ଧଉଳି ଶାନ୍ତିସ୍ତୂପର ବିକାଶ ପାଇଁ ଦେଢ଼ କୋଟି ମଞ୍ଜୁର

ଭୁବନେଶ୍ବର/ଧଉଳି: ଫନିବାତ୍ୟାରେ କ୍ଷତିଗ୍ରସ୍ତ ଧଉଳି ଶାନ୍ତିସ୍ତୂପର ବିକାଶ ହେବ। ଏଥିପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପୂର୍ବରୁ ଏକାମ୍ର ବିଧାୟକ ତଥା ସାମାଜିକ ସଶସ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏଭଳି ମୋଟ ଦେଢ଼କୋଟି ଟଙ୍କାରେ ଏବେ ଏହି ଐତିହାସିକ ପର୍ଯ୍ୟଟନସ୍ଥଳୀର ବିକାଶ ହେବାକୁ ଯାଉଛି। ଏହି ଅର୍ଥରେ ପର୍ଯ୍ୟଟନସ୍ଥଳୀର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବ। ସ୍ତୂପର ଶୀର୍ଷରେ ଥିବା ୫ଟି ଛତ୍ରି ମରାମତି କରାଯିବା ସହ ଚାରିପଟକୁ ଝୁଲି ରହିଥିବା ଅଂଶର ମରାମତି ହେବ। ଗମ୍ବୁଜର ବିଭିନ୍ନ ସ୍ଥାନରେ ନଷ୍ଟ ହୋଇଯାଇଥିବା ଭଗବାନ ବୁଦ୍ଧଙ୍କର ଭାସ୍କର୍ଯ୍ୟ ମରାମତି କରାଯିବ। ଗମ୍ବୁଜର ରଙ୍ଗ ଛଡ଼ାଯାଇ ଆଉ ଥରେ ଧଉଳା ଯିବ। ଏଥିସହିତ ଶାନ୍ତିସ୍ତୂପ ଉପର ବେଢ଼ା ଅଞ୍ଚଳ ସହିତ ତଳପାର୍ଶ୍ବ ଚଟାଣର ମଧ୍ୟ ନବୀକରଣ କାର୍ଯ୍ୟ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ ଧଉଳି ଶାନ୍ତିସ୍ତୂପ ପାଇଁ ମୁଖ୍ୟମନ୍ତ୍ରୀ ସ୍ପେଶାଲ ପ୍ରୋବ୍ଲେମ୍‌ ଫଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ୭୭ ଲକ୍ଷ ୮୩ ହଜାର ଟଙ୍କା ମଞ୍ଜୁର ହୋଇଛି। ବାକି ଟଙ୍କା ପରବର୍ତ୍ତୀ ସମୟରେ ଆସିବ ବୋଲି ସୂଚନା ମିଳିଛି। ଗତ ଏପ୍ରିଲ ମାସରେ ମନ୍ତ୍ରୀ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ପ୍ରୋବ୍ଲେମ୍‌ ଫଣ୍ଡରୁ କୋଟିଏ ଟଙ୍କା ମଂଜୁର କରିବା ପାଇଁ ଚିଠି ଲେଖିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଏହାକୁ ମଞ୍ଜୁର କରିଛନ୍ତି। ଭୁବନେଶ୍ବର ପୂର୍ତ୍ତ ବିଭାଗ (ଡିଭିଜନ ୨) ଏହାର ଟେଣ୍ଡର କରିବା ପରେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ଦରକାର ପଡ଼ିଲେ ଧଉଳି ବିକାଶ ପରିଷଦ ପକ୍ଷରୁ ମଧ୍ୟ ୫୦ ଲକ୍ଷ ଖର୍ଚ୍ଚ ପାଇଁ ବ୍ୟବସ୍ଥା ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ନିକଟ ଅତୀତରେ ଭୁବନେଶ୍ବର ଏଡିଏମ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ସହକାରୀ ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ଓ କଳିଙ୍ଗ ନିପନ ବୁଦ୍ଧ ସଂଘର ଏକ ପ୍ରତିନିଧିଦଳ ଶାନ୍ତିସ୍ତୂପ ପରିଦର୍ଶନ କରି କ୍ଷତିଗ୍ରସ୍ତ ଅଂଶ ଚିହ୍ନଟ କରିଥିଲେ।

ସମ୍ବନ୍ଧିତ ଖବର