ଅସ୍ଥାୟୀ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଓୟୁଏଟିରେ ଆଉଟ୍‌ ସୋର୍ସିଂ ପାଇଁ ମସୁଧା

ଖଣ୍ଡଗିରି: ଓୟୁଏଟିରେ କାମ କରୁଥିବା ୫ଶହରୁ ଅଧିକ କୁଶଳୀ ଅସ୍ଥାୟୀ କର୍ମଚାରୀ ୫ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ୮ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଆଜି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସଂଘର ଅଭିଯୋଗ, ଏବେ ଏହି ଅସ୍ଥାୟୀ କର୍ମଚାରୀମାନଙ୍କୁ ଛ‌େଟଇ କରି ଓୟୁଏଟି ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ ଶ୍ରମିକ ନିୟୋଜିତ କରିବ ବୋଲି ବିଚାର କରୁଛି। ଫଳରେ ଦୀର୍ଘ ବର୍ଷ ଧରି କାମ କରୁଥିବା ଏହି ଶ୍ରମିକମାନେ ସେମାନଙ୍କ ଜୀବିକା ହରାଇବେ। ଶ୍ରମ ଆଇନକୁ ଅଣଦେଖା କରି ଦୀର୍ଘ ବର୍ଷ ହେଲା ଏହି ଗରିବ କର୍ମଚାରୀମାନଙ୍କୁ ଗୋତି ଶ୍ରମିକ ଭଳି ବ୍ୟବହାର କରାଯାଇଛି। ଏସବୁ ସତ୍ତ୍ବେ ଶ୍ରମିକମାନେ ଭବିଷ୍ୟତ ଆଶାରେ କାମ କରି ଚାଲିଛନ୍ତି। କିନ୍ତୁ ଏବେ ସେମାନଙ୍କ ପେଟକୁ ଲାତ ମାରିବାକୁ ବସିଛି ଆଉଟ୍‌ସୋର୍ସିଂ ବ୍ୟବସ୍ଥା। ଦୈନିକ ୬ ଶହ ଟଙ୍କା ମଜୁରି କିମ୍ବା ମାସିକ ୨୦ ହଜାର ଟଙ୍କା ଭତ୍ତା ପାଇଁ ହୋଇ ଆସୁଥିବା ଦାବିକୁ ଓୟୁଏଟି କର୍ତ୍ତୃପକ୍ଷ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତବାନୀ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ଓୟୁଏଟି ୱାର୍କର୍ସ ୟୁନିଅନ୍ ସାଧାରଣ ସମ୍ପାଦକ ସତ୍ୟନାରାୟଣ ନାୟକ, ଶ୍ରମିକ ନେତା ବିକ୍ରମ ନାୟକ, ଓ ଉପଦେଷ୍ଟା ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର