ଓଏସ୍‌ଏସ୍‌ସି ନିଯୁକ୍ତି ଦୁର୍ନୀତି: ସନ୍ଦେହ ଘେରରେ ଭିଜିଲାନ୍ସ, ୭ ଆଡମିଟ୍ କାର୍ଡର ତଦନ୍ତ ସରୁନି

ବିରଞ୍ଚିଙ୍କୁ ପରୀକ୍ଷାର୍ଥୀଙ୍କ ତଥ୍ୟ ଯୋଗାଉଥିଲା କିଏ?
ଅପରାଧ ମାମଲା ରୁଜୁ କରି ତଦନ୍ତ ହେଉନି କାହିଁକି?

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉକୁ ଦୁଇ ସପ୍ତାହ ବିତିଗଲାଣି। ବିରଞ୍ଚିଙ୍କ ଘରୁ ଶତାଧିକ ଆଡମିଟ୍ କାର୍ଡ ମିଳିବା, ପରୀକ୍ଷାର୍ଥୀ ଓ ସରକାରୀ କର୍ମଚାରୀଙ୍କର ବୀମା ପଲିସି ତିଆରି ହେବା ଏବଂ ଅନେକ ଯୋଗ୍ୟ ପ୍ରାର୍ଥୀ ଚାକିରିରୁ ବାଦ୍ ପଡ଼ିବା ଘଟଣା ବଡ଼ ନିଯୁକ୍ତି ଦୁର୍ନୀତି ଆଡ଼କୁ ଇଙ୍ଗିତ କରୁଛି। ଖାଲି ସେତିକି ନୁହେଁ; ବିରଞ୍ଚିଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ମଧ୍ୟ ପହଞ୍ଚିଛି। ଜବତ ଆଡମିଟ୍ କାର୍ଡରୁ ୭ଜଣ ଚାକିରି କରିଥିବା ମଧ୍ୟ ସନ୍ଦେହ କରୁଛି ତଦନ୍ତକାରୀ ଟିମ୍। ତେବେ ଏଯ‌ାଏ କାହିଁକି ୭ ଆଡମିଟ୍ କାର୍ଡର ତଦନ୍ତ ସରିପାରୁ ନାହିଁ; ତାକୁ ନେଇ ଭିଜିଲାନ୍ସ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି।

ବିରଞ୍ଚି ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ତାଙ୍କ ପାଖରେ ପରୀକ୍ଷାର୍ଥୀଙ୍କ ତଥ୍ୟ ପହଞ୍ଚି ଯାଉଥିଲା? ନିଯୁକ୍ତି ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ସମ୍ପୃକ୍ତ ନ ଥିବା ଓଏସ୍ଏସସି ଅଧ୍ୟକ୍ଷ ପ୍ରତିକ୍ରିୟା ଦେଇଥିବା ବେଳେ ସେ କେମିତି ହାତଉଥିଲେ ତଥ୍ୟ? ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ କିଏ ତାଙ୍କ ପାଖରେ ଏହି ତଥ୍ୟ ପହଞ୍ଚାଉଥିଲା? ଏମିତି ଏକାଧିକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ସରକାରୀ ଅଫିସରୁ କର୍ମଚାରୀ ତଥ୍ୟ ଚୋରି କରିବା ସାଂଘାତିକ ଅପରାଧ। ଏହା ଜାଣି ମଧ୍ୟ କେଉଁ ଆଧାରରେ ବିରଞ୍ଚି ଏତେ ପରିମାଣର ଆଡମିଟ୍ କାର୍ଡ ଘରେ ମହଜୁଦ୍ ରଖିଥିଲେ? ତାଙ୍କ ବିରୋଧରେ ଏତେ ତଥ୍ୟ ପ୍ରମାଣ ଥାଇ ମଧ୍ୟ କାହିଁକି ଭିଜିଲାନ୍ସ ବିରଞ୍ଚିଙ୍କ ବିରୋଧରେ ଅପରାଧ ମାମଲା ରୁଜୁ କରି ତଦନ୍ତ କରୁ ନାହିଁ? ଚାକିରି ଦୁର୍ନୀତି ଅଭିଯୋଗ ଘଟଣାରେ ଉଭୟ ସରକାର ଏବଂ ଷ୍ଟାଫ୍ ସିଲେକ୍ସନ୍ କମିସଙ୍କନ ସ୍ବଚ୍ଛତାକୁ ନେଇ ଚାରିଆଡ଼ୁ ଏଭଳି ମାଳମାଳ ପ୍ରଶ୍ନ ଉଠିଛି। ମାତ୍ର ତଦନ୍ତ ନାଁରେ ଭିଜିଲାନ୍ସ ଜାଣିଣୁଣି ସମୟ ଗଡ଼ାଇ ଗଡ଼ାଇ ବଡ଼ମୁଣ୍ଡଙ୍କୁ ଖସାଇବାର ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ କହିବା ଅନୁସାରେ, ଭିଜିଲାନ୍ସ ବିଭାଗ କେବଳ ଆୟ ବହିର୍ଭୂତ, ଦୁର୍ନୀତି କିମ୍ବା ଲାଞ୍ଚ କାରବାର ମାମଲାର ତଦନ୍ତ କରିପାରିବ ତାହା ନୁହେଁ। ବିରଞ୍ଚି ଏବଂ ଓଏସ୍ଏସସି ବିରୋଧରେ ଆସିଥିବା ଚାକିରି ଦୁର୍ନୀତି ଅଭିଯୋଗ ସମ୍ପର୍କରେ ମଧ୍ୟ ଅପରାଧ ମାମଲା ରୁଜୁ କରିପାରିବ। ଆଇପିସିର ବିଭିନ୍ନ ଦଫା ଯଥା-୧୨୦-ବି(ଷଡଯନ୍ତ୍ର), ଜାଲିଆତି, ଠକେଇ ସଂକ୍ରାନ୍ତୀୟ ବିଭିନ୍ନ ଦଫା-୪୨୦, ୪୬୭, ୪୬୮, ୪୭୧, ପଦକୁ ଅପବ୍ୟବହାର କରିବା ନେଇ ବିରଞ୍ଚି ଓ ତାଙ୍କ ସହ ସାମିଲ ଥିବା ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିପାରିବ। କିନ୍ତୁ ଏଯାଏ କାହିଁକି ମାମଲା ରୁଜୁ କରିନି ତାକୁ ନେଇ ତଦନ୍ତକାରୀ ସଂସ୍ଥା ସନ୍ଦେହ ପରିସରକୁ ଚାଲି ଆସିଛି। ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ଦରକାର ବୋଲି ସେ କହିଛନ୍ତି।

ଏ ନେଇ ଭିଜିଲାନ୍ସ ଏସ୍‌ପି ମୁହଁ ଖୋଲୁ ନ ଥିବା ବେଳେ ଏକ ସ୍ବତନ୍ତ୍ର ଟିମ୍ ୭ ଆଡମିଟ୍ କାର୍ଡ ଓ ପରୀକ୍ଷାର୍ଥୀଙ୍କ ବୀମା ପଲିସିର ତଦନ୍ତ ଜାରି ରଖିଛି। ସେହିପରି ରାଜ୍ୟ ଫୋରେନସିକ୍‌ ଲାବରେଟୋରିକୁ ପଠା ଯାଇଥିବା ଲାପଟପ୍ ଏବଂ ମୋବାଇଲ ଫୋନର ରିପୋର୍ଟକୁ ଅପେକ୍ଷା କରାଯାଇଛି। ପ୍ରମାଣ ମିଳିବା ମାତ୍ରେ କ୍ୟାପିଟାଲ ଥାନାରେ ଏତଲା ଦିଆଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର