ଦୈନିକ ଯକ୍ଷ୍ମା ଔଷଧ ସେବନ ସେବା ଉଦ୍‌ଘାଟିତ

ଭୁବନେଶ୍ୱର: ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ପକ୍ଷରୁ ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ପରିବର୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଦୈନିକ ଔଷଧ ସେବନ ପ୍ରଣାଳୀ ସେବା ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଚିତ୍ତରଞ୍ଜନ ଦାସ ଓ ଅଧୀକ୍ଷକ ଡା.ମନୋରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଯକ୍ଷ୍ମା ଅଧିକାରୀ ସୁମନ ସୁନ୍ଦରରାଏ, ଜିଲ୍ଲା ଯକ୍ଷ୍ମା ପ୍ରକଳ୍ପ ସଂଯୋଜକ ରୋଶନ୍‌ ପାଢ଼ୀ ଏହି ସେବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପୂର୍ବରୁ ଯକ୍ଷ୍ମା ରୋଗୀମାନେ ସପ୍ତାହକୁ ତିନି ଦିନ ଔଷଧ ସେବନ କରୁଥିବା ବେଳେ, ଏଣିକି ପ୍ରତ୍ୟେକ ଦିନ ଔଷଧ ସେବନ କରିବେ। ଅନେକ ଗବେଷଣା, ରୋଗୀମାନଙ୍କ ଆରୋଗ୍ୟ ହାର ଏବଂ ରୋଗର ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରତିଦିନ ଔଷଧ ସେବନ ସେବା ଆରମ୍ଭ କରାଯାଇଛି। ପୂର୍ବପରି ଦୁଇଟି ପର୍ଯ୍ୟାୟରେ ଔଷଧ ଖାଇବାକୁ ହେବ। ରୋଗୀକୁ ଦେଖାଶୁଣା କରିବାକୁ ଏହି ପଦ୍ଧତିରେ ରୋଗୀର ପରିବାର ସଦସ୍ୟ ଚିକିତ୍ସା ସହାୟକ ହୋଇପାରିବେ। ଏଥିସହିତ ଆଶାକର୍ମୀ, ଅଙ୍ଗନଓ୍ଵାଡ଼ି, ସ୍ୱେଚ୍ଛାସେବୀ ମଧ୍ୟ ଚିକିତ୍ସା ସହାୟକ ହୋଇପାରିବେ।

ସମ୍ବନ୍ଧିତ ଖବର