‘ଗଛଟିଏ ଜୀବନଟିଏ’ ଅଭିଯାନ

ଭୁବନେଶ୍ବର: ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ‘ଗଛଟିଏ ଜୀବନଟିଏ’ ଅଭିଯାନ ସଚେତନତା ସଭା ୟୁନିଟ୍‌-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ‘କଥା’ର ସମ୍ପାଦକ ଗୌରହରି ଦାସ ଯୋଗ‌ଦେଇ କହିଲେ ଯେ ପ୍ରାଚୀନ କାଳରୁ ଆମ ଭାରତୀୟ ସ˚ସ୍କୃତିରେ ବୃକ୍ଷପୂଜାର ପରମ୍ପରା ରହିଆସିଛି। ଅନେକ ଦେଶରେ ଏହି ପରମ୍ପରା ଏବେ ମଧ୍ୟ ରହିଛି। ଏହାର ମୁଖ୍ୟ ଉଦେଶ୍ୟ ହେଲା ଗଛ ଲଗାଇବା। ଗଛ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ‘ଗଛଟିଏ ଜୀବନଟିଏ’ ଅଭିଯାନକୁ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍‌ ରଘୁନାଥ ନନ୍ଦ, ପରିବେଶବିତ୍‌ ଦେବଦତ୍ତ ମିଶ୍ର, ପକ୍ଷୀଘର ପତ୍ରିକାର ସ˚ପାଦକ ବନୋଜ ତ୍ରିପାଠୀ, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତପନ କୁମାର ପଣ୍ତା ପ୍ରମୁଖ ବୃକ୍ଷରୋପଣ ଉପରେ ଗୁରୁତ୍ବା‌ରୋପ କରିଥିଲେ। ଏହି ଅବସରରେ ଶିଶୁମନ୍ଦିରର ପୁରାତନ ଛାତ୍ରୀ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନା ନୃତ୍ୟଶିଳ୍ପୀ ଅଭୀପ୍ସା ଭଞ୍ଜଙ୍କୁ ‘ବୃକ୍ଷବନ୍ଧୁ ସମ୍ମାନ’ ପ୍ରଦାନ କରାଯାଇଥିଲା। ପରେ ପରେ ଅତିଥିମାନେ ସ୍କୁଲ ପରିସରରେ ବୃକ୍ଷରୋପଣ କରିବା ସହ ସଚେତନତା ସୃଷ୍ଟି ପାଇଁ ଏକ ଶୋଭାଯାତ୍ରା କରିଥିଲେ।

ସମ୍ବନ୍ଧିତ ଖବର