ମିଥ୍ୟା ଅଭିଯୋଗ ଆଣୁଥିବା ପ୍ରାର୍ଥୀଙ୍କୁ ଓପିଏସ୍‌ସିର ଚେତାବନୀ : ଅପପ୍ରଚାର କଲେ ପରୀକ୍ଷାରୁ ବାଦ୍‌

ଭୁବନେଶ୍ବର: ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୧୫ ଓ ସରକାରୀ ଉପବିଭାଗ ଅଧିକାରୀ-୨୦୧୮(ଏଏସ୍‌ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିଛି ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)। ଆୟୋଗ ପକ୍ଷରୁ ଆଜି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ କେତେଜଣ ପ୍ରାର୍ଥୀ ପରୀକ୍ଷାରେ ଅନିୟମିତତା ହେଉଥିବା ନେଇ ଗଣମାଧ୍ୟମରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ମିଥ୍ୟା ଅପପ୍ରଚାର କଲେ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆଗାମୀ ଦିନରେ ଓଡ଼ିଶା ଲୋକସେବା ଆୟୋଗ ଓ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ହେବାକୁ ଥିବା ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ ନାହିଁ। ଅଯୋଗ୍ୟ ବିବେଚିତ ହେବେ ବୋ‌ଲି ଓଡ଼ିଶା ଲୋକସେବା ଆୟୋଗର ସଚିବ ଜଣାଇଛନ୍ତି।

ଆହୁରି କୁହାଯାଇଛି ଯେ ଆସିଥିବା ଅଭିଯୋଗଗୁଡ଼ିକୁ ଓପିଏସ୍‌ସି ଦ୍ବାରା ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ସେଗୁଡ଼ିକ ଭିତ୍ତିହୀନ ବୋଲି ଜଣାପଡ଼ିଛି। ସେଥିରେ ପୁନଃ ମୂଲ୍ୟାଙ୍କନ ପାଇଁ ଦାବିରେ ମନ୍ଦ ଉଦ୍ଦେଶ୍ୟ ରହିଛି। ଜଣେ ପ୍ରାର୍ଥୀ ମଧ୍ୟ ପରୀକ୍ଷକ ଓ ମୁଖ୍ୟ ପରୀକ୍ଷକଙ୍କ ଦ୍ବାରା କରାଯାଇଥିବା ମୂଲ୍ୟାଙ୍କନ ପ୍ରତି ସନ୍ଦେହ ପ୍ରକଟ କରିଛନ୍ତି। ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ଯଦିଓ ସେହି ପ୍ରାର୍ଥୀଙ୍କୁ ପରୀକ୍ଷକଙ୍କ ଦ୍ବାରା ମୂଲ୍ୟାୟନ ପରେ ଅଧିକ ନମ୍ବର ମିଳିଛି। ସମ୍ପୃକ୍ତ ବର୍ଗରେ ଧାର୍ଯ୍ୟ କଟ୍‌ ଅଫ୍‌ ମାର୍କଠାରୁ ସେହି ପରୀକ୍ଷାର୍ଥୀ ବହୁ ପଛରେ ଅଛନ୍ତି। ଏ ସମ୍ପର୍କରେ ସେହି ପ୍ରାର୍ଥୀଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଜଣାଇ ଦିଆଯାଇଛି। ପରୀକ୍ଷା ପରିଚାଳନା କ୍ଷେତ୍ରରେ କମିସନ ସର୍ବାଧିକ ସାଧୁତା ଓ ସ୍ବଚ୍ଛତା ଅବଲମ୍ବନ କରିଛନ୍ତି। ଏଥିପାଇଁ ଏକ ବଳିଷ୍ଠ ଅଭିଯୋଗ ଶୁଣାଣି ପ୍ରକ୍ରିୟା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଦକ୍ଷତାର ସହ ପରୀକ୍ଷା ପରିଚାଳନା ଯୋଗୁଁ କମିସନଙ୍କ ଦ୍ବାରା ଅତୀତରେ ସର୍ବାଧିକ ପ୍ରାର୍ଥୀ ମନୋନୀତ ହୋଇଥିବା ବେଳେ ଅଳ୍ପ ସଂଖ୍ୟକ ଆଇନଗତ ମାମଲା ଆସିଥିଲା। ପ୍ରାର୍ଥୀମାନଙ୍କୁ ଅନୁରୋଧ କରାଯାଇଛି ଯେ ଅଭିଯୋଗଗୁଡ଼ିକୁ ସେମାନେ ସିଧାସଳଖ କମିସନଙ୍କ ଦୃଷ୍ଟିକୁ ଆଣନ୍ତୁ। ଏ ସମ୍ପର୍କରେ ଗଣମାଧ୍ୟମକୁ ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁ ନାହିଁ। ନିଜ ସପକ୍ଷରେ ନିଷ୍ପତ୍ତି ଆଣିବା ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ଅନୁରୋଧ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର