସି ସେମାନଙ୍କୁ ରେଳ ଷ୍ଟେସନକୁ ଯିବା ପାଇଁ ପରାମର୍ଶ ଦେଇଥିଲା। କିନ୍ତୁ ଅନ୍ୟ ଏକ ପିସିଆର ଭ୍ୟାନ୍‌ର କର୍ମଚାରୀ ବାଣୀବିହାର ପଠାଇ ଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ। ବାଣୀବିହାରରେ ମଧ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ସେମାନଙ୍କ ମଧ୍ୟରୁ ୫ଜଣ ଚାଲିଚାଲି ଯାଜପୁର ଅଭିମୁଖେ ବାହରିଥିଲେ। ଜଗତପୁର ପର୍ଯ୍ୟନ୍ତ ଚାଲିଚାଲି ଯିବା ପରେ ସେଠାରେ ଏକ ଅଟୋରେ ଯାଇ ସେମାନେ ଛତିଆରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କୁ ପୁଲିସ ଧରିଥିଲା। ବାକି ୭ଜଣ ବାଣୀବିହାରରେ ରାତି ପର୍ଯ୍ୟନ୍ତ ବସ୍‌କୁ ଅପେକ୍ଷା କରିଥିଲେ।

ଏ ନେଇ କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, କିଏ କେଉଁଠୁ ଆସୁଛି ତାହାକୁ ଜଗିବା ପାଇଁ କୌଣସି ସୂଚନା ନାହିଁ। ପୂର୍ବରୁ ଏକ ସଂଗରୋଧ କେନ୍ଦ୍ରରୁ ଜଣେ ଖସି ଆସିଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ସେ ନେଇ କୌଣସି ଖବର ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ପାଖକୁ ଆସି ନ ଥିଲା। ଆଜି ମଧ୍ୟ କୌଣସି ଖବର ସରକାରୀସ୍ତରରେ ଆସିନାହିଁ। ସୁରତରୁ ବସ୍‌ ଫେରିବା, ପ୍ରଶାସନ କିମ୍ବା ପୁଲିସ ଜାଣି ନ ପାରିବା, ପ୍ରସଙ୍ଗ ସମଗ୍ର ବ୍ୟବସ୍ଥାରେ ଘଳିଆ ଥିବା ପ୍ରମାଣିତ କରିଛି। ପୂର୍ବରୁ ସୁରତ କିମ୍ବା ଅନ୍ୟ ରାଜ୍ୟରୁ ଫେରନ୍ତା ବସକୁ ପୁଲିସ ଏସକର୍ଟରେ ଆଣୁଥିଲା। କେତେ ଆସିଲେ ତାହାର ହିସାବ ମଧ୍ୟ ରହୁଥିଲା। ହେଲେ ଏହି ଘଟଣା କିଭଳି ସମସ୍ତଙ୍କ ଅଗୋଚରରେ ଘଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନ ଅଗୋଚରରେ ଏହା ପ୍ରଥମ ଘଟଣା ନା ଏଭଳି ଆଉ କିଛି ଘଟଣା ଘଟିଛି?

ଦଲାଲ ସକ୍ରିୟ
ଅନ୍ୟରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ନିଜ ରାଜ୍ୟକୁ ଫେରିବାକୁ ବ୍ୟଗ୍ର ଥିବା ବେଳେ ସେହି ବ୍ୟଗ୍ରତାର ସୁଯୋଗ ନେଉଛନ୍ତି କିଛି ଦଲାଲ। ନିଜ ଘରକୁ ଯେନତେନ ପ୍ରକାରରେ ଫେରିବା ପାଇଁ ଚାହୁଥିବା ଲୋକଙ୍କୁ ଯେ କୌଣସି ବସ୍‌ରେ ଚଢ଼ାଇ ଦେଇ ଭଲ ଦି ପଇସା ମାରି ନେବା ଲକ୍ଷ୍ୟରେ ଅଛନ୍ତି ଏହି ଦଲାଲମାନେ। ଏଥିରେ ସଫଳ ବି ହେଉଛନ୍ତି ଓ ମାଲାମାଲ ହେଉଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛି ଏହି ଘଟଣା।

ତାମିଲନାଡୁ ଫେରନ୍ତାକୁ ଧରିଲା ପୁଲିସ
ଭୁବନେଶ୍ବର: ଆଜି ରେଡ୍‌କ୍ରସ୍‌ ଭବନ ଛକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତାମିଲନାଡୁରୁ ଆସିଥିବା ଜଣେ ଯୁବକ ଏଣେତେଣେ ଘୂରି ବୁଲୁଥିବା ବେଳେ ପୁଲିସ ଧରିଛି। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଛି। ସେ ହେଉଛନ୍ତି ସୁଧୀର ଫାଲ୍‌କା। ତାଙ୍କ ଘର ରାୟଗଡ଼ା। ତାମିଲନାଡୁରେ ସେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଦୁଇଦିନ ତଳେ ସେ ଘରକୁ ଫେରିବା ପାଇଁ ଏକ ଟ୍ରକ୍‌ ଯୋଗେ ଆସିଥିଲେ। ବାଟରେ ଓହ୍ଲାଇ କିଛି ବାଟ ଚାଲିବା ପରେ ଏକ ମାଲ ବାହୀ ଅଟୋରେ ଆସିଥିଲେ। ଆଜି ସନ୍ଧ୍ୟାରେ ଆଚାର୍ଯ୍ୟ ବିହାର ଛକରେ ଓହ୍ଲାଇ ରେଡ୍‌କ୍ରସ୍‌ ଭବନ ଛକରେ ପହଞ୍ଚିଥିଲେ। ତାଙ୍କ ହାବଭାବରେ ସନ୍ଦେହ ହେବାରୁ ପୁଲିସ ଧରିଥିଲା। ତେବେ ଏଭଳି ଜଣେ ନୁହେଁ, ଅନେକ ନିଜ ଘରକୁ ଫେରିବା ପାଇଁ ଭୁବନେଶ୍ବର ପହଞ୍ଚୁଛନ୍ତି। ଘରକୁ ଯାଇନପାରି ଏଠାରେ ରହୁଛନ୍ତି। ପୁଲିସ କିମ୍ବା ପ୍ରଶାସନ ପାଖ‌ରେ ସୂଚନା ନଥିବାରୁ ବିପଦ ଘନେଇଛି।

ସମ୍ବନ୍ଧିତ ଖବର