ଓଡ଼ିଶା ସ୍କିଲ୍‌ସ-୨୦୧୯ ଉନ୍ମୋଚିତ

ମେ’ ୩୧ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ଆଜି କିଟ୍‌ ପ୍ରେକ୍ଷାଳୟରେ ଓଡ଼ିଶା ସ୍କିଲସ୍‌-୨୦୧୯ ଉନ୍ମୋଚିତ ହୋଇଛି। ଏଥିପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ମେ’ ୩୧ ସୁଦ୍ଧା ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ୪୫ଟି ଟ୍ରେଡ୍‌କୁ ନେଇ ଏହି ପ୍ରତିଯୋଗିତା ହେବ। ଉନ୍ମୋ‌ଚନ ଉତ୍ସବରେ ଯୋଜନା ଓ ସଂଯୋଜନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଦକ୍ଷତା ବିକାଶର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ମାଧ୍ୟମରେ ବିଶ୍ବସ୍ତରୀୟ ଶ୍ରମଶକ୍ତି ରୂପେ ଗଢ଼ି ତୋଳିବା ପାଇଁ ଉଦ୍ୟମ ହେଉଛି। ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରିବ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଯୋଗଦେଇ କହିଲେ, ଓଡ଼ିଶା ସ୍କିଲସ୍‌-୨୦୧୯ରେ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବା ସହ ଧନ୍ଦାମୂଳକ ଶିକ୍ଷାକୁ ମୁଖ୍ୟ ବୃତ୍ତି ଭାବେ ଆପଣାଇବା ପାଇଁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ସେ କହିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର ସିଂ କହିଲେ, ଓଡ଼ିଶା ଏକମାତ୍ର ରାଜ୍ୟ ‌ଯେଉଁଠାରେ ୨୦୧୧ ୱାର୍ଲ୍ଡ ସ୍କିଲ୍‌ ପ୍ରତିଯୋଗିତା ନିମନ୍ତେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ନିମନ୍ତେ ଏପିଜେ ଅବ୍‌ଦୁଲ କଲାମ୍‌ ସମ୍ମାନ-୨୦୧୮ ପାଇବା ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି। ଆସନ୍ତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ଉତ୍ସବରେ ରାଜ୍ୟ ସରକାର ଏହି ପୁରସ୍କାର ଗ୍ରହଣ କରିବେ। ଓଡ଼ିଶା ସ୍କିଲସ୍‌-୨୦୧୯ ଉନ୍ମୋଚନ ଉତ୍ସବ ଅବସରରେ ଦୁଇଟି ରାଜିନାମା ସ୍ବାକ୍ଷରିତ ହୋଇଥିଲା। ବୈଷୟିକ ଜ୍ଞାନର ଆଦାନପ୍ରଦାନ ପାଇଁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଓ ରାଉରକେଲା ଏନ୍‌ଆଇଟି ମଧ୍ୟରେ ରାଜିନାମା ହୋଇଥିବା ବେଳେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରଶିକ୍ଷଣ ନିର୍ଦେଶାଳୟ ଓ ଏସ୍‌ଏମ୍‌ସି କର୍ପୋରେସନ୍‌ ଇଣ୍ଡିଆ ଲିମିଟେଡ୍‌ ମଧ୍ୟରେ ବି ଏକ ବୁଝାମଣା ହୋଇଛି। ଏହି ଅବସରରେ ପଲି ଫେଷ୍ଟ ଓ ଆଇଟିଆଇ ଫେଷ୍ଟରେ କୃତିତ୍ବ ହାସଲ କରିଥିବା ଶ୍ରେଣୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ଉତ୍ସବରେ ଓଏସ୍‌ଡିଏର ସିଇଓ ରାଜେଶ ପ୍ରଭାକର ପାଟିଲ୍‌, ଡିଟିଇଟିର ନିର୍ଦେଶକ ବଲୱନ୍ତ ସିଂ, ଆଇଆଇଟିର ନିର୍ଦେଶକ ଆର୍‌ ଭି ରାଜାକୁମାର, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର