ଟିକା ଅପେକ୍ଷା‌ରେ ଦେଢ଼ ଲକ୍ଷ ଯୁବବର୍ଗ, ୭,୪୨,୭୪୨ ଜଣ ନେଇଛନ୍ତି ପ୍ରଥମ ଡୋଜ୍

୪,୩୯,୩୪୦ଜଣଙ୍କର ଟିକାକରଣ ସରିଲାଣି, ୩ଲକ୍ଷ ୨ହଜାର ୧୩୬ଜଣ ଯୁବବର୍ଗ ନେଇଛନ୍ତି ପ୍ରଥମ ଡୋଜ୍

ଭୁବନେଶ୍ବର: କେନ୍ଦ୍ର ସରକାର ଜୁନ୍‌ ୨୧ରୁ ସାରା ଦେଶରେ ଟିକାକରଣକୁ କ୍ୟାମ୍ପେନ୍ ମୋଡ୍‌ରେ ଆରମ୍ଭ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ରାଜ୍ୟ ସରକାର ବିଏମ୍‌ସି ମାଧ୍ୟମରେ ଭୁବନେଶ୍ବରବାସୀଙ୍କ ପାଇଁ ଟିକାକରଣ ଅଭିଯାନକୁ ଜୋରଦାର୍‌ କରିଛନ୍ତି। ଜୁଲାଇ ୧୫ ସୁଦ୍ଧା ରାଜଧାନୀରେ ସମସ୍ତଙ୍କୁ ପ୍ରଥମ ଡୋଜ୍ ଏବଂ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସମସ୍ତଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦେବାକୁ ଯୋଜନା କରିଥିବା ବିଏମ୍‌ସି ଜୁନ୍ ୨୧ ସୁଦ୍ଧା ରାଜଧାନୀରେ ୧୧ଲକ୍ଷ ୮୨ହଜାର ୮୨ ଡୋଜ୍ ଦେଇସାରିଲାଣି। ଏଥିରୁ ୭ଲକ୍ଷ ୪୨ହଜାର ୭୪୨ଜଣ ପ୍ରଥମ ଡୋଜ୍ ନେଇଥିବାବେଳେ ୪ଲକ୍ଷ ୩୯ହଜାର ୩୯୦ଜଣ ଦୁଇ ଡୋଜ୍ ଟିକା ନେଇସାରିଲେଣି। ଅର୍ଥାତ୍ ରାଜଧାନୀରେ ୪ଲକ୍ଷ ୩୯ହଜାର ଜଣଙ୍କର ଟିକାକରଣ ସରିଲାଣି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ୫ଲକ୍ଷ ୧୭ହଜାର ଜଣ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ଦେବାକୁ ଯୋଜନା ହୋଇଥିବାବେଳେ ଏଥିରୁ ୩ଲକ୍ଷ ୨ହଜାର ୧୩୬ଜଣ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। ଆଜି ପ୍ରାୟ ୨୦ହଜାର ଯୁବବର୍ଗ ପ୍ରଥମ ଡୋଜ୍ ଟିକା ନେଇଥିବାରୁ ଆହୁରି ଦେଢ଼ ଲକ୍ଷ ଯୁବବର୍ଗ ପ୍ରଥମ ଡୋଜ୍ ଟିକା ଅପେକ୍ଷାରେ ଅଛନ୍ତି। ରାଜଧାନୀରେ ଏବେ ଦିନକୁ ପ୍ରାୟ ୨୮ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଥିବାବେଳେ ଏଥିରୁ ପ୍ରାୟ ୨୦ ହଜାର ଯୁବବର୍ଗଙ୍କୁ ପ୍ରତିଦିନ ପ୍ରଥମ ଡୋଜ୍ ଟିକା ଦିଆଯାଉଛି। ଏବେ ଟିକାର ବିଶେଷ ଅଭାବ ନଥିବାରୁ ଆସନ୍ତା ୧୦ରୁ ୧୨ ଦିନ ମଧ୍ୟରେ ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବାକୁ ବିଏମ୍‌ସି ଯୋଜନା କରିଛି।

ଆଗ ଧାଡ଼ିର କର୍ମୀ ବଢ଼ିଲେଣି ୧୯ହଜାର
ରାଜଧାନୀରେ ୩୩,୪୩୫ଜଣ ଆଗ ଧାଡ଼ିର କର୍ମୀଙ୍କୁ ଟିକାକରଣ କରିବାକୁ ବିଏମ୍‌ସି ଯୋଜନା କରିଥିଲା। କିନ୍ତୁ ଏହି ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏବେ ସୁଦ୍ଧା ଟାର୍ଗେଟ ଠାରୁ ପ୍ରାୟ ୧୯ହଜାର ଅଧିକ ଆଗଧାଡ଼ିର କର୍ମୀ ଟିକା ନେଇସାରିଲେଣି। ଏବେବି ସେମାନଙ୍କର ପ୍ରଥମ ଡୋଜ୍ ଟିକାକରଣ ଚାଲିଛି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ଏବେ ସୁଦ୍ଧା ୫୨ହଜାର ୯୨୨ଜଣ ପ୍ରଥମ ଡୋଜ୍‌ ଟିକା ନେଇଥିବାବେଳେ ଏଥିରୁ ୩୫ହଜାର ୨୫୧ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।

୩୪,୫୮୯ ଜଣ ସ୍ବାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି
ବିଏମ୍‌ସି ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଗଲା। କିନ୍ତୁ ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ସେତେବେଳେ ଟିକା ନେଲେନି। ବାରମ୍ବାର ତାଗିଦ୍ ପରେ ଏବେ ବି ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ଚାଲିଛି। ବିଏମ୍‌ସି ୩୧,୫୩୯ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଯୋଜନା କରିଥିବାବେଳେ ଏବେ ସୁଦ୍ଧା ୩୪୫୮୯ଜଣ ଟିକା ନେଲେଣି। ଏଥିରୁ ୨୬୪୬୯ଜଣଙ୍କର ଦୁଇ ଡୋଜ୍ ଟିକାକରଣ ସରିଛି।

୨.୭୯ଲକ୍ଷ ୪୫ବର୍ଷରୁ ଉଦ୍ଧ୍ବ ନେଲେଣି ଦୁଇ ଡୋଜ୍‌ ଟିକା
ବିଏମ୍‌ସି ରାଜଧାନୀରେ ୩ଲକ୍ଷ ୨୫ହଜାର ୨୨୦ଜଣ ୪୫ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକା ଦେବାକୁ ଯୋଜନା କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୫୩ହଜାର ୯୫ଜଣ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। ଏଥିରୁ ୩ଲକ୍ଷ ୫୨ହଜାର ୩୩୩ଜଣ ସରକାରୀ କେନ୍ଦ୍ରରେ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୭୬୨ଜଣ ଘରୋଇ ହସ୍ପିଟାଲରେ ଟିକା ନେଇଛନ୍ତି। ସେହିପରି ମୋଟ୍‌ ୨ଲକ୍ଷ ୭୯ହଜାର ୭୦୫ଜଣ ଦ୍ବିତୀୟ ‌ଡୋଜ୍ ଟିକା ନେଇଥିବାବେଳେ ଏଥିରୁ ୨୬୧ଜଣ ଜଣ ଘରୋଇ ହସ୍ପିଟାଲରେ ଦ୍ବିତୀୟ ଡୋଜ୍ ନେଇଛନ୍ତି।

୧.୧୯ଲକ୍ଷ ଯୁବବର୍ଗଙ୍କର ଟିକାକରଣ ସରିଲାଣି
ବିଏମ୍‌ସି ପକ୍ଷରୁ ଯୁବବର୍ଗଙ୍କ ଟିକାକରଣ ଅଭିଯାନ ତ୍ବରାନ୍ବିତ ହୋଇଛି। ଜୁନ୍ ୨୧ତାରିଖ ସୁଦ୍ଧା ୩ଲକ୍ଷ ୨ହଜାର ୧୩୬ଜଣଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଥିବାବେଳେ ଏଥିରୁ ୧ଲକ୍ଷ ୧୯ହଜାର ୮୯୬ଜଣ ଦ୍ବିତୀୟ ଡୋଜ୍ ନେଇସାରିଲେଣି। ଟିକା ନେବା ପାଇଁ ସରକାରୀ କେନ୍ଦ୍ରରେ ଭିଡ଼ ଜମୁଥିବାରୁ ଘରୋଇ ହସ୍ପିଟାଲରେ ୧୧୨୨୬ଜଣ ପ୍ରଥମ ଡୋଜ୍ ଏବଂ ୨୮୭୨ଜଣ ଦ୍ବିତୀୟ ଡୋଜ୍‌ ନେଇ ସାରିଲେଣି।

 

ସମ୍ବନ୍ଧିତ ଖବର